
ସୋନପୁର : ସୋନପୁର ତେଲନଦୀ ସେତୁ ନିର୍ମାଣ ପରେ ପୂର୍ବ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର ଦୂରତା କମିବା ସହିତ ବ୍ୟବସାୟିକ ଅଭିବୃଦ୍ଧି ଘଟିଥିଲା। ଏବେ କିନ୍ତୁ ଏହି ତେଲନଦୀକୁ ଦେଖିଲେ ସାଧାରଣରେ ଏହାର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରୁଛନ୍ତି। ବହୁ ଦିନ ହେବ ସୋନପୁର ତେଲନଦୀ ସେତୁ ଅସୁରକ୍ଷିତ ଅବସ୍ଥାରେ ରହିଛି। ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। କେବଳ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲେ ନାମକୁ ମାତ୍ର ମରାମତି କରାଯାଉଛି। ହେଲେ ସେହି ମରାମତି ମଧ୍ୟ ଦୀର୍ଘ ସମୟ ତିଷ୍ଠି ରହୁନାହିଁ।
୭୦ ଦଶକରେ ଏହି ସେତୁ ନିର୍ମାଣର ପରିକଳ୍ପନା କରାଯାଇଥିଲା। ଏହାର ନିର୍ମାଣ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ୧୦ ଜୁନ ୧୯୭୦ରେ ଶୁଭ ଦେଇଥିଲେ। ୨୧୦୪ ଫୁଟ ବିଶିଷ୍ଟ ଏହି ସେତୁ ସେହି ସମୟରେ ୩୧.୮୦ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିଲା। ୨ ଡିସେମ୍ବରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୩ ମାର୍ଚ୍ଚ ୧୯୭୩ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହି ସେତୁକୁ ତତ୍କାଳୀନ ରାଜ୍ୟପାଳ ବିଡି ଜଟ୍ଟି ୧୧ ନଭେମ୍ବର ୧୯୭୩ରେ ଉଦ୍ଘାଟନ କରିଥିଲେ। ସୋନପୁର ତେଲନଦୀ ସେତୁ ନିର୍ମାଣ କେବଳ ସୋନପୁର ନୁହେଁ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଆଦି ଅନ୍ୟାନ୍ୟ ଅଞ୍ଚଳର ପୂର୍ବ ଓଡ଼ିଶାକୁ ଦୂରତା କମିଥିଲା ଏବଂ ପୂର୍ବ ଓଡ଼ିଶାକୁ ସଂଯୋଗର ମାଧ୍ୟମ ପାଲଟିଥିଲା ତଥା ପୂର୍ବ ଓଡିଶାକୁ ଦୂରତା ହ୍ରାସ ପାଇଥିଲା। ଇତିମଧ୍ୟରେ ୪୬ ବର୍ଷ ବିତିଯାଇଛି କିନ୍ତୁ ସେତୁଟି ବିଭିନ୍ନ କାରଣରୁ ଅବହେଳାର ଶିକାର ପାଲଟିଛି। ସେତୁ ଉପରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେବା ସହିତ ସଙ୍କୋଚନ ପ୍ରସାରଣ ପାଇଁ ଥିବା ଯନ୍ତ୍ରପାତି ଚୋରି ହେବା ଫଳରେ ସେତୁର ସୁରକ୍ଷା ନେଇ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ସେତୁର ଉଭୟ ପାର୍ଶ୍ବରେ ଗର୍ତ୍ତ ସୃଷ୍ଟି ହେଉଥିବା ବେଳେ ବିଭାଗ ଖାଲି ମରମତି କରି ଦେଇ ଚୁପ୍ ବସୁଛି। ଏହି ମରାମତି ମାତ୍ର ଦିନ କେଇଟା ରହୁଛି ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା।
ମରମତି ନାଁରେ କେବଳ ଠିକାଦାର ପୋଷା ଛଡ଼ା ଅନ୍ୟ କିଛି ନୁହେଁ। ଏହାର ସ୍ଥାୟୀ ସମାଧାନ ପାଇଁ ଜନ ସାଧାରଣ ଦାବି କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ବର୍ତ୍ତମାନ ତେଲନଦୀ ସେତୁର ମଝି ଭାଗରେ ଏକ ବଡ଼ ଗର୍ତ୍ତ ଦୀର୍ଘଦିନ ହେଲା ସୃଷ୍ଟି ହେବା ସହିତ ଲୁହାଛଡ଼ ଗୁଡିକ ଉପରକୁ ଦିଶୁଛି ହେଲେ ଏହାର ମରାମତି ମଧ୍ୟ କରାଯାଉ ନାହିଁ। ଆଗରୁ ସେତେ ଭାରିଯାନ ଚଳାଚଳ କରୁନଥିଲା। ଏବେ ଏହି ସେତୁ ଉପରେ ଅଧିକ ଭାରୀଯାନ ଯାଉଛି ଯାହାକି ସେତୁ ସୁରକ୍ଷା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ସେପଟେ ସେତୁର ଉଭୟ ପାର୍ଶ୍ବରେ ବେଆଇନ ଭାବରେ କେବୁଲ ତାର ବିଛାଯାଇ କଂକ୍ରିଟ କରାଯାଇଥିବାରୁ ସେତୁ ଅଧିକ କ୍ଷତିଗ୍ରସ୍ତ ହେଉଛି। ଏହି ସେତୁ ନିର୍ମାଣ ପରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଘଟିଛି। ଏଭଳି ଏକ ସେତୁର ସୁରକ୍ଷା ନେଇ ଯେତିକି ଧ୍ୟାନ ଦେବାର କଥା ଦିଆଯାଉ ନଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଜନଅସନ୍ତୋଷ ବଢିବାରେ ଲାଗିଛି। ତେଣୁ ଏହି ସେତୁର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।
The post ତେଲ ନଦୀ ସେତୁର ସୁରକ୍ଷା ନେଇ ବିଭାଗର ଚିନ୍ତା ନାହିଁ first appeared on Sambad.
from ଜିଲ୍ଲା – Sambad https://ift.tt/38ICMte
0 Comments