ବ୍ରହ୍ମପୁର : ନିକଟରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସରିଛି। ଆଗକୁ ପିପିଲି ଉପନିର୍ବାଚନ। ୨ ବର୍ଷ ତଳୁ କାର୍ଯ୍ୟକାଳ ସରିଥିଲେ ହେଁ ପୌର ନିର୍ବାଚନ କେବେ ହେବ ଅନିଶ୍ଚିତ। ଏବେ ସବୁ ରାଜନୈତିକ ଦଳର ଫୋକସ୍‌ ଆଗାମୀ ୨୦୨୨ ପଞ୍ଚାୟତ ନିର୍ବାଚନ। ଏଥିଲାଗି ବିଗତ କିଛି ମାସ ତଳୁ ଯଦିଓ ଗାଁ ରାଜନୀତି ପାଣିପାଗ ବଦଳିବା ଲକ୍ଷ୍ୟ କରାାଇଛି, ଏବେ ଧୀରେ ଧୀରେ ତାତି ବଢ଼ିବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମରେ ବିଚିତ୍ର ଚିତ୍ର ସାମ୍ନାକୁ ଆସୁଛି। ୨୦ ବର୍ଷ ତଳେ କ˚ଗ୍ରେସ ଗଡ଼କୁ ଧ୍ବସ୍ତ କରି ଜିଲ୍ଲାରେ ସର୍ବଶକ୍ତିମାନ ହୋଇଥିବା ବିଜେଡି ସଂଗଠନ ଏକପ୍ରକାର ସଙ୍କଟରେ। ସଂକଟ ବିରୋଧୀ ରାଜନୈତିକ ଦଳ ଆଡୁ ନୁହେଁ, ବରଂ ଗଞ୍ଜାମ ବିଜେଡି ଭିତରେ ନେତୃତ୍ବ ଓ କ୍ଷମତାକୁ ନେଇ ଅନ୍ତର୍ଦ୍ବନ୍ଦ୍ବ। ବିରୋଧୀଙ୍କ ଅସ୍ତିତ୍ବ ନଥିବା ବେଳେ ‘ଗୃହ ଶତ୍ରୁ ବିଭୀଷଣ’ ଭଳି ଗଞ୍ଜାମରେ ବିଜେଡିର ଶତ୍ରୁ ବିଜେଡି ସାଜିଛି। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଏହା ମହାଙ୍ଗା ପଡ଼ିପାରେ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଗତ ୨୦୧୯ ନିର୍ବାଚନ ପୂର୍ବରୁ ଗୋପାଳପୁର ନିର୍ବାଚନମଣ୍ତଳୀର ରଙ୍ଗେଇଲୁଣ୍ତା ବ୍ଲକ୍‌ରେ ବିଜେଡିରେ ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଞ୍ଚିଛି। ପୂରା ବ୍ଲକ୍‌ ବିଜେଡି ସଂଗଠନ, ପଞ୍ଚାୟତ ନିର୍ବାଚିତ ପଞ୍ଚାୟତ ବିଧାୟକଙ୍କୁ ବିଜେଡ଼ି ଏକ ଗୋଷ୍ଠୀ ହିଁ ବିରୋଧ କରି ଅଡ଼ୁଆ ପକାଇବାକୁ ଚେଷ୍ଟା ଚଳାଇଛନ୍ତି। କରୋନା ପରିଚାଳନାରେ ସ୍ଥାନୀୟ ପ୍ରଶାସନ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ୍‌ କରିବା ନେଇ ରାଜ୍ୟ ସରକାରଙ୍କୁ ଉପଯୁକ୍ତ ପରାମର୍ଶ ଦେଇଥିବା ଗୋପାଳପୁର ବିଧାୟକଙ୍କୁ ଦଳବିରୋଧୀ ମନ୍ତବ୍ୟ ଦେଇଥିବା ଦର୍ଶାଇ ରାଜ୍ୟ ନେତୃତ୍ବକୁ ଉସ୍‌କାଇବା ଓ କୋଣଠେସା କରିବା ଭଳି ଉଦ୍ୟମ ଏହି ଗୋଷ୍ଠୀର କାମ। ପୁରୁଷୋତ୍ତମପୁର ବ୍ଲକ୍‌ରେ ବିଜେଡି ସ୍ଥିତି ଆହୁରି ଦୟନୀୟ। ବିଜେଡି ବ୍ଲକ୍‌ ଅଧ୍ୟକ୍ଷଙ୍କୁ ହଟାଇବା ଲାଗି ବିଜେଡିର ଏକ ଗୋଷ୍ଠୀ ହିଁ ଦୀର୍ଘଦିନ ହେଲା ଉଦ୍ୟମ ଚଳାଇ ଆସିବା ଏବଂ ଶେଷରେ ଉପରୁ ଚାପ ପଡ଼ିବା ପରେ ଲାଙ୍ଗୁଡ଼ ଜାକିବା ଆଉ ଏକ ଉଦାହରଣ। ପୁରୁଷୋତ୍ତମପୁର ବ୍ଲକ୍‌ର କିଛି ଅ˚ଶ ଖଲ୍ଲିକୋଟ ଏବ˚ କିଛି କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀରେ ରହିଛି। ଏହି ବ୍ଲକ୍‌ରୁ ଦୁଇ ଜଣ ବିଧାୟିକା ପ୍ରତିନିଧିତ୍ବ କରୁଥିଲେ ହେଁ ଦଳୀୟ ସ˚ଗଠନର ମତଭେଦ ବଢ଼ି ଚାଲିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଛତ୍ରପୁର ନିର୍ବାଚନମଣ୍ତଳୀ ବିଧାୟକ ପ୍ରିୟାଂଶୁ ପ୍ରଧାନ ଦଳ ଭିତରୁ ପ୍ରବଳ ବିରୋଧ କାରଣରୁ ତାଙ୍କୁ ଟିକେଟ ମିଳି ନ ଥିଲା। ଏହାପର ଠାରୁ ସେ ଏକରକମ ଚୁପ୍‌। ଗଞ୍ଜାମ ଓ ଛତ୍ରପୁର ପଞ୍ଚାୟତ ସମିତିରେ କିଛି ସରପଞ୍ଚ ଓ ସମିତି ସଭ୍ୟ ପ୍ରିୟାଂଶୁ ଅନୁଗତ ରହିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଛତ୍ରପୁର ନିର୍ବାଚନମଣ୍ତଳୀରେ ପ୍ରିୟାଂଶୁ ଏକ ଫ୍ୟାକ୍ଟର୍‌ ହୋଇପାରନ୍ତି ବୋଲି କୁହାଯାଉଛି। ସେ ସୁଯୋଗ ଅପେକ୍ଷାରେ ଥିବା ଚର୍ଚ୍ଚା ହେଉଛି। କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀ ବିଜେଡି ଖେଚୁଡ଼ି ସ୍ଥିତିରେ। ଆସିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆସିକା ବ୍ଲକ୍‌ରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଶତ୍ରୁ ସାଜିଥିଲା ବିଜେଡି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଯଥେଷ୍ଟ ସୁଧାର ଆସିଛି। ଆଗାମୀ ଦିନରେ କ’ଣ ହେବ ତାହା ସମୟ କହିବ। ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ନୂଆ ଓ ପୁରୁଣା ବିଜେଡିରେ ତିକ୍ତତା ସଂଗଠନରେ ବ୍ୟବଧାନ ବଢ଼ାଇ ଚାଲିଛି। ଅସନ୍ତୋଷ ବାହାରକୁ ଆସୁ ନ ଥିଲେ ହେଁ ସମସ୍ତେ ସୁଯୋଗ ଅପେକ୍ଷାରେ ଥିବା କୁହାଯାଉଛି। ଏଭଳି ଭାବେ ଦେଖିଲେ ଜିଲ୍ଲାର ଅଧିକା˚ଶ ବ୍ଲକ୍‌ରେ ବିଜେଡି ଗୋଷ୍ଠୀ କନ୍ଦଳରେ ଉବୁଟୁବୁ ହେଉଛି।

ଅନ୍ୟପକ୍ଷରେ, ଜିଲ୍ଲା ବିଜେଡି ସଭାପତି ଥବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସ୍ଥାନରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଜିଲ୍ଲା ସଭାପତି ମଙ୍ଗ ଧରାଇଛନ୍ତି। କିନ୍ତୁ ଜିଲ୍ଲା ଟିମ୍‌ ଏ ଯାବତ୍‌ ପୁନର୍ଗଠନ ହୋଇନି। ବ୍ଲକ୍‌ ସଭାପତି ଓ କର୍ମକର୍ତ୍ତା ଚୟନ ହୋଇନି। ଅନୁପ୍ରବେଶକାରୀଙ୍କୁ ଗୁରୁତ୍ବ ଦିଆ ଯାଉଥିବା, ବର୍ଷ ବର୍ଷ ଧରି ପରିଶ୍ରମ କରି ଦଳ ପାଇଁ କାମ କରିଥିବା ଯୁବ ଗୋଷ୍ଠୀଙ୍କୁ ଅଣଦେଖା, ଗୁରୁତ୍ବ ହରାଇଥିବା ଦଳର ପୁରୁଖାଙ୍କ ଆଡୁ ବିଦ୍ରୋହ ଦେଖିବାକୁ ମିଳୁଛି।

The post ସରିଲା ଉପନିର୍ବାଚନ, ଏବେ ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ : ଗଞ୍ଜାମରେ ବିଜେଡିର ଶତ୍ରୁ ବିଜେଡି first appeared on Sambad.



from ଜିଲ୍ଲା – Sambad https://ift.tt/2IxZsBz