ଖୋର୍ଦ୍ଧା/ବେଗୁନିଆ : ବାଘମାରୀ ଥାନା ଅଧୀନସ୍ଥ ସାରୁଅଠାରେ ଥିବା ଓଟିଭି–ତରଙ୍ଗ ଷ୍ଟୁଡିଓ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀମାନେ ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ପୂରଣ ହେବା ଯାଏ ଧାରଣାରେ ବସିରିହିବେ ବୋଲି ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ସାରୁଅସ୍ଥିତ ଓଟିଭି–ତରଙ୍ଗ ଷ୍ଟୁଡ଼ିଓରେ କାର୍ଯ୍ୟକରୁଥିବା କେତେକ ଠିକା କର୍ମଚାରୀଙ୍କୁ କାମ କରିବାକୁ ମନା କରିବାକୁ କେନ୍ଦ୍ରକରି ବିବାଦ ହୋଇଥିଲା। ଏନେଇ ବାଘମାରୀ ଥାନାରେ ଅଭିଯୋଗ ପରେ ପୁଲିସ ଓଟିଭିର ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିଥିଲା। ଆଜି ଓଟିଭିରୁ କାମ ହରାଇଥିବା ଓ ଅନ୍ୟ ଠିକା କର୍ମଚାରୀମାନେ ସର୍ବନିମ୍ନ ମଜୁରୀ ମାସକୁ ୧୫ ହଜାର ଟଙ୍କା, ବୀମା, ଇଏସ୍‌ଆଇ, ଇପିଏଫ୍, ସ୍ଥାୟୀ ନିଯୁକ୍ତ ଆଦି ଦାବି କରି ଧାରଣା ଦେଇଛନ୍ତି। ଧାରଣା ସମ୍ପର୍କରେ ଖବର ପାଇ ବାଘମାରୀ ପୁଲିସ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ପରେ ଉପଜିଲ୍ଲାପାଳ ଅଶୋକ ବେଉରିଆ, ସହକାରୀ ଶ୍ରମ ଅଧିକାରୀ ପ୍ରଜ୍ଞା ପାରମିତା ସାହୁ ଏବଂ ପ୍ରଭାକର ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାବେଳେ ଠିକାକର୍ମଚାରୀମାନେ ଲିଖିତ ଦାବିପତ୍ର ଦେବା ସହ ସେମାନଙ୍କ ଦାବିପୂରଣ ହେବାଯାଏ ଧାରଣାରେ ବସିରହିବାକୁ ସ୍ପଷ୍ଟ କରିଥିଲେ।

ଦାବିରେ ଦର୍ଶାଯାଇଛି ଯେ, ସାରୁଅ କାର୍ଯ୍ୟାଳୟରେ ୩୨ଜଣ ଠିକା କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଶ୍ରମ ଆଇନାନୁସାରେ ୮ ଘଣ୍ଟା କାମ କରିବା ବଦଳରେ ସେମାନଙ୍କୁ ୧୦ରୁ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଉଛି। ଏନେଇ ୫ରୁ ୬ହଜାର ଟଙ୍କା ମାସିକ ଦରମା ଦିଆଯାଉଛି। ଏନେଇ ଉପଜିଲ୍ଲାପାଳ ଶ୍ରୀ ବେଉରିଆ କହିଛନ୍ତି ଯେ ସେମାନଙ୍କୁ ବୁଝାଶୁଝା କରାଯାଇଥିଲା। ତେବେ, ସେମାନେ ଶ୍ରମ ଆଇନାନୁସାରେ ସେମାନଙ୍କ ଅଧିକାର ଦାବି କରୁଛନ୍ତି। ସେମାନଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯାଇଛି। ଏନେଇ ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ।

The post ଓଟିଭି ସାରୁଅ କାର୍ଯ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା first appeared on Sambad.



from ଜିଲ୍ଲା – Sambad https://ift.tt/2Jtd7KD