କଟକ-ବିଦ୍ୟାଧରପୁର: ଜଗତପୁର, ମାଲଗୋଦାମ ପରେ ଏବେ ୱାର୍ଡ ନଂ-୫୫ କହ୍ନେଇପୁର ମହାନଦୀ ବନ୍ଧପାର୍ଶ୍ବରେ ବେଆଇନ ମସଲା ଫ୍ୟାକ୍ଟ୍ରି ଓ ପାଣି ପାଉଚ କାରଖାନା ଚାଲିଥିବା ସୂଚନା ମିଳିଛି। ଦୀର୍ଘବର୍ଷ ଧରି ଏହି କାରଖାନା ଚାଲୁଥିଲେ ମଧ୍ୟ ପୁଲିସ, ପ୍ରଶାସନ କିମ୍ବା ସିଏମ୍‌ସି ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କହ୍ନେଇପୁର ମହାନଦୀ ବନ୍ଧ ନେହରୁ କଲୋନିର ଅପରପାର୍ଶ୍ବରେ ଏକ ଆଜବେଷ୍ଟସ ଘରେ ଅତି ଅପରିଷ୍କାର ପରିବେଶରେ ମସଲା ସବୁ ଗ୍ରାଇଣ୍ଡିଂ କରାଯାଉଛି। ଗ୍ରାଇଣ୍ଡିଂ ପରେ ମସଲାକୁ ଭଦିମୂଳ ଗ୍ରାମ ମଲିକସାହି ପଛପଟରେ ଥିବା ଏକ ଘରେ ପାକିଂ କରାଯାଉଛି। ଏହି ମସଲା ସବୁ ଗ୍ରାମାଞ୍ଚଳକୁ ବିକ୍ରି ପାଇଁ ପଠାଯାଉଥିବା ଖବର ମିଳିଛି।

ମସଲା ପ୍ୟାକେଟ୍‌ ଉପରେ ବିଦ୍ୟାଧରପୁର ଠିକଣା ଲେଖା ରହୁଛି। ଏଠାକାର ଜଣେ ସ୍ଥାନୀୟ ବାସିନ୍ଦା ନିଜର ନାମ ଗୋପନ ରଖି କହିଛନ୍ତି ଯେ, ଦୀର୍ଘବର୍ଷ ଧରି ଏହି କାରବାର ଚାଲିଛି। ପ୍ରସ୍ତୁତ ହେଉଥିବା ମସଲା ଅତ୍ୟନ୍ତ ନିମ୍ନମାନର। ବହୁବାର ସିଏମ୍‌ସି ଓ ପୁଲିସକୁ ସ୍ଥାନୀୟ ଲୋକେ ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ନେହରୁ କଲୋନି ପୂର୍ବରୁ ବାମପଟେ ଥିବା ଏକ ଘରେ ବେଆଇନ ପାଣି ପାଉଚ କାରଖାନା ଦୀର୍ଘ ୮ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ସ୍ଥାନୀୟ ଦୋକାନୀ ଓ ବାସିନ୍ଦା ଅଭିଯୋଗ କରିଛନ୍ତି। ଘର ସାମ୍‌ନାରେ ନାମକୁ ମାତ୍ର ଚାଲିଛି ଗ୍ରିଲ ଗେଟ୍ ନିର୍ମାଣ। ହେଲେ, ଘର ଭିତରେ ଚାଲିଛି ପାଣି ପାଉଚ କାରଖାନା।

Sambad

ସେଠାରେ କାମ କରୁଥିବା ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି; କଳ ପାଣି ପୂରାଇ ପାଉଚ ତିଆରି କରି ବିକ୍ରି ହେଉଛି। ସମ୍ମୁଖ ଗେଟ ସବୁବେଳେ ବନ୍ଦ ରହୁଛି। ଏହି ପାଣି ପାଉଚ୍‌ ବିଭିନ୍ନ ମଦଦୋକାନ, ପାନ ଦୋକାନ ଓ ମଫସଲକୁ ବିକ୍ରି ପାଇଁ ପଠାଯାଉଥିବା ଖବର ମିଳିଛି। କାରଖାନା ମାଲିକ ପାଣି ପାଉଚ ବିକ୍ରି କରି ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ତୁରନ୍ତ ଏଭଳି ବେଆଇନ କାରଖାନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

The post କହ୍ନେଇପୁର ମହାନଦୀ ବନ୍ଧପାର୍ଶ୍ବରେ ଚାଲିଛି ବେଆଇନ ମସଲା, ପାଣି ପାଉଚ୍‌ କାରଖାନା first appeared on Sambad.



from ଜିଲ୍ଲା – Sambad https://ift.tt/3no2kjw