କବିସୂର୍ଯ୍ୟନଗର : ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ପ୍ରତି ଆକୃଷ୍ଟ କରିପାରି ନଥିଲା। ଫଳରେ, ସେ ଚାକିରି ଛାଡ଼ି ଚାଷ କାମ କରି ଆତ୍ମନିର୍ଭର ହେବାକୁ ପଣ କଲେ। ଆଉ ନିଜର ନିଷ୍ଠା ଓ ଆପ୍ରାଣ ଉଦ୍ୟମ ପାଇଁ ଖୁବ୍ କମ୍ ଦିନରେ ସେ ଜଣେ ସଫଳ ଚାଷୀ ଭାବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଗଲେ। ଏମିତି ଜଣେ ସଫଳ ଚାଷୀ ହେଉଛନ୍ତି କବିସୂର୍ଯ୍ୟନଗରର ବାଉରୀବନ୍ଧୁ ସାହୁ(୬୦)।

ବାଉରୀବନ୍ଧୁଙ୍କ ପରିବାର କହିଲେ, ପତ୍ନୀ ଦମୟନ୍ତୀ ଓ ତିନି ପୁଅ ସୁଶାନ୍ତ, ମହେନ୍ଦ୍ର ଓ ବରୁଣ। ବାଉରୀବନ୍ଧୁ ଯୁକ୍ତ ଦୁଇ ପାସ୍ କରିବା ପରେ ତାଙ୍କୁ ଆସିକା କଞ୍ଜ୍ୟୁମର୍ ସୋସାଇଟିର ବ୍ରାଞ୍ଚ୍ ମ୍ୟାନେଜର୍ ଭାବେ ନିଯୁକ୍ତି ମିଳିଥିଲା। ହେଲେ ଚାଷ ପ୍ରତି ଥିବା ଦୁର୍ବଳତା ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା। ପତ୍ନୀଙ୍କ ପ୍ରେରଣା ଓ ଛତ୍ରପୁର ଉଦ୍ୟାନ ବିଭାଗର ପରାମର୍ଶକୁ ପାଥେୟ କରି ସେ ଚାଷ କ୍ଷେତ୍ରରେ ଅଧିକ ଧ୍ୟାନ ଦେଲେ ଓ ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଚାଲିଲେ। ତାଙ୍କର ଏହି ସଫଳତା ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଭିନ୍ନ ଏକ ପରିଚୟ ଦେବା ସହ ସେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଲେ।

ବର୍ତ୍ତମାନ ସେ ସ୍ଥାନୀୟ ଅରବିନ୍ଦ ନଗର ନଈପାରିରେ ୩୦ ଭରଣ ଜମିରେ ଧାନ, ୩ ଭରଣ ଜମିରେ ଫୁଲ ଓ କାଜୁ ଓ ୧ ଭରଣ ଜମିରେ ଗ୍ରାଡୋଲି ଚାଷ କରୁଛନ୍ତି। ବିଶେଷ କରି ହାଇବ୍ରିଡ଼୍ ଚାରା, ଜୈବିକ ସାର ଓ କୀଟନାଶକର ଉପଯୁକ୍ତ ବ୍ୟବହାର ଓ ପରିଚାଳନା ତାଙ୍କୁ ସଫଳ କରାଇଛି। କ୍ଷେତରେ ରୋଗ ପୋକ ଦମନ ପାଇଁ ସେ ନିଜେ ଜୈବିକ ସାର ପ୍ରସ୍ତୁତ କରି ପ୍ରୟୋଗ କରୁଛନ୍ତି। ନିମପତ୍ରକୁ ପୋଚ କରି ସେଥିରେ ଚଣାପିଡ଼ିଆ ବା ରାଜପିଡ଼ିଆ ମିଶାଇ ସେ ଏହି ଔଷଧ ତିଆରି କରୁଛନ୍ତି। ଯେଉଁଥି ପାଇଁ ଖୁବ୍ କମ୍ ଖର୍ଚ୍ଚ କରିବାକୁ ପଡ଼ୁଛି। ସେହିପରି ତାଙ୍କ ଉତ୍ପାଦିତ ଫୁଲ ଓ କାଜୁ ସ୍ଥାନୀୟ ବଜାରରେ ଅଧିକ ଚାହିଦା ରହୁଥିବାରୁ ତାକୁ ସେ ସହଜରେ ବିକ୍ରି କରି ଭଲ ରୋଜଗାର କରି ପାରୁଛନ୍ତି। ସ୍ଥାନୀୟ ସିଦ୍ଧେଶ୍ବର ସାଇ ମନ୍ଦିରକୁ ସେ ନିୟମିତ ୩୦୦ ଟଙ୍କାର ଫୁଲ ପ୍ରଦାନ କରୁଛନ୍ତି। ତାଙ୍କ ତିନି ପୁଅଙ୍କ ମଧ୍ୟରୁ ସାନ ପୁଅ ବରୁଣ ତାଙ୍କୁ ଚାଷ କାମରେ ସହଯୋଗ କରୁଥିବା ବେଳେ ଅନ୍ୟ ଦୁଇ ପୁଅ ବ୍ୟବସାୟ କରୁଛନ୍ତି। ଚାଷ କ୍ଷେତ୍ରରେ ଅନେକ ସୁଯୋଗ ରହିଥିବା ସେ ଯୁବପିଢ଼ିଙ୍କୁ କହିଛନ୍ତି। ସେମାନେ ହତୋତ୍ସାହିତ ନହୋଇ ଚାଷ କାମ କରି ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇଛନ୍ତି। ତେବେ ବନ୍ୟା, ବାତ୍ୟା ଓ ଜଙ୍ଗଲି ଜନ୍ତୁଙ୍କ ପାଇଁ ଅନେକ ଥର ଚାଷୀ ମାନେ କ୍ଷତି ସହୁଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ପରିସ୍ଥିତିରେ ସରକାର ସଠିକ୍ କ୍ଷତିପୂରଣ ପ୍ରଦାନ କଲେ ଚାଷୀର ମନୋବଳ ଦୃଢ଼ ରହିବ ବୋଲି ସେ ମତ ଦେଇଛନ୍ତି।

The post ଚାକିରି ଛାଡ଼ି ଆଜି ସଫଳ ଚାଷୀ ବାଉରୀବନ୍ଧୁ, ୩୪ ଭରଣ ଜମିରେ ଫଳାଇଛନ୍ତି ସୁନା first appeared on Sambad.



from ଜିଲ୍ଲା – Sambad https://ift.tt/2KdwdVz