
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ବାଇବାଲି ଜଙ୍ଗଲରେ ଗତ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଗୁଳି ବିନିମୟ ପରେ ପଛକୁ ହଟିଛନ୍ତି ମାଓବାଦୀ। ଜାଗା ଛାଡ଼ିବା ପରେ ସଂପୃକ୍ତ ଜଙ୍ଗଲ ଇଲାକରେ ସର୍ଚ୍ଚ ଅପରେସନ୍ ବେଳେ ଏକ ଦେଶୀ ବନ୍ଧୁକ, ଏକ ରାଉଣ୍ଡ ଜୀବନ୍ତ ଗୁଳି, ବ୍ୟାଟେରି ଓ ପୁସ୍ତକ ଯବାନମାନେ ଠାବ କରିଛନ୍ତି। ଓଡ଼ିଶା ରାଜ୍ୟ କମିଟି ସଂଗଠନର ୨୦ରୁ ୨୫ ଜଣ ମାଓବାଦୀ ଜଙ୍ଗଲରେ ଥିଲେ ବୋଲି ଅପରେସନ୍ର ନେତୃତ୍ବ ନେଇଥିବା ଅଧିକାରୀ ସୂଚନା ଦେଇଛନ୍ତି। ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ। କମ୍ବିଂ ଅପରେସନ୍ ସମୟରେ ମାଓବାଦୀମାନେ ପ୍ରଥମେ ଯବାନ୍ଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଜବାବରେ ମାଓବାଦୀ ସେ ଜାଗା ଛାଡ଼ି ପଛଘୁଞ୍ଚା ଦେଇଛନ୍ତି ବୋଲି ଏସ୍.ପି ବିନୀତ୍ ଅଗ୍ରୱାଲ୍ କହିଛନ୍ତି। ସଂପୃକ୍ତ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରା ଯାଉଥିବା ବେଳେ କମ୍ବିଂ ଅପରେସନ୍କୁ ଜୋର୍ଦାର କରାଯାଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ପ୍ରୋବେସନର୍ ଆଇପିଏସ୍ ନିତେଶ ୱାଧିଆନ୍ ଏବଂ ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଗତ ଜୁଲାଇ ମାସରେ ପୁଲିସ ଗୁଳିରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଗତ ସେପ୍ଟେମ୍ବର ୯ ତାରିଖରେ କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ଯବାନଙ୍କ ଗୁଳିରେ ୫ ଜଣ ମାଓବାଦୀ ପ୍ରାଣ ହରାଇଥିଲେ। ୩ ମାସ ମଧ୍ୟରେ ପୁଲିସ ସହ ଲଢ଼େଇରେ ୧୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାରୁ ରକ୍ତମୁଖା ହୋଇ ପଡ଼ିଛନ୍ତି ମାଓବାଦୀ। ହେଲେ କନ୍ଧମାଳରେ ଅପରେସନ୍ରେ ସାମିଲ୍ ଥିବା ଯବାନ୍ଙ୍କୁ ଟକ୍କର ଦେବାକୁ ସାହସ କରି ପାରୁ ନ ଥିବାରୁ ପୋଷ୍ଟର ଓ ବ୍ୟାନର୍ ମାରି ନିଜ ଉପସ୍ଥିତି ଜାହିର କରିବାକୁ ସେମାନେ ବାରମ୍ବାର ଉଦ୍ୟମ ଚଳାଇଛନ୍ତି।
The post ପଛକୁ ହଟିଲେ ମାଓବାଦୀ : ବନ୍ଧୁକ, ବ୍ୟାଟେରି ଓ ପୁସ୍ତକ ଠାବ, କମ୍ବିଂ ଜାରି first appeared on Sambad.
from ଜିଲ୍ଲା – Sambad https://ift.tt/2HXolWS
0 Comments