
ଦାରିଙ୍ଗବାଡ଼ି : କୁମାର ପୂର୍ଣ୍ଣମୀ ଥିବାରୁ ଜୁଆ ଖେଳକୁ ପ୍ରତିହତ କରିବା ଲାଗି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ରେ ପାଟ୍ରୋଲିଂ କରୁଥିଲା ବ୍ରାହ୍ମଣୀଗାଁ ପୁଲିସ। ପୁଲିସ ଗାଡ଼ି ମେରାମାହା ଗ୍ରାମ ଦେଇ ଗଲାବେଳେ ଭୋଜିଭାତ ଗହଳି ଦେଖି ଅଟକି ଯାଇଥିଲା, ଆଉ ଜୁଆ ଖେଳ ଚାଲିଥିବା ଭାବି ଅତର୍କିତ ଚଢ଼ଉ କରିଥିଲା। ଏହାର ପ୍ରତିବାଦରେ ଶତାଧିକ ମହିଳା ଓ ପୁରୁଷ ଗାଁ ଦାଣ୍ଡରେ ପୁଲିସ ବାହିନୀକୁ ଅଟକାଇ ଚାରିପଟୁ ଘେରିଯିବା ସହ ନିର୍ଧୂମ ପିଟିବା ସହ ଥାନା ଜିପ୍କୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏଥିରେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ପୁଲିସ ବାହିନୀ ସେତେବେଳେ ସେଠାରୁ ପଳାଇ ଯାଇଥିଲେ ସତ; କିନ୍ତୁ ଭୋର୍ ବେଳେ ପୁଲିସ ଫୋର୍ସ ଗାଁରେ ପହଞ୍ଚି ପାଲଟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଲୋକଙ୍କ ଉପରେ ଗୋଡ଼ାଇ ଗୋଡ଼ାଇ ଲାଠିଚାର୍ଜ କରିବାରୁ କେତେକ ପୁରୁଷ, ମହିଳା ଆହତ ହୋଇଥିଲେ। ପୁଲିସ ୪ ଜଣ ମହିଳା ହାଡ଼ିଆ ବିଷୋୟୀ, ତିଳୋତ୍ତମା ବିଷୋୟୀ, ଭବାନୀ ବିଷୋୟୀ ଓ କନ୍ଧୁଣି ବିଷୋୟୀଙ୍କ ସମେତ ୨ ଜଣ ପୁରୁଷ ଦଶରଥ ବିଷୋୟୀ ଓ ମହେଶ୍ବର ବିଷୋୟୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏ ନେଇ କେସ୍ ନଂ ୮୯/୨୦ରେ ମାମଲା ରୁଜୁ କରିଥିବା ବେଳେ ପୁଲିସ ଗିରଫଦାରି ଭୟରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଗାଁ ଛାଡ଼ି ଜଙ୍ଗଲକୁ ପଳାଇ ଯାଇଛନ୍ତି। ଫୋର୍ସ ମୁତୟନ ଥିବା ବେଳେ ଗାଁ ଜନଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି।

ବ୍ରାହ୍ମଣୀଗାଁ ଥାନା ପୁଲିସ ଜୁଆ ଖେଳ ଚାଲିଥିବା ସ୍ଥାନରେ ଅତର୍କିତ ଚଢ଼ଉ ଜାରି ରଖିଥିଲା। ତେବେ ଜୁଆଡ଼ିଙ୍କୁ ଧରିବା ବଦଳେ ଅନେକ ନିରୀହ ଲୋକ ବି ଗିରଫ ହୋଇଥିବା ଅଭିଯୋଗ ହୋଇଥିଲା। କିଛି ସାଧାରଣ ଲୋକ ଏଥିରେ ଅତିଷ୍ଠ ଥିଲେ ମଧ୍ୟ ନିରବ ରହିଥିଲେ। ଗତକାଲି ରାତିରେ ଥାନାଧିକାରୀ ଶ୍ରୀ ମୁନି ପଇଁତରାରେ ହାତୀମୁଣ୍ଡାକୁ ଯାଉଥିବା ରାସ୍ତାରେ ମେରାମାହାରେ ଗହଳି ଦେଖି ଅଟକିଥିଲେ। କୁମାର ପୂର୍ଣ୍ଣିମା ପାଇଁ ଗ୍ରାମରେ ଭୋଜିଭାତ ସହ ଗୋଟିଏ ପରିବାରର ଏକ ପାରମ୍ପରିକ ଭୋଜି ଚାଲିଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ନାଚଗୀତରେ ମସଗୁଲ୍ ଥିଲେ। ହେଲେ ପୁଲିସ ଜୁଆଖେଳ ଚାଲିଥିବା ସନ୍ଦେହ କରି ଅତର୍କିତ ଚଢ଼ଉ କରିବାରୁ ଭୋଜି ଚାଲିଥିବା ପରିବାରର କିଛି ପୁରୁଷଙ୍କ ସମେତ ମହିଳା ଓ ଶିଶୁ ଆଘାତ ପାଇଥିଲେ। ପୁଲିସର ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପୁଲିସ ଉପରେ ପାଲଟା ଆକ୍ରମଣ କରି ଦେଇଥିଲେ। ଥାନାଧିକାରୀ ଶ୍ରୀ ମୁନିଙ୍କୁ ନିର୍ଧୁମ ପିଟିଥିଲେ। ଏପରିକି ପୁଲିସ ଜିପ୍ ଉପରକୁ ମଧ୍ୟ ଆକ୍ରମଣ କରି କାଚ ଭାଙ୍ଗି ଦେଇଥିଲେ। ଲୋକଙ୍କ ଆକ୍ରମଣ ଦେଖି ପୁଲିସ କର୍ମଚାରୀ ପ୍ରାଣ ବିକଳରେ ଜିପ୍ ଛାଡ଼ି ଦୌଡ଼ି ଦୌଡ଼ି ବ୍ରାହ୍ମଣୀଗାଁ ପଳାଇ ଆସିଥିଲେ।
ଆଜି ଭୋର ପ୍ରାୟ ୪ ଟାରେ ପୁଲିସ ପୁଣି ଫୋର୍ସ ନେଇ ମେରାମାହା ଗ୍ରାମରେ ପହଞ୍ଚି ଉପସ୍ଥିତ କିଛି ମହିଳା ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଗ୍ରାମର ୪ ଜଣ ମହିଳା ଏବଂ ୨ ଜଣ ପୁରୁଷଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ପୁଲିସର ଏଭଳି ଅତର୍କିତ ଆକ୍ରମଣରେ ଗ୍ରାମର ଅନେକ ମହିଳା ପୁରୁଷ ଆହତ ହେବା ସହ ଭୟରେ ଗାଁ ଛାଡ଼ି ଜଙ୍ଗଲକୁ ପଳାଇ ଯାଇଥିବାରୁ ଗାଁ ଜନଶୂନ୍ୟ ହୋଇ ଯାଇଛି। ଏହି ଘଟଣାରେ ବାଲିଗୁଡ଼ା ଏସ୍ଡିପିଓ ମାନସ କୁମାର ବାରିକ ଏବଂ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଫୋର୍ସ ନେଇ ବ୍ରାହ୍ମଣୀଗାଁ ଅଞ୍ଚଳରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଛନ୍ତି। ଏ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୂର୍ବରୁ ଅନ୍ୟ ଏକ ଘଟଣାରେ ପୁଲିସ ଉପରେ ଥିବା ଆକ୍ରୋଶରୁ ଗ୍ରାମବାସୀ ଏହି ଭଳି ଆକ୍ରମଣ କରିଥିବା ଅନୁମାନ କରାଯାଉଛି ବୋଲି ଥାନା ସେକେଣ୍ଡ ଅଫିସର ସଂଗ୍ରାମ କେଶରୀ ଜେନା କହିଛନ୍ତି।
The post ଜୁଆ ଚଢ଼ଉ ବେଳେ ପୁଲିସକୁ ଆକ୍ରମଣ : ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଗୁରୁତର, ପୁଲିସ ଜିପ୍ ଭାଙ୍ଗିଲେ first appeared on Sambad.
from ଜିଲ୍ଲା – Sambad https://ift.tt/34NK64l
0 Comments