
ଧର୍ମଗଡ଼ : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁପ୍ତଧନ ଖୋଳିବାକୁ ଯାଇଥିବା ଅଭିଯୁକ୍ତ ପୁଲିସ ଦ୍ବାରା ଗିରଫ ହେବା ଘଟଣା ସାଧାରଣ ଲୋକଙ୍କ ମନରୁ ଲିଭିନାହିଁ। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଗୁପ୍ତଧନ ଖୋଳୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ୨ତାନ୍ତ୍ରିକ ଅଟକ ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ତେବେ ଏହି ଘଟଣାରେ ଅନ୍ୟ ୭ଜଣ ତାନ୍ତ୍ରିକ ଫେରାର ହୋଇଯାଇଛନ୍ତି।
ସୂଚନାନୁଯାୟୀ ସୋମବାର ମଧ୍ୟରାତ୍ରିରେ ୯ରୁ ଊର୍ଦ୍ଧ୍ବ ତାନ୍ତ୍ରିକ ରଙ୍କାବାହାଲ୍ ଗାଁ ଖେଳ ପଡ଼ିଆରେ ତନ୍ତ୍ର ସାଧନା କରି ମନ୍ତ୍ରପାଠ ସହ ଗାତ ଖୋଳୁଥିଲେ। ଏହି ସମୟରେ କିଛି ଚାଷୀ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଉଥିଲେ। ଏହି ଘଟଣାକୁ ସେମାନେ ଦେଖି ଗାଁଲୋକଙ୍କୁ ଜଣାଇଥିଲେ। ଗ୍ରାମବାସୀ ତାନ୍ତ୍ରିକମାନଙ୍କୁ କାବୁ କରିଥିଲେ ମଧ୍ୟ କୌଶଳ କ୍ରମେ ୭ଜଣ ଖସି ପଳାଇଥିଲେ। ୨ଜଣ ତାନ୍ତ୍ରିକ, ତନ୍ତ୍ର ପୂଜାପାଠ ପାଇଁ ଆବଶ୍ୟକ ପୁସ୍ତକ, ମଣିଷ ହାଡ଼ ଓ ୩ଟି ବାଇକ୍କୁ ଗ୍ରାମବାସୀ ଧରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସାମଗ୍ରୀକୁ ଜବତ କରି ଘଟଣାର ତଦନ୍ତ କରୁଛି। ତାନ୍ତ୍ରିକ ୨ଜଣ ଜୁନାଗଡ଼ ଏବଂ କଲମପୁର ଅଞ୍ଚଳର ଯୋଗେଶ୍ୱର ବଛା ଓ ଶରତ ଖରସେଲ ବୋଲି ଧର୍ମଗଡ଼ ଥାନାଧିକାରୀ ଚନ୍ଦ୍ରଶେଖର ଶବର କହିଛନ୍ତି।
The post ଗୁପ୍ତଧନ ଖୋଳିବାକୁ ଯାଇ ୨ ତାନ୍ତ୍ରିକ ଅଟକ, ୭ ଫେରାର first appeared on Sambad.
from ଜିଲ୍ଲା – Sambad https://ift.tt/32aj1Xy
0 Comments