
ଯାଜପୁର/ବରୀ : ଚଳିତ ବର୍ଷ ଯାଜପୁର ଜିଲ୍ଲାର ପ୍ରଳୟଙ୍କରୀ ବନ୍ୟା ଓ ଲଗାଣ ବର୍ଷାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ହଜାର ହଜାର ଚାଷୀ। ତେବେ ବନ୍ୟାରେ ପଟୁ ପଡ଼ିଥିବା ଜମି ଓ ଅନୁକୂଳ ପାଗ ଚିନାବାଦାମ ଚାଷ ପାଇଁ ଅପୂର୍ବ ସୁଯୋଗ ଦେଇଛି। ଏହାର ସଦ୍ବିନିଯୋଗ କରିବା ପାଇଁ ଚାଷୀ ଅଣ୍ଟା ଭିଡ଼ିଛନ୍ତି। ଅଥଚ ସରକାରୀ ଯୋଜନା କେବଳ ଘୋଷଣା ଓ କାଗଜପତ୍ରରେ ସୀମିତ ରହିଛି। ଯାହାର ସୁଯୋଗ ହାତେଇବାରେ ଲାଗିଛନ୍ତି ମୁନାଫାଖୋର ବେପାରୀ । ଚିନାବାଦାମ ଚାଷୀମାନଙ୍କୁ ଚଢ଼ା ଦରରେ ବିହନ ଯୋଗାଇ ଫସଲ ଅମଳ ପରେ ନେବା ପାଇଁ ଚୁକ୍ତି କରୁଛନ୍ତି। ଏଥିସହ ବିହନ ବାବଦ ଋଣ ଉପରେ ୨ ପ୍ରତିଶତ ସୁଧ ଆଦାୟ କରୁଛନ୍ତି। ସରକାର ଚିନାବାଦାମ ବିହନ ନ ଯୋଗାଇବାରୁ ଜିଲ୍ଲାର ଚାଷୀ ଏବେ ଋଣଯନ୍ତାରେ ପଡ଼ୁଥିବା ଅଭିଯୋଗ ହୋଇଛି।
ସରକାରଙ୍କ ଅନ୍ୟାନ୍ୟ ବିଫଳ କୃଷି ଯୋଜନା ଭଳି ଏଥର ମଧ୍ୟ ରାଜ୍ୟର ସର୍ବାଧିକ ଚିନାବାଦାମ ଉତ୍ପାଦନ ହେଉଥିବା ଯାଜପୁର ଜିଲ୍ଲା ଚାଷୀମାନଙ୍କୁ ସରକାରୀ ବିହନ ଯୋଗାଇ ପାରିଲେ ନାହିଁ। ଏପରିକି ପ୍ରଦର୍ଶନୀ କ୍ଷେତ୍ର ପାଇଁ ମଧ୍ୟ ସରକାରୀ ବିହନ ଯୋଗାଣ ହୋଇପାରୁ ନାହିଁ। ଅନୁକୂଳ ପାଗକୁ ଲକ୍ଷ୍ୟ କରି ଚାଷୀମାନେ ଆଗଭର ହେଉଥିବା ବେଳେ କୃଷି ବିଭାଗ ଜିଲ୍ଲାରେ ଚିନାବାଦାମ ଚାଷ ପାଇଁ ସାମାନ୍ୟତମ ଉଦ୍ୟମ କରିନାହିଁ। ଗତବର୍ଷ କୃଷି ବିଭାଗ ୨୮ହଜାର ୯ଶହ ହେକ୍ଟର ଜମିରେ ଚିନାବାଦାମ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଚଳିତ ବର୍ଷ ତାହାର କେବଳ ପୁନରାବୃତ୍ତି କରିଛି। ଏଥିପାଇଁ ୧୨୨ ପାକ୍ସ ଓ ୬୬ ଡିଲରଙ୍କ ଜରିଆରେ ଚାଷୀଙ୍କୁ ବିହନ ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି। ପ୍ରତି ହେକ୍ଟରରେ ପ୍ରାୟ ଦେଢ କୁଇଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ ବୋଲି ଚାଷୀ କହୁଛନ୍ତି। ଯାହାକି ଜିଲ୍ଲାରେ ପ୍ରାୟ ୪୩ହଜାର କୁଇଣ୍ଟାଲ ଚିନାବାଦାନ ବିହନ ଆବଶ୍ୟକ। ମାତ୍ର ୨ଦିନ ତଳେ ସରକାର ୩ଶହ କୁଇଣ୍ଟାଲ ବିହନ ଯୋଗାଇଛନ୍ତି। ଯାହାକି ଧବଳଗିରି ଗୋଦାମରେ ପଡ଼ିଛି। ବଣ୍ଟନ ହୋଇନାହିଁ। ଅପର ପକ୍ଷରେ ଅନୁକୂଳ ପାଗ ଯୋଗୁ ଚାଷୀମାନେ କ୍ଷେତ୍ର ପ୍ରସ୍ତୁତ କରି ଚିନାବାଦାମ ଲଗାଇବା ଆରମ୍ଭ କରିଦେଲେଣି। ଏପରିକି କେତେକ ଆଗୁଆ ଚାଷୀଙ୍କ ଜମିରେ ଚିନାବାଦାମ ଗଛ ହୋଇଗଲାଣି।
ଚାଷୀମାନେ ବେପାରୀଙ୍କ ଠାରୁ ବିହନ କୁଇଣ୍ଟାଲ ପିଛା ୮୫୦୦ଟଙ୍କା କୁଇଣ୍ଟାଲରେ କିଣୁଛନ୍ତି। ମାତ୍ର ସରକାରୀ ଦର ହେଉଛି କୁଇଣ୍ଟାଲ ପିଛା ୫୩୦୦ଟଙ୍କା। ଏହାସହ ୨୫ ପ୍ରତିଶତ ସବ୍ସିଡି ଚାଷୀଙ୍କ ଖାତାକୁ ଯୋଗାଣ ହେବ ଘୋଷଣା କରିଛନ୍ତି। ଯାହା ଆକାଶ କଇଁଆ ଚିଲିକା ମାଛ। ଅସରକାରଙ୍କ ରିହାତି ବିହନ ମିଳୁ ନ ଥିବାରୁ ବିହନ ବେପାରୀଙ୍କ ଠାରୁ ୮୦ ଟଙ୍କାରୁ ୮୫ ଟଙ୍କା ପର୍ଯ୍ୟନ୍ତ କେଜି ପ୍ରତି ମୂଲ୍ୟରେ ବିହନ କିଣିବାକୁ ପଡୁଛି । ଯେଉଁ ଚାଷୀ ମାନଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନାହିଁ ସେମାନେ ବାଧ୍ୟ ହୋଇ ଉତ୍ପାଦନ ଚିନାବାଦାମ ବନ୍ଧକ ଚୁକ୍ତିରେ ବ୍ୟବସାୟୀଙ୍କୁ ଠାରୁ ବିହନ କାଢିଆ ନେବାକୁ ବାଧ୍ୟ ହେଉଛନ୍ତି। ଚୁକ୍ତି ମୁତାବକ ବିହନ ମୂଲ୍ୟର ୨ପ୍ରତିଶତ ସୁଧ ଦେବେ ଏବଂ ସେହି ନିର୍ଦ୍ଦିଷ୍ଟ ବେପାରୀଙ୍କୁ ଚିନାବାଦାମ ବିକ୍ରି କରିବାକୁ ବାଧ୍ୟ। ସେପଟେ ଯଦିଓ କୃଷିବିଭାଗ ପକ୍ଷରୁ ବ୍ଲକ୍ର ବିଭିନ୍ନ ସ୍ଥାନରେ ବିହନ ବିକ୍ରି କରିବା ପାଇଁ ପାକ୍ସ ଓ ଡିଲରମାନେ ନିଯୁକ୍ତ ଅଛନ୍ତି ମାତ୍ର ସେମାନେ ଅଦ୍ୟାବଧି ସରକାରୀ ବିହନ ଆଣିନାହାନ୍ତି। ଯାଜପୁର ଜିଲ୍ଲାରେ ବିହନ ପାଇଁ ଚିନାବାଦାମ ଚାଷୀ ମୁନାଫାଖୋର ବେପାରୀଙ୍କ ନିକଟରେ ନିଜ ଫସଲ ବନ୍ଧା ପକାଇ ଦେଇଛନ୍ତି।
The post ଚିନାବାଦାମ ଚାଷୀଙ୍କ ପାଇଁ ସରକାରୀ ଯୋଜନା ପ୍ରହସନ : ଋଣ ଯନ୍ତାରେ ହଜାର ହଜାର ଚାଷୀ first appeared on Sambad.
from ଜିଲ୍ଲା – Sambad https://ift.tt/3nun35g
0 Comments