ପୁରୀ : ମହାପ୍ରସାଦ ପାଇଁ ଯେତେ ବ୍ୟବସ୍ଥା କଲେ ବି ବିଶୃଙ୍ଖଳା ପିଛା ଛାଡ଼ୁନି। ଆଜି କାର୍ତ୍ତିକ ମାସ ଆରମ୍ଭରୁ ମହାପ୍ରସାଦ ପାଇଁ ଠେଲାପେଲା ଦେଖିବାକୁ ମିଳିଛି। ଅସମ୍ଭାଳ ଭିଡ଼ ଭିତରେ ଶହ ଶହ ଲୋକ ଆଜି ମହାପ୍ରସାଦ ନେଇଛନ୍ତି। ଏହା ପୁଣିଥରେ କରୋନା ଭୂତାଣୁ ସଂକ୍ରମଣର ଭୟ ସୃଷ୍ଟି କରିଛି। ସାମାଜିକ ଦୂରତା କଥା ହେଉ କି ମାସ୍କ ପରିଧାନ ସବୁକୁ ହେୟଜ୍ଞାନ କରାଯାଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ତଥା ଭକ୍ତମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶାସନ ଯଦି ଏହା ଉପରେ ନଜର ରଖିବା ପାଇଁ କାହାରିକୁ ରଖିଥାନ୍ତା, ତେବେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି ମତ ଦେଇଛନ୍ତି।

କରୋନା ସଂକ୍ରମଣକୁ ଆଖି ଆଖରେ କିଛି ମାସ ହେବ ମହାପ୍ରସାଦ ପ୍ରସ୍ତୁତିକୁ ସୀମିତ କରି ଦିଆଯାଇଥିଲା। ଅଳ୍ପ କିଛି ଲୋକଙ୍କ ପାଇଁ ମହାପ୍ରସାଦ ରନ୍ଧା ହେଉଥିଲା। କିନ୍ତୁ କାର୍ତ୍ତିକରେ ହବିଷ୍ୟାଳିଙ୍କ ସହ ଅନ୍ୟ ଭକ୍ତମାନଙ୍କ ମହାପ୍ରସାଦର ଆବଶ୍ୟକତା ରହିଥିବାରୁ ସୁଆର ମହାସୁଆର ନିଯୋଗର ନିବେଦନକ୍ରମେ ଆଜିଠାରୁ ପୁଣିଥରେ ପୂର୍ବଭଳି ଭକ୍ତଙ୍କୁ ମହାପ୍ରସାଦ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ସେଡ୍‌ ବ୍ୟବସ୍ଥା ସାଙ୍ଗକୁ ମହାପ୍ରସାଦ ଟୋକନ୍‌ କାଉଣ୍ଟର ଖୋଲାଯାଇଛି। ଆଶା କରାଯାଉଥିଲା ଭକ୍ତମାନେ ପ୍ରଥମ ଦିନ ଶୃଙ୍ଖଳିତ ଭାବେ ମହାପ୍ରସାଦ ନେଇ ଫେରିବେ। ଯାହା ପୂରା କାର୍ତ୍ତିକ ମାସ ପାଇଁ ଉଦାହରଣ ପାଲଟିବ। କିନ୍ତୁ ଆଜି ଓଲଟା ଫଳ ଦେଖିବାକୁ ମିଳିଛି। ସେଡ୍‌ ଭିତରେ ୫ଟି ଧାଡ଼ିର ବ୍ୟବସ୍ଥା କରାଯାଇଥିଲେ ବି ଗୋଟିଏ ମାତ୍ର ଧାଡ଼ିରେ ଛିଡ଼ା ହୋଇ ଭକ୍ତମାନେ ଠେଲାପେଲା ଭିତରେ ମହାପ୍ରସାଦ କିଣିଛନ୍ତି। ଯେଉଁ ଧାଡ଼ରେ ଅତିବେଶିରେ ୩୦ଜଣ ରହିବା କଥା ସେହି ଧାଡ଼ିରେ ଆଜି ଶତାଧିକ ଲୋକ ଛିଡ଼ା ହୋଇ ମହାପ୍ରସାଦ ନେଇଛନ୍ତି। ସେଡ୍‌ଠାରୁ ବଟେଶ୍ବରୀଙ୍କ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ପାଖରେ ଜେଟିପି ଓ ଅନ୍ୟ ପୁଲିସମାନେ ଥିଲେ ବି କେହି ଏହାକୁ ବାରଣ କରି ନାହାଁନ୍ତି। ଯେଉଁଥିପାଇଁ ଆଜି ଦିନତମାମ ଏହି ଭିଡ଼ ରହିବା ସହ କରୋନା ସଂକ୍ରମଣ ଆଶଙ୍କା ସୃଷ୍ଟି କରିଛି।

ଏ ସଂପର୍କରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଏଭଳି ମହାପ୍ରସାଦ ଦେବା ଆଦୌ ଗ୍ରହଣୀୟ ନୁହେଁ। ଯେଉଁଠି ସଂକ୍ରମଣ ଭୟକୁ ଆଖି‌ ଆଗରେ ରଖି ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶରେ କଟକଣା ଲଗାଯାଇଛି, ସେଠି ମହାପ୍ରସାଦ ପାଇଁ ଏଭଳି ଭିଡ଼ ପ୍ରଶାସନର ପାରିବା ପଣିଆକୁ ଉପହାସ କରୁଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ରଥ ଦାବି କରିଛନ୍ତି।

The post ମହାପ୍ରସାଦ ପାଇଁ କାର୍ତ୍ତିକ ଆରମ୍ଭରୁ ବିଶୃଙ୍ଖଳା; ଅସମ୍ଭାଳ ଭିଡ଼, ଠେଲାପେଲା first appeared on Sambad.



from ଜିଲ୍ଲା – Sambad https://ift.tt/35RLbHK