ନୟାଗଡ: ନିରବି ଗଲେ ଖଣ୍ଡପଡାର ସାଲବେଗ, ଓଡିଶାର ଗର୍ବ ଓ ଗୌରବ ସୁଗାୟକ ଭିକାରି ମହମ୍ମଦ। ନୟାଗଡ ଜିଲ୍ଲାର ଖଣ୍ତପଡା ଠାରେ ଜନ୍ମିତ ହିନ୍ଦୁ ମୁସଲିମ୍ ସଂହତିର ପ୍ରତୀକ ରୂପେ ପରିଚିତ ଏ ଯୁଗର ସାଲବେଗ ବିଶିଷ୍ଟ ସଂଗୀତଜ୍ଞ ଭିକାରି ମହମ୍ମଦ ଗତକାଲି (ବୁଧବାର)୧୧.୪୫ ମିନିଟ୍ ରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇଥିଲା | କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ସହ କଟକସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜରେ ଚିକିତ୍ସିତ ହେଉଥିଲେ। ଜଗନ୍ନାଥ ଜଣାଣ ଓ ଭଜନ ଗାଇ ପ୍ରସିଦ୍ଧି ଲାଭ କରିଥିବା ଏହି ବର୍ଷୀୟାନ କଳାକାର ଗତକାଲି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି।

ପରିବାର ବର୍ଗଙ୍କଠାରୁ ମିଳିଥିବା ସୂଚନା ମୁତାବକ କିଛି ମାସ ତଳେ ପ୍ରଥମେ ପକ୍ଷାଘାତଗ୍ରସ୍ତ ହେବା ପରେ ସୁସ୍ଥ ହୋଇଥିଲେ ହେଁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିଲା। ଆଉ ଗତ ବୁଧବାର ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ୍‌ରେ ଏହି ବର୍ଷିୟାନ କଳାକାର ଚିକିତ୍ସିତ ହେଉଥିଲେ। ଶେଷ ଖବର ସୁଦ୍ଧା ସେ ସ୍ବତନ୍ତ୍ର କୋଭିଡ୍‌ ୱାର୍ଡରେ ଚିକିତ୍ସିତ ହେଉଥିଲେ ବୋଲି ଜଣା ପଡ଼ିଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସହ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳରେ ଜନ୍ମିତ ଏହି କଳାକାରଙ୍କ ବାଲ୍ୟ ଜୀବନ ବେଶ୍‌ ରୋଚକ। ଦୁଇ ଭଉଣୀ ଜନ୍ମ ହେବା ପରେ ମୁସଲମାନ ସମ୍ପ୍ରଦାୟର ହୋଇଥିଲେ ହେଁ ତାଙ୍କ ମା’ ଓଡ଼ିଆ ପରମ୍ପରା ଅନୁଯାୟୀ ଦ୍ବିତୀୟା ଓଷା କରି ଜଗନ୍ନାଥଙ୍କୁ ପୁଅଟିଏ ମାଗିଥିଲେ। ଜଗତର ନାଥ ମନସ୍କାମନା ପୂରଣ କରିଥିବାରୁ ପ୍ରଥମେ ତାଙ୍କ ନାମ ରଖିଥିଲେ ଭିକାରୀ ଏବଂ ମୁସଲମାନ ହେତୁ ଶେଷନାମ ରହିଲା ମହମ୍ମଦ। ପିଲାଟି ଦିନରୁ କାଳିଆ ଠାକୁରଙ୍କ ପ୍ରତି ଭଲ ପାଇବା ଓ ଆକର୍ଷଣ ଯୋଗୁ ଜଗନ୍ନାଥ ଜଣାଣ ଓ ଭଜନ ମୁଖସ୍ଥ କରିଥିଲେ।

The post ନିରବି ଗଲେ ଖଣ୍ଡପଡାର ସାଲବେଗ ଭିକାରି ମହମ୍ମଦ first appeared on Sambad.



from ଜିଲ୍ଲା – Sambad https://ift.tt/369ANew