
ଜଟଣୀ : ଓଡ଼ିଆ ଝିଅ ପ୍ରିୟଙ୍କା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ‘ଇଣ୍ଡିଆଜ ଚାର୍ମିଂ ଫେସ୍ ମିସ୍ ଇଣ୍ଡିଆ’ ମୁକୁଟ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଜଟଣୀ ପୌରପରିଷଦ ଅଧୀନସ୍ଥ ଓ୍ବାର୍ଡ ନଂ ୮ ଗୋପବନ୍ଧୁ ନଗରର ବିଭୂତି ମହାପାତ୍ର ଓ ମା’ ଅନ୍ନପୂର୍ଣ୍ଣା ମହାପାତ୍ରଙ୍କ କନ୍ୟା ପ୍ରିୟଙ୍କା ଏହି କୃତିତ୍ବ ହାସଲ ପରେ ତାଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି।
ଗୋଆର ପଞ୍ଜିମ କଡ଼ମ୍ବାରେ ଫୁଟ୍ ଷ୍ଟେପ୍ ପ୍ରାୟୋଜିତ ମିସ୍ ଇଣ୍ଡିଆ-୨୦୨୦ ପ୍ରତିଯୋଗିତାରେ ଦେଶର କୋଣ ଅନୁକୋଣରୁ ଚୟନ ହୋଇ ଆସିଥିବା ୩୭ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରେ ଓଡ଼ିଶାରୁ ୬ଜଣ ସାମିଲ୍ ହୋଇଥିଲେ। ତେବେ ପ୍ରିୟଙ୍କା ନିଜ ପ୍ରତିଭା ପ୍ରଦର୍ଶନ ପୂର୍ବକ ଚାର୍ମିଂ ଫେସ୍ ମିସ୍ ଇଣ୍ଡିଆ ମୁକୁଟ କରାୟତ୍ତ କରି ନେଇଛନ୍ତି। ପ୍ରିୟଙ୍କା ପିଲାବେଳୁ ସଂଗୀତ ପ୍ରତି ମନ ବଳାଇଥିଲେ। ପଢ଼ିବା ସମୟରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସାଭାଜନ ହୋଇଥିଲେ। ମଡେଲିଂ କରିବା ମଧ୍ୟ ଜାରି ରଖିଥିଲେ। ଖୋର୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟରେ +୨ ଏବଂ ବାଙ୍କି ସ୍ବୟଂଶାସିତ ମହାବିଦ୍ୟାଳୟରେ +୩ରେ ରସାୟନ ବିଜ୍ଞାନରେ ସ୍ନାତକରେ ପଢ଼ିବା ବେଳେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆସୁଥିଲେ। ପରେ ସେ ଅଭିନୟ ଦୁନିଆର ଆକର୍ଷଣରେ ପଡ଼ିଥିଲେ। ମେଗା ଧାରାବାହିକ ‘ହେ ପ୍ରଭୁ’, ‘ନୂଆବୋହୂ’ରେ ଅଭିନୟ କରିବା ସହ ଓଡ଼ିଆ ଚଳଚ୍ଚିତ୍ର ‘ହାପି ଏଣ୍ଡିଂ’ରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି।
ଗତ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଆୟୋଜିତ ଅଡିସନ୍ରେ ପ୍ରଥମ ହୋଇ ଚଳିତ ମାସ ୨୮ ତାରିଖ ସଂଧ୍ୟାରେ ଗୋଆରେ ଆୟୋଜିତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରିୟଙ୍କା ଖୋର୍ଧା ପାଇକ ସଂସ୍କୃତି ଏବଂ ପାଇକ ବିଦ୍ରୋହର ଗାଥା ବହନ କରୁଥିବା ବେଶଭୂଷା ପରିଧାନ କରିଥିଲେ, ଯାହା ସେଠାରେ ଉପସ୍ଥିତ ବିଚାରକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଭଳି ଏକ ଜାତୀୟସ୍ତରର ପ୍ରତିଯୋଗିତାରେ ନିଜ ଜନ୍ମମାଟିକୁ ଉପସ୍ଥାପନ କରି ବିଜୟୀ ହେବା ମୋ ପାଇଁ ଗର୍ବର ବିଷୟ ବୋଲି ପ୍ରିୟଙ୍କା କହିଛନ୍ତି।
The post ଜଟଣୀ ଝିଅ ହେଲେ ଭାରତ ସୁନ୍ଦରୀ first appeared on Sambad.
from ଜିଲ୍ଲା – Sambad https://ift.tt/2Vi3ota
0 Comments