କଟକ: ଆପଣ ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ଅଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। କାରଣ, ଆପଣ ଯଦି ଲକ୍ଷଣ ଥାଇ ମଧ୍ୟ ଯଦି କରୋନା ପରୀକ୍ଷା ନକରି ଡାକ୍ତରଙ୍କ ପରାମର୍ଶ ବିନା ନିକଟସ୍ଥ ଔଷଧ ଦୋକାନରୁ ଔଷଧ କିଣି ଖାଉଛନ୍ତି। ତା’ହେଲେ ଆପଣଙ୍କ ଫୋନ୍‌ ଟ୍ରାକ୍‌ ରଖିବ ସ୍ବାସ୍ଥ୍ୟ ବିଭାଗ। ଲକ୍ଷଣ ଥାଇ ମଧ୍ୟ ଯେଉଁମାନେ ଔଷଧ ଦୋକାନରୁ ଔଷଧ କିଣି ଖାଇବେ ସେମାନଙ୍କ ନାଁ, ଠିକଣା, ଫୋନ ନମ୍ବର ସ୍ବାସ୍ଥ୍ୟ ବିଭାଗକୁ ଦେବାପାଇଁ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଛି।

ଏପଟେ କଟକରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ଶୂନକୁ ଆସୁନି। ପୂର୍ବରୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩-୪ଶହ ଟପୁଥିଲା ଓ ମୃତ୍ୟୁସଂଖ୍ୟା ୧୫ ଉପରକୁ ରହୁଥିଲା। ହେଲେ ଏବେ ସଂକ୍ରମଣ ଶହେ, ଏପରିକି ୫୦ ତଳକୁ ମଧ୍ୟ ଖସିଲାଣି। କିନ୍ତୁ ମୃତ୍ୟୁସଂଖ୍ୟା ୩ରୁ ୫ ଭିତରେ ରହୁଛି। ଆଗକୁ କରୋନାର ଦ୍ବିତୀୟ ଲହରିକୁ, ଅର୍ଥାତ୍‌ ଡିସେମ୍ବରକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି। ଫଳରେ କିପରି ଅଧିକରୁ ଅଧିକ ଟେଷ୍ଟିଂ କରାଯିବ ଓ ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିହ୍ନଟ ସହ ଡାକ୍ତରଖାନା ଆସୁଥିବା ସମସ୍ତ ରୋଗୀଙ୍କ କୋଭିଡ୍‌ ପରୀକ୍ଷା କିପରି କରାଯିବ ସେ ସଂପର୍କରେ ସିଡିଏମ୍‌ଓଙ୍କ ଅଧ୍ୟକ୍ଷତା‌ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। 

nari.punjabkesari.in

କଟକରେ ନଭେମ୍ବରରେ କରୋନା ସଂକ୍ରମଣ ଶହେ ଭିତରେ ସୀମିତ ରହିଥିଲେ ବି ଘରେ ଘରେ ଜ୍ବର, ଥଣ୍ଡା ଲାଗିରହିଛି। ହେଲେ, ଲକ୍ଷଣ ଥିଲେ ବି କୋଭିଡ୍‌ ପରୀକ୍ଷା ପାଇଁ ଆସୁ ନାହାନ୍ତି ଲୋକ। ଏପରିକି ଲକ୍ଷଣ ଥିବା ସଂପର୍କରେ ଖବର ପାଇ ତାଙ୍କ ପାଖକୁ କେହି ସ୍ବାସ୍ଥ୍ୟକର୍ମୀ ଗଲେ ବି ସେମାନେ ପରୀକ୍ଷା ପାଇଁ ଆସୁ ନାହାନ୍ତି। ବରଂ କୋଭିଡ୍‌ ପରୀକ୍ଷାକୁ ନେଇ ଅନେକ ସ୍ଥାନରେ ବିବାଦୀୟ ପରିସ୍ଥିତି ବି ଉପୁଜିଲାଣି। ‘ଆମେ ଔଷଧ ଖାଇସାରିଛୁ ଓ ଅମୁକ ଅମୁକ ଔଷଧ ଖାଇଛୁ’ ବୋଲି ବି ଅନେକ କହୁଛନ୍ତି। ଏବେ କରୋନା ସଂକ୍ରମଣ କମିଛି। ଆଗେ ଶହେ ପରୀକ୍ଷାରେ ୩୦/୩୫ ଆସୁଥିବାବେଳେ ଏବେ ମାତ୍ର ୨/୩ଟି ଆସୁଛି। ସେହିପରି ପୂର୍ବରୁ ମୃତ୍ୟୁସଂଖ୍ୟା ଦିନକରେ ୨୫ବି ପାର ହୋଇଛି କଟକରେ।

ଏବେ ତାହା ଦିନକୁ ୪/୫ ଭିତରେ ରହୁଛି। ହେଲେ ଏହା କିପରି ଶୂନ ହେବ ଓ ସମସ୍ତ ଲକ୍ଷଣଯୁକ୍ତ ରୋଗୀଙ୍କ କୋଭିଡ୍‌ ପରୀକ୍ଷା କରାଯାଇପାରିବ ଓ ସେମାନଙ୍କୁ ଚିହ୍ନଟ ସହ ଚିକିତ୍ସା ଉପରେ ଫୋକସ୍‌ କରିଛି ସ୍ବାସ୍ଥ୍ୟ ବିଭାଗ। ଫଳରେ ଚିହ୍ନଟ ପାଇଁ ପୁଣି ସ୍ବତନ୍ତ୍ର ଅଭିଯାନ ସହ ଅଧିକରୁ ଅଧିକ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା କୋଭିଡ୍‌ ନୋଡାଲ ଅଫିସର ଡାକ୍ତର ଉମେଶ ରାୟ ସୂଚନା ଦେଇଛନ୍ତି। ଅନ୍ୟପଟେ ଡିସେମ୍ବର ମାସକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଉଛି। ତେବେ ‌ଏବେ ସଂକ୍ରମିତଙ୍କ ସଂଖ୍ୟା କମିଥିବାରୁ କୋଭିଡ୍‌ ହସ୍ପିଟାଲଗୁଡିକରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯିବା ସହ ବେଡ୍‌ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି।

The post ଥଣ୍ଡା, କାଶ, ଜ୍ବର ପୀଡ଼ିତ ସାବଧାନ! ଡାକ୍ତରୀ ପରାମର୍ଶ ବିନା ଔଷଧ ନେଲେ ତଥ୍ୟ ପାଇଯିବ ସ୍ବାସ୍ଥ୍ୟ ବିଭାଗ first appeared on Sambad.



from ଜିଲ୍ଲା – Sambad https://ift.tt/2IZzFCp