ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧୢରେ ପ୍ରବାହିତ ପାଟ୍ଟଶାଳା ନଦୀରୁ ଆଜି ଏକ ୫ ଫୁଟ ୧୦ ଇଞ୍ଚ ଲମ୍ବ ମାଈ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି। ଏହି କୁମ୍ଭୀରଟି ୪/୫ ଦିନ ତଳୁ ମରିଥିବା କୁହାଯାଉଛି। ବନ କର୍ମଚାରୀଙ୍କ ଉପସ୍ଥିତିରେ ଅତିରିକ୍ତ ପଶୁ ଚିକିତ୍ସା ଅଧିକାରୀ ଡା. ଦେବୀ ପ୍ରସାଦ କୁଣ୍ତ ମୃତ କୁମ୍ଭୀରର ଶବ ବ୍ୟବଚ୍ଛେଦ କରିଛନ୍ତି। ବ୍ୟବଚ୍ଛେଦ ପରେ ଡା. କୁଣ୍ତଙ୍କ ସୂଚନା ଦେଇ କହିଛନ୍ତି ଯେ, ନଈ ଭିତରେ ଲଢେଇ ଯୋଗୁଁ ଏହି ମାଈ କୁମ୍ଭୀରର ମୃତ୍ୟୁ ଘଟିଛି। ଏହି କୁମ୍ଭୀରର ମୁହଁ ପାଖରେ ଖଣ୍ତିଆ ଚିହ୍ନ ରହିଛି। ଅନ୍ୟ କେଉଁଠି କୌଣସି ଚିହ୍ନ ନାହିଁ। କିମ୍ବା ଅନ୍ୟ କୌଣସି ରୋଗ ପାଇଁ ମୃତ୍ୟୁବରଣ କରି ନ ଥିବା ସେ କହିଛନ୍ତି।

ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ବୋଲି କୁହାଯାଏ। ଏଠାରେ ୧୮ଶହରୁ ଅଧିକ ବଉଳା କୁମ୍ଭୀର ଅଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନ ମଧୢରେ ପ୍ରବାହିତ ନଈ ନାଳରେ କୁମ୍ଭୀର ସ˚ଖ୍ୟା ବୃଦ୍ଧି ପାଉଥିବାବେଳେ ସେମାନଙ୍କ ପାଇଁ ସ୍ଥାନାଭାବ ସମସ୍ୟା ସୃଷ୍ଟି ହୋଇଛି। ଭିତରକନିକା ମଧୢରେ ପ୍ରବାହିତ ନଈନାଳରେ ଥିବା କୁମ୍ଭୀରଙ୍କ ପାଇଁ ସ୍ଥାନ ଅଭାବରୁ ଅଧିକା˚ଶ ସମୟରେ କୁମ୍ଭୀରଙ୍କ ମଧ୍ୟରେ ଲଢେଇ ହୋଇଥାଏ। ୫ ବର୍ଷ ତଳେ ଖୋଳା ନିକଟରେ ପାଟ୍ଟଶାଳା ନଈରେ ଦୁଇ କୁମ୍ଭୀରଙ୍କ ମଧୢରେ ସଂଘର୍ଷ ପରେ ଗୋଟିଏ କୁମ୍ଭୀରର ମୃତ୍ୟୁ ଘଟିଥିଲା। ସେତେବେଳେ କୁମ୍ଭୀର ଲଢେଇ ଘଟଣା ମୋବାଇଲରେ ରେକର୍ଡ ହୋଇଥିଲା। ଯାହାକି ସେତେବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା।

The post ଭିତରକନିକା ନଈ ଭିତରେ ଲଢ଼େଇ, ୬ ଫୁଟର ମାଈ କୁମ୍ଭୀର ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/3pCviy7