
ପୁରୁଣାକଟକ: କିଛି ବ୍ୟକ୍ତିଙ୍କ ମହନୀୟତା ଯୋଗୁଁ ତଥାପି ବଂଚିଛି ମାନବିକତା। ନିଜର ୭ ବର୍ଷର ଶିଶୁପୁତ୍ରର ଶବକୁ ତା’ର ବାପା କାନ୍ଧରେ ବୋହି ଘରକୁ ଯାଉଥିବାବେଳେ ସହୃଦୟତା ଦେଖାଇ ଜଣେ ଯୁବକ ତାଙ୍କ କାର୍ରେ ନେଇ ଘରେ ଛାଡ଼ିବା ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଡ଼ ଗ୍ରାମର ଶେଷଦେବ ପ୍ରଧାନଙ୍କ ୭ ବର୍ଷର ପୁଅ ରାଜେନ୍ଦ୍ରର ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ମଙ୍ଗଳବାର ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଶବ ଘରକୁ ନେବା ଲାଗି ତାଙ୍କୁ ମହାପ୍ରଣାୟ ଗାଡ଼ି ମିଳିଲାନି। ଆଉ ଗାଡ଼ିଭଡ଼ା କରି ପୁଅର ମୃତଦେହ ଘରକୁ ନେବାପାଇଁ ଅର୍ଥ ନଥିବାରୁ ବାପା ଶେଷଦେବ କାନ୍ଧରେ ବୋହି ଚାଲିଚାଲି ଘରକୁ ଯାଉଥିଲେ। ପଛେପଛେ କାନ୍ଦି କାନ୍ଦି ଚାଲିଥିଲେ ମା’। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖି ପୁରୁଣାକଟକର ପ୍ରଦୀପ ଛତ୍ରିଆ ବାଟରେ ସେମାନଙ୍କୁ ଅଟକାଇଥିଲେ। ଆଉ ନିଜ କାର୍ରେ ଶିଶୁର ଶବ ସହିତ ତା’ର ବାପାମାଙ୍କୁ ନେଇ ମୂଷାଡ଼ ଗ୍ରାମରେ ଛାଡ଼ିଥିଲେ। ପ୍ରଦୀପଙ୍କ ଏହି ମହନୀୟ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ମୃତ ଶିଶୁର ପରିବାର ଲୋକ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
The post ଭଲ ଖବର: ଶିଶୁର ଶବକୁ କାନ୍ଧରେ ବୋହି ନେଉଥିଲେ ବାପା-ମା’ first appeared on Sambad.
from ଜିଲ୍ଲା – Sambad https://ift.tt/2ILEGyH
0 Comments