ଯାଜପୁର ସଦର : ଅସଂପୂର୍ଣ୍ଣ ଆବାସ ପାଇଁ ରାସନ କାର୍ଡରେ ଚାଉଳ, କିରାସିନି ଦେବା ବନ୍ଦ କରାଯାଇଛି। ଡିଲର କହୁଛନ୍ତି ବ୍ଲକ୍‌ କାର୍ଯ୍ୟାଳୟରୁ ହିତାଧିକାରୀଙ୍କ ତାଲିକା ଦିଆଯାଇ ରାସନ୍‌ ବନ୍ଦ କରିବାକୁ କୁହାଯାଇଛି। ତେଣୁ ନିର୍ଦ୍ଦେଶ ମାନି ଡିଲର ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କ ତାଲିକା ଟାଙ୍ଗି ଦେଇଛନ୍ତି। ରାସନ୍‌ ପାଇଁ ସଂପୃକ୍ତ ହିତାଧିକାରୀ ଆସିଲେ ଫେରାଇ ଦେଉଛନ୍ତି। ଏଭଳି ଅଭିଯୋଗ ଆସିଛି ଯାଜପୁର ସଦର ବ୍ଲକ୍‌ ଅନ୍ତର୍ଗତ ସୁଜନପୁର ପଞ୍ଚାୟତରୁ। ଏଭଳି ନିର୍ଦ୍ଦେଶକୁ ନେଇ ଗରିବ ହିତାଧିକାରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଞ୍ଚାୟତର ସରପଞ୍ଚ ମଧ୍ୟ ଏଭଳି ଅଜବ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି।

ଯାଜପୁର ସଦର ବ୍ଲକ୍‌ ଅନ୍ତର୍ଗତ ସୁଜନପୁର ପଞ୍ଚାୟତର ଅନେକ ହିତାଧିକାରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଘର କରିପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇ ରାସନ୍‌ ବନ୍ଦ କରିବାକୁ ପଞ୍ଚାୟତରେ ଦୁଇ ଜଣ ଡିଲର ଅରୁନ୍ଧତି ଜେନା ଓ ପ୍ରଫୁଲ୍ଲ ସାହୁଙ୍କୁ ଦିଆଯାଇଥିବା ଜଣାପଡିଛି। ଡିଲର ପଏଣ୍ଟ ସମ୍ମୁଖରେ ରାସନରୁ ବାଦ୍ ପଡିଥିବା ହିତାଧିକାରୀଙ୍କ ତାଲିକା ଝୁଲାଇ ସଂପୃକ୍ତ ହିତାଧିକାରୀଙ୍କୁ ୨ମାସ ହେଲା ରାସନ୍‌ ଦିଆଯାଉ ନଥିବା ଜଣାଯାଇଛି। ଅଭିଯୋଗରୁ ପ୍ରକାଶ ଯେ ପଞ୍ଚାୟତର ଏସ କେ ରିୟାୟୁଦ୍ଦିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଘର କରିଥିଲେ ମଧ୍ୟ ତାହା ବିଭିନ୍ନ ସମସ୍ୟାରୁ ସଂପୂର୍ଣ୍ଣ କରି ନାହାନ୍ତି। ତେଣୁ ତାଙ୍କ ନାମକୁ ରାସନରୁ ବାଦ୍ କରାଯାଇଛି। ସେହିପରି ବଦ୍ରି ନାରାୟଣ ଦାସ ନିଜର ୪ ପ୍ରାଣୀ କୁଟୁମ୍ବକୁ ନେଇ ଭଙ୍ଗା ଚାଳ ଘରେ ଦିନ କାଟୁଥିବା ବେଳେ ଆବାସ ଯୋଜନାରେ ଘର ପାଇଥିଲେ। କିନ୍ତୁ ୪ ଭାଇଙ୍କ ମଧ୍ୟରେ ଜମି ସମସ୍ୟା ତୁଟିବାରେ ‌ବିଳମ୍ବ ହେଉଥିବାରୁ ସେ ଘର ଆରମ୍ଭ କରିପାରିନାହାନ୍ତି। ସେହିପରି ଶ୍ୟାମ ସୁନ୍ଦର ଜେନା ମଧ୍ୟ ଜମି ସମସ୍ୟା ଯୋଗୁ ଘର ନିର୍ମାଣ କରି ନାହାନ୍ତି। ତେଣୁ ତାଙ୍କୁ ଦୁଇ ମାସ ହେଲା ରାସନ୍‌ ମିଳୁନି। ମୂଲ ଲାଗି ପରିବାର ଚଳାଇଥିବା ଖଟିଖିଆ ଗରିବ ପରିବାରକୁ ଉଦ୍ଦେଶ୍ୟମୂଳକ ଭାବେ ଏପରି ହଇରାଣ କରାଯାଉଥିବା ସୁଜନପୁର ସରପଞ୍ଚ ଦୁର୍ଯ୍ୟୋଧନ ଦାସ ଅଭିଯୋଗ ଉଠାଇଛନ୍ତି। ଏପରି ନିର୍ଦ୍ଦେଶ ଯୋଗାଣ ବିଭାଗରୁ ନଥିବା ବେଳେ ‌କିଏ ଓ କାହିଁକି ଡିଲରଙ୍କୁ ହାତ ଲେଖା ଚିଠି ଦେଇ ରାସନ ବନ୍ଦ ପାଇଁ କହିଛନ୍ତି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହୋଇଛି। ଅନ୍ୟପଟେ ଡିଲର ଅରୁନ୍ଧତୀ ନାୟକ କହିଛନ୍ତି ଆମ ପାଖରୁ ଏକ ହାତ ଲେଖା ଚିଠି ଆସିଛି। କିଛି ବ୍ୟକ୍ତି ଆବାସ ଯୋଜନାରେ ଘର କରିନଥିବାରୁ ତାଙ୍କୁ ରାସନ ନଦେବାକୁ କୁହାଯାଇଛି। ତେଣୁ ଆମେ ରାସନ ଦେଇନାହୁଁ । ଏନେଇ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଅସଂପୂର୍ଣ୍ଣ ଆବାସ ପାଇଁ ରାସନ ମନା! first appeared on Sambad.



from ଜିଲ୍ଲା – Sambad https://ift.tt/36go23c