
ଗୋପ: ଜନସାଧାରଣଙ୍କ ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖି ପୁଣି ଚର୍ଚ୍ଚାରେ ପୁରୀର ଗୋପ ବ୍ଲକ। ବ୍ଲକ୍ ଟଙ୍କାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ। ଗୋପରେ ଦୁଇ ଦୁଇଟି ସରକାରୀ ବ୍ୟାଙ୍କ ଥିବା ବେଳେ ଗୋପ ବ୍ଲକ୍ ପ୍ରଶାସନ କାହିଁକି ୧୦ କିଲୋମିଟର ଦୂର ଘରୋଇ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶୁଣିବାକୁ ମିଳୁଛି ଯେ ଘରୋଇ ବ୍ୟାଙ୍କର ଅଧିକାରୀମାନେ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସରକାରୀ ଟଙ୍କାକୁ ନିଜ ବ୍ୟାଙ୍କକୁ ନେଇଥାନ୍ତି ଏବଂ ବିଭିନ୍ନ ପ୍ରକାର ସେବା ପ୍ରଦାନରେ ନିରବଚ୍ଛିନ୍ନ ସହାୟତା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ଏହିଭଳି ପ୍ରତିଶ୍ରୁତି ଦେଇ ବ୍ଲକ୍ର ସରକାରୀ ଅର୍ଥକୁ ନିଜ ବ୍ୟାଙ୍କକୁ ନେବାରେ ସଫଳ ହେବା ପରେ ନିଜ ମର୍ଜିରେ ଏବଂ ବିଡିଓଙ୍କ ବିନା ଅନୁମତିରେ ବ୍ୟାଙ୍କ ବ୍ଲକ୍ ଆକାଉଣ୍ଟରୁ ଟଙ୍କା ଉଠାଣ କରିବା ଭଳି ଘଟଣା ଏବେ ଅଡିଟ୍ ରିପୋର୍ଟରେ ପ୍ରକାଶ ପାଇଛି।
ଗୋପ ବିଡିଓଙ୍କ ବିନା ଅନୁମତିରେ ନିମାପଡ଼ାସ୍ଥିତ ଆକ୍ସିସ୍ ବ୍ୟାଙ୍କ ବ୍ଲକ୍ ଆକାଉଣ୍ଟରୁ ଗୋଟିଏ ଦିନରେ ଉଠାଇଛନ୍ତି ୧.୫ କୋଟି ଟଙ୍କା। ଅଡିଟ୍ ବେଳେ ଏହା ଧରାପଡ଼ିଛି। ଉକ୍ତ ୧.୫ କୋଟି ଟଙ୍କାକୁ ୨୦୧୯ ମାର୍ଚ ୨୯ରେ ଗୋପ ବ୍ଲକ ଆକାଉଣ୍ଟ୍ ନମ୍ବର ୫୮୦୩୩୧ରୁ ଉଠାଯିବା ସହିତ ବିନା ଅନୁମତିରେ ଗୋପ ବିଡିଓଙ୍କ ନାମରେ ସ୍ଥାୟୀ ଜମା ମଧ୍ୟ କରାଯାଇଛି। ପୁନର୍ବାର ୨୦୧୯ ମେ ଏକ ତାରିଖରେ ୫୨ ହଜାର ୫୮୭ ଟଙ୍କା ସୁଧ ସମେତ ଉଠାଯିବା ୧.୫ କୋଟି ଟଙ୍କାକୁ ପୁନର୍ବାର ବ୍ଲକ୍ ଆକାଉଣ୍ଟରେ ମଧ୍ୟ ଜମା କରାଯାଇଛି। ଏହି ତଥ୍ୟ ଅଡିଟ୍ ରିପୋର୍ଟରେ ଦର୍ଶାଯାଇଥିଲା ବେଳେ ସବୁ ମାସରେ ସମସ୍ତ ବ୍ୟାଙ୍କର ପାସ୍ ବୁକ୍କୁ ଅପଡେଟ୍ କରିବାକୁ ମଧ୍ୟ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଅଡିଟର୍। ନଚେତ୍ ବ୍ଲକ୍ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।
ଗତ ଜୁଲାଇ ୨୦୨୦ରେ ହୋଇଥିବା ଗୋପ ବ୍ଲକ ଅଡିଟ୍ ରିପୋର୍ଟ ଏବେ ପଦାକୁ ଆସିଛି । ଏ ନେଇ ନିମାପଡାସ୍ଥିତ ଆକ୍ସିସ୍ ବ୍ୟାଙ୍କ ପ୍ରବନ୍ଧକଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି, ମୁଁ ସେ ସମୟରେ ନଥିଲି ଏବଂ ମୁଁ କିଛି କହିପାରିବି ନାହିଁ। ଅନ୍ୟ ପକ୍ଷରେ ଗୋପ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ଜରୁରୀକାଳୀନ ଟଙ୍କା ଉକ୍ତ ବ୍ୟାଙ୍କ ଆକାଉଣ୍ଟ୍ରେ ଥିଲା। ଉକ୍ତ ବ୍ୟାଙ୍କ ପ୍ରବନ୍ଧକ ଏହି ଟଙ୍କାକୁ ସ୍ଥାୟୀ ଜମା ଆକାରରେ ରଖିବାକୁ କହୁଥିଲେ । ମାତ୍ର ବ୍ୟାଙ୍କ ଯେଉଁ କାରବାର କରିଛି ମୁଁ ସେ ବିଷୟରେ ଅବଗତ ନାହିଁ କିମ୍ବା ବ୍ଲକ୍ ତରଫରୁ ସରକାରୀ ଭାବେ କୌଣସି ପଦକ୍ଷେପ ନିଆଯାଇନାହିଁ। ଆସନ୍ତାକାଲି ଜିଲ୍ଲା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପରେ ଆମେ ଉକ୍ତ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଗୋପ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଡାଙ୍କ ପ୍ରତିକ୍ରିୟା ନେବାରେ କହିଛନ୍ତି, ‘ଏହି ଘଟଣା ବିଷୟରେ ମୁଁ କିଛି ଜାଣିନାହିଁ, ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ଦିନରେ କିପରି ଏତେ ଟଙ୍କା ଉଠିଲା ତାହା ତଦନ୍ତସାପେକ୍ଷ’।
The post ବିଡିଓଙ୍କ ବିନା ଅନୁମତିରେ ଉଠିଲା ବ୍ଲକ୍ ଟଙ୍କା, ଗୋଟିଏ ଦିନରେ ଉଠିଛି ଦେଢ଼ କୋଟି first appeared on Sambad.
from ଜିଲ୍ଲା – Sambad https://ift.tt/3nUJCjA
0 Comments