ବାହାନଗା: ପୁଣି ଜାଲରେ ଲାଗିଲା ଟାର୍ଗେଟ ମିସାଇଲର ଭଗ୍ନାଂଶ, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ବାହାନଗା: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ହେଉଥିବା ସ୍ୱଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ ଦିନକୁଦିନ ମତ୍ସ୍ୟଜୀବିଙ୍କ ପାଇଁ ବିପଦର କାରଣ ବନୁଛି। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ ମିସାଇଲ ପରୀକ୍ଷଣ ପରେ ବଙ୍ଗୋପସାଗର ତଟ ନିକଟ ସମୁଦ୍ରରେ ପଡୁଛି। ଫଳରେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବିଙ୍କ ଜାଲରେ ମିସାଇଲର ଭଗ୍ନାଂଶ ଛନ୍ଦିହେବା ସହିତ ବିଭିନ୍ନ ସମୟରେ ବିପଦ ସୃଷ୍ଟି ହେଉଛି।

ଗତକାଲି ଆକାଶରୁ ଆକାଶ ମଧ୍ୟରେ ଲକ୍ଷଭେଦ କରୁଥିବା ଟାର୍ଗେଟ ମିସାଇଲ ପୂର୍ବାହ୍ନରେ ସଫଳ ପରୀକ୍ଷଣ ହୋଇଥିଲା। ହେଲେ ମିସାଇଲର ଭଗ୍ନାଂଶ ସମୁଦ୍ରରେ ଖସି ପଡିଥିଲା। ଗତକାଲି ରାତିରେ ପଞ୍ଚୁବିଶା ଜେଟିରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଖରାସାହାପୁର ମାଝୀ ସାହି ବାସିନ୍ଦା ହରିହର ମାଝୀ, ମହେନ୍ଦ୍ର ମାଝୀ, କୃଷ୍ଣଚନ୍ଦ୍ର ବେହେରାଙ୍କ ଜାଲରେ ଭୋର ୪ଟା ସମୟରେ ମିସାଇଲର ଭଗ୍ନାଂଶ ଜାଲରେ ଛନ୍ଦି ଯାଇଥିଲା। ଏହି ସମୟରେ ଜେଟିରୁ ୧୦କିମି ଭିତରେ ଥିବା ମତ୍ସ୍ୟଜୀବିଙ୍କ ଜାଲ ନଷ୍ଟ ହେବା ସହିତ ସେମାନେ ସୌଭାଗ୍ୟବଶତ ବଡ଼ ଧରଣର ବିପଦରୁ ବର୍ତ୍ତି ଯାଇଥିଲେ।

ସମୁଦ୍ର ଜଳର ପ୍ରଖର ଅନ୍ତଃସ୍ରୋତ ପାଇଁ ମିସାଇଲ ଭଗ୍ନାଂଶ ଜୋରରେ ଜାଲରେ ଗୁଡ଼େଇଯିବାରୁ ବଡ଼ ଧରଣର ବିପଦ ଅଳ୍ପକେ ଟଳି ଯାଇଥିଲା। ତେବେ ବାରମ୍ବାର ପରୀକ୍ଷଣ ହେଉଥିବାରୁ ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ ତରଫରୁ ମତ୍ସ୍ୟଜୀବିଙ୍କୁ ଆଗୁଆ ସୂଚନା ଦେବାକୁ ଦାବି ହୋଇଛି।

The post ବାହାନଗା: ପୁଣି ଜାଲରେ ଲାଗିଲା ଟାର୍ଗେଟ ମିସାଇଲର ଭଗ୍ନାଂଶ, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ first appeared on Sambad.



from ଜିଲ୍ଲା – Sambad https://ift.tt/3l3nmmS

Post a Comment

0 Comments