
ଖୁଣ୍ଟୁଣୀ: କୋଭିଡ୍ କଟକଣା ତଥା ବିନା ଶ୍ରଦ୍ଧାଳୁରେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କଟକ ଜିଲ୍ଲା ଆଠଗଡ଼ର ଶ୍ରୀଶ୍ରୀ ବାବା ଧବଳେଶ୍ୱରଙ୍କ ପ୍ରସିଦ୍ଧ ପଞ୍ଚକ ଓ ବଡ଼ଓଷା ଯାତ୍ରା ଶେଷ ହୋଇଛି। ଆଜି ପବିତ୍ର କାର୍ତ୍ତିକ ମାସର ଅନ୍ତିମ ଦିବସ ରାସ ପୂର୍ଣ୍ଣିମା ଅବସରରେ ନୀତି ନିର୍ଘଣ୍ଟ ମୁତାବକ ପାଳିଆ ସେବକ ପ୍ରକାଶ ପତ୍ରି ଭୋର ୪ଟାରୁ ଠାକୁରଙ୍କ ପହୁଡ଼ ଖୋଲିଥିଲେ। ଏହାପରେ ମଙ୍ଗଳ ଆଳତି, ଶ୍ରୀମୁଖ ପଖାଳ, ଭିତର ଶୋଧ ସହ ଅଗୁରୁ, ଚନ୍ଦନ, ଶ୍ରୀକର୍ପୁର ଆଦି ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ଗରା ନଦୀଜଳରେ ପ୍ରଭୁଙ୍କ ସ୍ନାନ ମାର୍ଜନା ନୀତି ସମ୍ପନ୍ନ କରା ଯାଇଥିଲା। ବାବାଙ୍କ ନିକଟରେ ସକାଳ ଧୂପ, ଆଳତି, ଖେଚୁଡ଼ି ଭୋଗ ଲାଗି କରାଯିବା ସହ ପବିତ୍ର ପୂର୍ଣ୍ଣିମାରେ ଦେବଦୁର୍ଲଭ ଯୋଗୀ ବେଶରେ ଧବଳେଶ୍ବରଙ୍କୁ ସଜ୍ଜିତ କରାଯାଇଥିଲା। ଦିନ ୧୦ଟାରେ ମଧ୍ୟାହ୍ନ ଧୂପ ଶଙ୍କୁଡ଼ି ଭୋଗ, ଘର୍ଷଣ ଭୋଗ ଓ ପାଳୁଅ ଭୋଗ ଠାକୁରଙ୍କୁ ଲାଗି ହୋଇଥିଲା।
ଅପରାହ୍ନ ୫ଟାରେ ପୁନଃ ଠାକୁରଙ୍କ ସ୍ନାନ, ଫୁଲଚନ୍ଦନ ବିଲ୍ବପତ୍ର ଅର୍ପଣ କରାଯାଇ ସନ୍ଧ୍ୟାରେ ସନ୍ଧ୍ୟାଧୂପ, ଆଳତି ଓ ବାଳଭୋଗ ନୀତି ଶେଷ କରାଯାଇଥିଲା। ରାତ୍ରିର ପ୍ରଥମ ପ୍ରହରରେ ଦହିପଖାଳ ଭୋଗ ଲାଗି କରାଯାଇ ମନ୍ଦିର ପହଡ଼ ଦିଆଯାଇଥିବା ପାଳିଆ ସେବକ ପ୍ରକାଶ ପତ୍ରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମହାମାରୀ କରୋନା ଯୋଗୁଁ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ଥିବାରୁ ଆଠଗଡ଼ ପ୍ରଶାସନ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ବିନା ଭକ୍ତରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରଦ୍ଧାଳୁମାନେ ପୀଠକୁ ନ ଆସି ଘରେ ରହି ପ୍ରଭୁ ଧବଳେଶ୍ୱରଙ୍କ ଆରାଧନା କରିବା ଲାଗି ଉପଜିଲ୍ଲାପାଳ ନିବେଦନ କରିଥିଲେ। ସେହିପରି ପୀଠ ଓ ତତ୍ସଂଲଗ୍ନ ଅଞ୍ଚଳରେ ପ୍ରଶାସନ ତରଫରୁ ୨୫ତାରିଖ ପହିଲି ପଞ୍ଚକରୁ ୩୦ତାରିଖ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିଲା। ଦେବୋତ୍ତର ବିଭାଗ ଓ ପ୍ରଶାସନ ଉପସ୍ଥିତିରେ ପୂଜକ ସମିତି କାର୍ଯ୍ୟକର୍ତ୍ତା ଓ ନୀତିପାଳିଆ ସେବକମାନେ ପୀଠରେ ଧବଳେଶ୍ୱରଙ୍କ ପଞ୍ଚକ, ବଡ଼ଓଷା ନୀତିକାନ୍ତି, ପୂଜା ଓ ଦୁର୍ଲଭ ବେଶ ନୀତି ସୂଚାରୁ ରୂପେ ସମ୍ପାଦନ କରିଥିଲେ।
The post କୋଭିଡ୍ କଟକଣାରେ ଶେଷ ହେଲା ବାବା ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା; ଯୋଗୀ ବେଶରେ ସଜ୍ଜିତ ହେଲେ ପ୍ରଭୁ ଧବଳେଶ୍ବର first appeared on Sambad.
from ଜିଲ୍ଲା – Sambad https://ift.tt/36paQcf
0 Comments