ଧର୍ମଶାଳା: ମୃତ୍ୟୁ ଏମିତି ବି ଆସେ। ରୋଗୀ ଦେଖୁଦେଖୁ ଆର ପାରିକି ଚାଲିଗଲେ ଧର୍ମଶାଳା ଅଞ୍ଚଳର ସୁନାମଧନ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ(୬୬)। ରବିବାର ସକାଳ ପ୍ରାୟ ୯ଟା। ସବୁଦିନ ପରି ସେ ଜାରକାସ୍ଥିତ କ୍ଲିନିକରେ ରୋଗୀ ଦେଖୁଥିଲେ। ରୋଗୀ ଦେଖୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ବସିଥିବା ଚେୟାରରେ ଘୁମେଇ ପଡ଼ିଥିଲେ। ପତ୍ନୀ ମିନତି ସାହୁ, ପୁଅ ଅଂଶୁମାନ ମେମୋରିଆଲ୍ ଟ୍ରଷ୍ଟର ସଂପାଦକ ହିମାଂଶୁ ଶେଖର ସାହୁ ଓ ସହଯୋଗୀ ରବୀନ୍ଦ୍ର କୁମାର ପ୍ରଧାନ ତୁରନ୍ତ ଗାଡ଼ି ବାହାର କରି ତାଙ୍କୁ ଡାକ୍ତରଖାନା ନେଉଥିଲେ। କାର୍ ଘର ଫାଟକ ପାର ହେଉଥିବା ବେଳେ ଡ. ସାହୁ ପାଖରେ ବସିଥିବା ସହଯୋଗୀ ରବୀନ୍ଦ୍ରଙ୍କ ଉପରେ ଢଳି ପଡ଼ିଥିଲେ। ପରେ ତାଙ୍କୁ ଡାକ୍ତର ବିଜୟ କୁମାର ଶତପଥୀଙ୍କ ଚଣ୍ତିଖୋଲସ୍ଥିତ କ୍ଲିନିକକୁ ନିଆଯାଇଥିଲା। ମାତ୍ର ଡ. ଶତପଥୀ ତାଙ୍କୁ ମୃତ ଘୋଷଣା କରିଥିଲେ।

କିଛିଦିନ ହେଲା ସେ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ମରଶରୀର ଜାରକାରେ ପହଞ୍ଚିବା ପରେ ବାସଭବନ ପରିସର ଲୋକାରଣ୍ୟ ହୋଇଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ବେଣୀପୁର ଗ୍ରାମରେ ଜନ୍ମିତ ଡା.ସାହୁ ଗଂଜାମ ଜିଲ୍ଲା ଚନ୍ଦ୍ରଗିରି ଡାକ୍ତରଖାନା ଠାରୁ ଆରମ୍ଭ କରି ନଡ଼ିଆ ସାହସପୁର ସରକାରୀ ଡାକ୍ତରଖାନା, ଡେରାବିଶ, ଧର୍ମଶାଳା, କୋତପୁର ଓ ଗଙ୍ଗାଧରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧାରୀ ଭାବେ କାର୍ଯ୍ୟ କରିଥିଲେ। ଏଠାରୁ ପଦୋନ୍ନତି ପାଇ ସେ ଯାଜପୁରର ଏଡିଏମ୍ଓ ଏବଂ ସିଡିଏମ୍ଓ ଭାବେ ଅବସ୍ଥାପିତ ହୋଇ ଚାକିରିରୁ ଅବସର ଗ୍ରହଣ କରିଥିଲେ। ପରେ ସେ ବିଭିନ୍ନ ଅନୁଷ୍ଠାନ ସହିତ ସାମିଲ୍ ହୋଇ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅ,ବୋହୂ କଳ୍ପନା, ସଗ୍ମା ଶୁଭଲକ୍ଷ୍ମୀ, ନାତି ଏଲକେ ଆରବ, ଶିବାନ୍ ପାର୍ଥୀବାନ୍, ବନ୍ଧୁ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

The post ମୃତ୍ୟୁ ଏମିତି ବି ଆସେ! ରୋଗୀ ଦେଖୁଥିବା ବେଳେ ହୃଦ୍‌ଘାତରେ ଚାଲିଗଲେ ଡାକ୍ତର first appeared on Sambad.



from ଜିଲ୍ଲା – Sambad https://ift.tt/2HODSIP