କେନ୍ଦ୍ରାପଡ଼ା/ମାର୍ଶାଘାଇ: ମା’ ନଥିବା ଝିଅର ମଧ୍ୟାହ୍ନଭୋଜନ ବାବଦକୁ ମିଳୁଥିବା ଟଙ୍କା ଓ ଚାଉଳ ନେଇ ଯାଉଛନ୍ତି ବାପା ଓ ସାବତ ମା’। ଏପରି ଅଭିଯୋଗ ଆଣି ୧୧ ବର୍ଷର ଝିଅ ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଝିଅଟି ଗତ ସପ୍ତାହରେ ଆସି ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରେ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅଭିଯୋଗ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାପାଳ ଘଟଣାକୁ ଗୁରୁତ୍ବର ସହ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ମାର୍ଶାଘାଇ ବ୍ଲକ୍‌ ଦୁମୁକା ଗ୍ରାମର ରମେଶ ସେଠୀଙ୍କ ଝିଅ ସୁଶ୍ରୀ ସ˚ଗୀତା ଦୁମୁକା ବିଦ୍ୟାପୀଠରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି। ପ୍ରାୟ ତିନି ବର୍ଷ ତଳେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ପିତା ଦ୍ବିତୀୟ ବିବାହ କରିଥିଲେ। ଏହାପରେ ତାଙ୍କ ବାପାଙ୍କର ଆଉ ଦୁଇଟି ପିଲା ହୋଇଥିଲା। ଏଭଳି ସ୍ଥିତିରେ ବାପା ଓ ସାବତ ମା’ ଲାଳନପାଳନରେ ଅବହେଳା କରିବାରୁ ବଡ଼ବାପା ରବି ସେଠୀଙ୍କ ପାଖେ ରହି ପାଠ ପଢ଼ୁଥିଲେ ସ˚ଗୀତା। କିନ୍ତୁ କୋଭିଡ୍‌ ସମୟରେ ସ୍କୁଲ୍‌ ବନ୍ଦ କାରଣରୁ ମଧୢାହ୍ନ ଭୋଜନ ବାବଦକୁ ଯେଉଁ ଚାଉଳ ଓ ଟଙ୍କା ଦିଆଯାଉଥିଲା, ତାହାକୁ ବାପା ନେଇଯାଉଛନ୍ତି ବୋଲି ସ˚ଗୀତା ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଜୁନ୍‌ ୧୪ରୁ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫାରେ ମଧୢାହ୍ନ ଭୋଜନ ବାବଦକୁ ଚାଉଳ ସମେତ ପ୍ରତି ମିଲ୍‌ ପିଛା ୮ଟଙ୍କା ୧୦ପଇସା ହିସାବରେ ୫୭ ଦିନର ଟଙ୍କା ଦିଆଯାଇଛି। ଏହି ଟଙ୍କା ସିଧାସଳଖ ଆକାଉଣ୍ଟ୍‌ ଜରିଆରେ ଦିଆଯାଇଥାଏ। ଯେଉଁମାନଙ୍କ ଆକାଉଣ୍ଟ୍‌ କୌଣସି କାରଣରୁ ଅଚଳ ଥାଏ, ସେମାନଙ୍କ ଅର୍ଥ ଶିକ୍ଷକ ମାନେ ସ˚ପୃକ୍ତ ପିଲାଙ୍କ ଅଭିଭାବକଙ୍କୁ ସ୍କୁଲ୍‌କୁ ଡକାଇ ଦେଇଥାନ୍ତି। ଏହି କ୍ରମରେ ମଧୢାହ୍ନ ଭୋଜନ ବାବଦକୁ ଯେଉଁ ଚାଉଳ ଓ ଟଙ୍କା ମିଳିଛି, ତାକୁ ଅଭିଭାବକ ହିସାବରେ ବାପା ନେଇଯାଇଛନ୍ତି ବୋଲି ଝିଅ ସ˚ଗୀତା ଅଭିଯୋଗ କରିଛନ୍ତି। ଏହାସହିତ ଉକ୍ତ ଟଙ୍କା ଓ ଚାଉଳ ବାପାଙ୍କଠୁ ଆଣି ତାଙ୍କୁ ଦେବାକୁ ଝିଅ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବାପା ଚାଉଳ ଓ ଟଙ୍କା ନେଇଯାଉଥିବା ଅଭିଯୋଗକୁ ଜିଲ୍ଲାଶିକ୍ଷାଧିକାରୀ ସ˚ଜୀବ କୁମାର ସି˚ହ ଖଣ୍ତନ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଘଟଣାର ତଦନ୍ତ ହୋଇଛି। ତଦନ୍ତରୁ ଝିଅର ବାପା ଟଙ୍କା କିମ୍ବା ମଧୢାହ୍ନ ଭୋଜନ ନେଇ ନଥିବା ଜଣାପଡ଼ିଛି। ଝିଅର ବାପା ଟଙ୍କା ନେବା ପାଇଁ ସ୍କୁଲ୍‌କୁ ଆସିଥିଲେ ବି ଶିକ୍ଷକ ତାଙ୍କୁ ଦେଇ ନାହାନ୍ତି। ସମସ୍ତ ଟଙ୍କା ଓ ଚାଉଳ ଝିଅକୁ ହିଁ ଦିଆଯିବ ବୋଲି ଶ୍ରୀ ସି˚ହ କହିଛନ୍ତି।

The post ଜିଲ୍ଲାପାଳଙ୍କୁ ନାବାଳିକା ଛାତ୍ରୀର ଗୁହାରି, ବାପା ନେଇ ଯାଉଛନ୍ତି ମଧ୍ୟାହ୍ନଭୋଜନ ଟଙ୍କା, ଚାଉଳ first appeared on Sambad.



from ଜିଲ୍ଲା – Sambad https://ift.tt/2Ki0KS2