
ଦଶରଥପୁର/ଯାଜପୁରସଦର : ଦାରିଦ୍ର୍ୟର କଷାଘାତ ଛଡ଼ାଇ ନେଲା ଜୀବନ। ଅଭାବ ଅନଟନ ପାଇଁ ବିଷ ପିଇଲେ ଦମ୍ପତି। ଆତ୍ମହତ୍ୟା ଉଦ୍ୟମ ବେଳେ ଚାଲିଗଲା ପତ୍ନୀଙ୍କ ଜୀବନ, ଆଉ ଏକା ହୋଇଗଲେ ସ୍ବାମୀ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ବିରିପଟା ପଞ୍ଚାୟତ ଅନ୍ତର୍ଗତ ବରେଇ ଗ୍ରାମରେ ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ବିରିପଟା ଗ୍ରାମର ଶ୍ରୀକାନ୍ତ ମିଶ୍ର ମୂଲମଜୁରି କରି ପେଟ ପୋଷନ୍ତି। ଦୈନିକ କାମକୁ ଯାଇ ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳେ। ଏବେ କରୋନା କଟକଣା ପାଇଁ କାମଧନ୍ଦା ବନ୍ଦ ହୋଇଯାଇଛି। ଅଭାବ ଅନଟନ ଯୋଗୁଁ ଘରେ ଅଶାନ୍ତି ଲାଗି ରହିଥିଲା। ଶ୍ରୀକାନ୍ତ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀଙ୍କ ମଧ୍ୟରେ ଅଭାବ ଅସୁବିଧାକୁ ନେଇ ପାଟିତୁଣ୍ଡ ହେଉଥିଲା। ଗତକାଲି ଏହିପରି ପାରିବାରିକ କହଳକୁ ନେଇ ଶ୍ରୀକାନ୍ତ ବିଷ ପିଇବାକୁ ଉଦ୍ୟମ କରିଥିଲେ। ଏହାଦେଖି ସନ୍ଧ୍ୟାରାଣୀ ସ୍ବାମୀ ଶ୍ରୀକାନ୍ତଙ୍କ ଠାରୁ ବିଷ ବୋତଲ ଛଡ଼ାଇ ନେଇ ନିଜେ ପିଇ ଦେଇଥିଲେ। ସନ୍ଧ୍ୟାରାଣୀ ଏହି ବୋତଲରୁ ଅଧିକ ପରିମାଣର ବିଷ ପିଇ ଦେଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସନ୍ଧ୍ୟାରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶ୍ରୀକାନ୍ତ ବଞ୍ଚିଯାଇଥିଲେ ମଧ୍ୟ ଏଠାରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳପୁର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶ୍ରୀକାନ୍ତଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ରହିଛନ୍ତି। ଏହିଭଳି ଏକ ଅଭାବନୀୟ ଘଟଣାରେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁରେ ଶ୍ରୀକାନ୍ତ ଓ ତାଙ୍କ ପିଲାମାନେ ଭାଙ୍ଗିପଡ଼ିଛନ୍ତି।
The post କରୋନା କାଳର କରୁଣ କାହାଣୀ : ବିଷ ପିଇଲେ ଦମ୍ପତି; ପତ୍ନୀ ମୃତ, ଡାକ୍ତରଖାନାରେ ସ୍ୱାମୀ first appeared on Sambad.
from ଜିଲ୍ଲା – Sambad https://ift.tt/329onlT
0 Comments