କୁତ୍ରା : ସୁନ୍ଦରଗଡ଼ର କୁତ୍ରା ଅଞ୍ଚଳରେ ବର୍ତ୍ତମାନ ବ‌ାର୍‌ହା ଦାନ୍ତ ବିକ୍ରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବାର୍‌ହା ଦାନ୍ତ ଯୋଡ଼ାକୁ ଏକ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଜଣା ଯାଇଛି। ମନ୍ତ୍ରତନ୍ତ୍ର ଓ ବିଭିନ୍ନ ଔଷଧ ତିଆରିରେ ଏହାର ଚାହିଦା ଥିବାରୁ ଏହାକୁ ବିକ୍ରି କରି ବେପାରୀମାନେ ମାଲାମାଲ୍ ହେଉଛନ୍ତି।

ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରି ତାକୁ ଚାଲାଣ କରୁଥିବା କଥା ଲୋକଲୋଚନକୁ ଆସିଥାଏ। କେତେବେଳେ ହାତୀ ଦାନ୍ତ, ବଜ୍ରକାପ୍ତା, ରଣାସାପ, ମୟୂର, ବାଘ ଛାଲ, ବାଘ ନଖ ପ୍ରଭୃତି ଖବରକାଗଜରେ ଶିରୋନାମ ମଣ୍ଡନ କରୁଥିବାବେଳେ ବର୍ତ୍ତମାନ କୁତ୍ରା ବ୍ଲକ ଅନ୍ତର୍ଗତ ବଡ଼ଗାଁ ବନାଞ୍ଚଳ ପଞ୍ଚରା ସେକସନରେ ବାର୍‌ହା ଦାନ୍ତ ବିକ୍ରି ରାକେଟ୍‌ ସକ୍ରିୟ ଥିବା କଥା ନଜରକୁ ଆସିଛି। ଏହି ଅଞ୍ଚଳରେ ବହୁ ସଂଖ୍ୟକ ବାର୍‌ହା ଥିବା କାରଣରୁ ଅନେକ ସମୟରେ ଶିକାରୀମାନେ ବାର୍‌ହାକୁ ଜାଲ ସାହାଯ୍ୟରେ ଶିକାର କରି ତାର ମାଂସ ବିକ୍ରି କଲାପରେ ତାର ମୁଖ୍ୟ ଦାନ୍ତ ଦୁଇଟିକୁ ବାହାର କରି ବିକ୍ରି କରନ୍ତି। ଜଣେ ଦଲାଲମାନଙ୍କ କହିବା ଅନୁଯାୟୀ, ବାର୍‌ହା ଯୋଡ଼ି ଦାନ୍ତ ଗୁଣି ଗାରେଡି, ତନ୍ତ୍ର ମନ୍ତ୍ରରେ ବ୍ୟବହାର ହେବା ସହିତ ବିଭିନ୍ନ ଜଡ଼ିବୁଟି ଔଷଧ ତିଆରି କାମରେ ବ୍ୟବହୃତ ହୁଏ। ତେଣୁ ଏହାର ବେଶ୍ ଚାହିଦା ରହିଛି। କୁତ୍ରା ବ୍ଲକର ପଞ୍ଚରା, ସିଆଲଯୋର, ପତ୍ରାପଡା, ଲିଟିବେଡା, ନୂଆଗାଁ, କଟଙ୍ଗଝରିଆ, କାଦୋପଡା ଓ ବିରତୋଲା ପ୍ରଭୃତି ଅଞ୍ଚଳରେ ବର୍ଷ ତମାମ ବାରହା ଦେଖା ଯାଇଥାନ୍ତି। ସେମାନେ ବହୁ ଫସଲ ତ ନଷ୍ଟ କରନ୍ତି, କିନ୍ତୁ ସମାନ୍ତରାଳ ଭାବେ ସେମାନଙ୍କର ବ୍ୟାପକ ଶିକାର ମଧ୍ୟ କରାଯାଏ। ସେମାନଙ୍କର ମାଂସ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଏ , କିନ୍ତୁ ଦାନ୍ତ ରାକେଟ୍‌ ଜରିଆରେ ରାଉରକେଲା ଓ ଝାଡ଼ଖଣ୍ଡର ନିର୍ଦ୍ଦିଷ୍ଟ ସ୍ଥାନକୁ ଏଜେଣ୍ଟଙ୍କ ଜରିଆରେ ପଠାଯାଏ। ଗୋଟିଏ ବାର୍‌ହା ଦାନ୍ତର ବଜାର ମୂଲ୍ୟ ୫୦ ହଜାର ଟଙ୍କା ଥିବାବେଳେ ଯୋଡ଼ାକୁ ୧ ଲକ୍ଷ ଟଙ୍କା ଦରରେ ବିକ୍ରି ହୁଏ। ଏଥିପାଇଁ ମଧ୍ୟ ଗୋଟିଏ ବିଚିତ୍ର ହିସାବ ରହିଛି, ୨ଟି ଯାକ ଦାନ୍ତକୁ ପାଖାପାଖି ରଖିଲେ ଯଦି ତା ଭିତରର ପାର୍ଥକ୍ୟ ପୁରୁଣା ୫୦୦ ଟଙ୍କିଆ ନୋଟ୍‌ଠାରୁ ଅଧିକ ଲମ୍ବା ଥାଏ, ତେବେ ତାର ଚାହିଦା ସବୁଠୁ ଅଧିକ ବୋଲି ମନେ କରାଯାଏ।

The post ବାର୍‌ହା ଦାନ୍ତ ଯୋଡ଼ାକୁ ଲକ୍ଷେ! first appeared on Sambad.



from ଜିଲ୍ଲା – Sambad https://ift.tt/3o0hVWA