
ରାଉରକେଲା : ସେୟାର ବଜାରମାନେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ କୋଟିଏରୁ ଅଧିକ ଟଙ୍କାର ସେୟାର ଅର୍ଥ ଠକି ନେଇଛନ୍ତି। କ୍ଷତିଗ୍ରସ୍ତ କର୍ମଚାରୀଜଣକ ଏ ସମ୍ପର୍କରେ ଭୁବନେଶ୍ବର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଅଭିଯୋଗ କରିବା ପରେ ଜିଆର୍ସି ପକ୍ଷରୁ ଏହାର ଶୁଣାଣି ହୋଇଛି। ଅଭିଯୋଗକାରୀଙ୍କ ୧ କୋଟି ୪ ଲକ୍ଷ ୭୨ ହଜାର ୨୪୪ ଟଙ୍କା ପ୍ରାପ୍ୟ ଦାବିକୁ ଜିଆର୍ସି ଯଥାର୍ଥ ବୋଲି ଗ୍ରହଣ କରିଛି।
କୁଆରମୁଣ୍ଡାର ଲାଲବାବୁ ସାହା ନାମକ ଜଣେ ବ୍ୟକ୍ତି ଏକ ବେସରକାରୀ କମ୍ପାନିରୁ ଅବସର ନେଇ ଘରେ ରହୁଛନ୍ତି। ଚାକିରିରୁ ମିଳିଥିବା ପ୍ରାପ୍ୟ ସହ ଜୀବନର ସମସ୍ତ ଜମା ପୁଞ୍ଜି ପ୍ରାୟ ୧ କୋଟି ୨୦ ଲକ୍ଷ ୬୦ ହଜାର ଟଙ୍କାକୁ ସେ ସେୟାର ବଜାରରେ ବିନିଯୋଗ କରିଥିଲେ। ଷ୍ଟିଲ୍ ସିଟି ସିକ୍ୟୁରିଟି ଲିମିଟେଡକୁ ସେ ୨୦୧୯ ଅକ୍ଟୋବର ୨୨ ତାରିଖ ଦିନ ୭୭ ଲକ୍ଷ ୬୦ ହଜାର ଟଙ୍କା, ୨୦୨୦ ଜାନୁଆରି ମାସ ୭ ତାରିଖ ଦିନ ୨ ଲକ୍ଷ ଏବଂ ୨୦୨୦ ଫେବ୍ରୁଆରି ୪ ତାରିଖରେ ୪୧ ଲକ୍ଷ ଟଙ୍କା ଦେଇଥିଲେ। ରାଉରକେଲା ବିଶ୍ରା ରୋଡସ୍ଥିତ ଏଚପି ସିକ୍ୟୁରିଟି ପ୍ରାଇଭେଟ୍ ଲିମିଟେଡର ବ୍ରୋକର୍ ମାଧ୍ୟମରେ ସେ ଚେକ୍ ମାଧ୍ୟମରେ ଅର୍ଥ ପଇଠ କରିଥିଲେ। ପଲିକାବ୍ ଇଣ୍ଡିଆ ଲିମିଟେଡ଼ ଓ ଫୋର୍ସ ମୋଟର୍ସ ଲିମିଟେଡର ସେୟାର କିଣିବା ପାଇଁ ସେ ଟଙ୍କା ଦେଇଥିବା ବେଳେ ବ୍ରୋକର ତାଙ୍କ ଆକାଉଣ୍ଟରେ ବିଭିନ୍ନ କମ୍ପାନିର ସେୟାର କିଣାବିକା କରି ପ୍ରାୟ ୩୦ କୋଟି ଟଙ୍କାର ବେପାର କରିଥିଲେ ଏବଂ କ୍ଷତି ଦର୍ଶାଇ ତାଙ୍କର ଟଙ୍କା ହଡ଼ପ କରିଥିବା ଲାଲବାବୁ ଅଭିଯୋଗ କରିଥିଲେ।
ତେବେ ବ୍ରୋକର ଜଣକ ୨୦୨୦ ମାର୍ଚ୍ଚ ୩ ତାରିଖ ଦିନ ତାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ୮୫ ହଜାର ୫୭୬ ଟଙ୍କା ଓ ଜୁଲାଇ ୪ ତାରିଖ ଦିନ ୩୧୮୦ ଟଙ୍କା ପଇଠ କରିଥିଲେ। ଅବଶିଷ୍ଟ ଟଙ୍କା ପାଇବା ପାଇଁ ଲାଲବାବୁ ୨୦୨୦ ଜୁଲାଇ ୧୮ ତାରିଖ ଦିନ ଭୁବନେଶ୍ବର ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ଅଭିଯୋଗ କରିଥିଲେ। ୨୦୨୦ ଅଗଷ୍ଟ ୧୭ ତାରିଖ ଦିନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଅଭିଯୋଗର ଶୁଣାଣି ଜିଆର୍ସି କରିଥିଲା। ଦୁଇ ପକ୍ଷଙ୍କ ଜବାବ ଦାଖଲ ପରେ ଇନ୍ଭେଷ୍ଟର୍ ଗ୍ରିଭେନ୍ସ ରିଜୋଲ୍ୟୁସନ ପ୍ୟାନେଲ୍ ଅଭିଯୋଗକାରୀ ଲାଲବାବୁଙ୍କ ଦାବିକୁ ଯଥାର୍ଥ ଦର୍ଶାଇଛନ୍ତି। ଏହା ପୂର୍ବରୁ ଲାଲବାବୁ ଏହି ଠକେଇ ସମ୍ପର୍କରେ କୁଆରମୁଣ୍ଡା ଫାଣ୍ଡିରେ ୨୦୨୦ ଅଗଷ୍ଟ ୧୧ ତାରିଖ ଏବଂ ସେପ୍ଟେମ୍ବର ୪ ତାରିଖ ଦିନ ଲିଖିତ ଭାବେ ଜଣାଇଥିଲେ।
The post ଅବସରପ୍ରାପ୍ତ କର୍ମଚାରୀଙ୍କ ସେୟାର ଅର୍ଥ ହରିଲୁଟ୍ : ୧ କୋଟି ୪ ଲକ୍ଷ ଟଙ୍କା ଠକିନେଲେ! first appeared on Sambad.
from ଜିଲ୍ଲା – Sambad https://ift.tt/36jYORC
0 Comments