ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ!

ପୁରୀ: କାର୍ତ୍ତିକ ମାସର ନୀତିକାନ୍ତି ସହ ନାଗାର୍ଜୁନ ବେଶ ଉପରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁ‌ଷ୍ଠିତ ହୋଇଯାଇଛି। ବେଶର ଅଗ୍ରଗତି ଓ ଏହା କିଭଳି ସୁରକ୍ଷିତ ଶ୍ରୀମନ୍ଦିରରେ ପହଞ୍ଚିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ବଡ଼କଥା ହେଉଛି, କରୋନା କଟକଣା ଭିତରେ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖି ନ ପାରିଲେ ବି ପତିତପାବନକୁ ନାଗାର୍ଜୁନ ବେଶରେ ଦର୍ଶନ କରିବାର ଆଶା ସଂଚାର ହୋଇଛି । ପୂଜାପଣ୍ଡା ନିଯୋଗ ପତିତପାବନଙ୍କୁ ନାଗାର୍ଜୁନ ବେଶରେ ସଜାଇ‌ବା ନେଇ ନିଷ୍ପତ୍ତି ନେଇସାରିଥିବା ଜଣାପଡ଼ିଛି।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ଅନନ୍ତ ତିଆଡ଼ିଙ୍କ ସମେତ ବେଶ ସଂପୃକ୍ତ ସେବକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ଆରମ୍ଭରୁ ପଞ୍ଚୁକ ନୀତି ଓ ନାଗାର୍ଜୁନ ବେଶ କିପରି ସୁରୁଖୁରରେ ସମାପନ ହେବ ସେ ଉପରେ ଆଲୋଚନା ହୋଇଥିଲା। ଦଶହରାରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ନାଗାର୍ଜୁନ ବେଶ ପ୍ରସ୍ତୁତି କାମ ଅନୁକୂଳ ହୋଇ ସାରିଥିବା ବେଳେ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ବେଶ ନିର୍ମାଣ କରୁଥିବା ବଳରାମ ଖୁଣ୍ଟିଆ ଓ ଅନ୍ୟ ସହଯୋଗୀମାନେ ଉପସ୍ଥିତ ରହି ବେଶ ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ। ମଝିରେ ମଝିରେ ଅଭିଜ୍ଞ ବରିଷ୍ଠ ସେବକମାନେ ବେଶ ପ୍ରସ୍ତୁତି ସ୍ଥଳ ଯାଇ ଯାଞ୍ଚ କରିବା ଉପରେ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପଡ଼ୁଥିବାବେଳେ ଲାଗି ହେବାକୁ ଥିବା ବେଶ କିଭଳି ଶ୍ରୀମନ୍ଦିରରେ ସୁରକ୍ଷିତ ପହଞ୍ଚିବ ସେ ଉପରେ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ସେବାୟତମାନେ ଗୁରୁତ୍ବାରୋପ କରିଥିଲେ। ପ୍ରସ୍ତୁତି ସ୍ଥଳ ଠାରୁ ମନ୍ଦିର ପର୍ଯ୍ୟନ୍ତ ଶ୍ରୀମନ୍ଦିର ପୁଲିସ ଓ ବାହାର ପୁଲିସଙ୍କ ସୁରକ୍ଷା ବଳୟ ଭିତରେ ବେଶ ଆଣିବା ଉ‌ପରେ ନିଷ୍ପତ୍ତି ହୋଇଥିଲା। ଘଣ୍ଟ, ଛତା, କାହାଳୀ ସହ ଏକ ଭବ୍ୟ ଶୋଭାଯାତ୍ରା ସହକାରେ ବେଶ ଆଣିବା ନେଇ ମତପ୍ରକାଶ ପାଇଥିଲା। ନୀତି ସଂପୃକ୍ତ ସେବକଙ୍କ ପ୍ରାପ୍ୟ ପାଉଣା ଉପରେ ବି ଆଲୋଚନା ହୋଇଥିଲା।

ଚଳିତବର୍ଷ ନାଗାର୍ଜୁନ ବେଶ ଦର୍ଶନ ଏକ ବଡ଼ ପ୍ରସଙ୍ଗ ହୋଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ କରୋନା କଟକଣା ପାଇଁ ସିଧାସଳଖ ଦର୍ଶନ ପାଇଁ ମନା କରି ଦେଇଛନ୍ତି। କୌଣସି ପରିସ୍ଥିତିରେ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ା ଯାଇପାରିବନି ବୋଲି ବି କହିସାରିଛି। ଏଭଳି ସ୍ଥିତିରେ ନୀତି ସଂପୃକ୍ତ ସେବାୟତ ଭକ୍ତଙ୍କୁ ନାଗାର୍ଜୁନ ବେଶ ଦର୍ଶନ ପାଇଁ ପତିତପାବନଙ୍କୁ ଏହି ବେଶରେ ସଜାଇବାକୁ ନିଷ୍ପତ୍ତି ନେଇଛନ୍ତି। ପୂଜାପଣ୍ଡା ନିଯୋଗ ବେଶ ପ୍ରସ୍ତୁତ କରିବେ ବୋଲି ଏକ ପ୍ରକାର ନିଷ୍ପତ୍ତି ନେଇସାରିଛି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ କିଛି ସ୍ପଷ୍ଟ ମତ ରଖିନି। ଏ ସଂପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ସାହୁ ଗଣମାଧ୍ୟମ ଆଗରେ କହିଛନ୍ତି, ଆଜିର ବୈଠକରେ ପତିତପାବନଙ୍କୁ ନାଗାର୍ଜୁନ ବେଶ କରିବା ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଚଳିତ ବର୍ଷ ପଞ୍ଚୁକ ୬ ଦିନ ପଡ଼ୁଥିବାବେଳେ କିଭଳି ନୀତିକାନ୍ତି ସୁରୁଖୁରରେ ‌ଶେଷ ହେବ ସେ ଉପରେ ଆଲୋଚନା ହୋଇଛି। ବିଶେଷ କରି ନାଗାର୍ଜୁନ ବେଶ ନୀତି ଶୃଙ୍ଖଳିତ ଶେଷ କରିବା ଉପରେ ଆଲୋଚନା ହୋଇଛି। ନାଗାର୍ଜୁନ ବେଶର ନୀର୍ଘଣ୍ଟ ନୀତି ଅନୁଯାୟୀ ୨୬ ତାରିଖ ରାତି ୧୨ଟାରେ ପହୁଡ଼ ପରେ ସେହିଦିନ ୨୭ ତାରିଖ ନାଗାର୍ଜୁନ ବେଶର ନୀତିକାନ୍ତି ଆରମ୍ଭ ହେବ। ୨୬ ତାରିଖ ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତି ଚାଲିବ। ଭୋର ୪ଟାରେ ନାଗାର୍ଜୁନ ବେଶ ଲାଗି ନୀତି ଆରମ୍ଭ ହେବ। ସକାଳ ୭ଟା ସୁଦ୍ଧା ବେଶ ଲାଗି ଶେଷ ହେବ। ଅପରାହ୍ଣ ୩ଟାରେ ବେଶ ଓଲାଗି ହେବ।

The post ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ! first appeared on Sambad.



from ଜିଲ୍ଲା – Sambad https://ift.tt/2Iu4A9V

Post a Comment

0 Comments