କଟକ : ସ୍କୁଲ ମିଶ୍ରଣ ଜିଦ୍‌ରେ ଅଟଳ ସରକାର। ହେଲେ ଏଭଳି ଜିଦ୍‌ ଆଗରେ ବଳି ପଡ଼ିବାକୁ ଯାଉଛି ଅନେକ ଐତିହାସିକ ବିଦ୍ୟାଳୟ। ଏଭଳି ନିଷ୍ପତ୍ତିରୁ ବାଦ୍‌ ପଡ଼ିନି ମଧୁବାବୁଙ୍କ ଗାଁର ୧୧୫ବର୍ଷର ସ୍କୁଲ। ପ୍ରତିଟି ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ବାଳକ ବିଦ୍ୟାଳୟରେ ୨୦ରୁ କମ୍‌ ପିଲା ଥିବା ଦର୍ଶାଇ ଏହି ସ୍କୁଲକୁ ବନ୍ଦ କରିଦିଆଯିବ ବୋଲି ତାଲିକା ପ୍ରକାଶ ପାଇସାରିଛି। ଏ ନେଇ ସୂଚନା ଦେଇଛନ୍ତି ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ(ବିଇଓ) ପ୍ରେମଲତା ନାୟକ। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମଧୁବାବୁଙ୍କ ଗାଁ ସତ୍ୟଭାମାପୁରରେ ଶିକ୍ଷାର ବିକାଶ ପାଇଁ ଦୁଇଟି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଗୋଟିଏ ହେଲା ୧୯୦୫ରେ ସ୍ଥାପିତ ସତ୍ୟଭାମାପୁର ବାଳକ ବିଦ୍ୟାଳୟ ଓ ୧୯୧୧ରେ ମଧୁବାବୁଙ୍କ ନାଁରେ ଉତ୍କଳ ଗୌରବ ମଧୁସୂଦନ ସରକାରୀ ବାଳିକା ଉଚ୍ଚପ୍ରାଥମିକ ବିଦ୍ୟାଳୟ। ଅନେକ ମଣିଷ ତିଆରି କରିଛି ଏହି ବିଦ୍ୟାଳୟ। କେବଳ ସେତିକି ନୁହେଁ, ମଧୁବାବୁଙ୍କ ଅନେକ ସ୍ମୃତିର ମୂକସାକ୍ଷୀ ଏହି ସ୍କୁଲର ପ୍ରତିଟି ଗୋଡ଼ି, ମାଟି। ସତ୍ୟଭାମାପୁର ବାଳକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଓ ବାଳିକା ବିଦ୍ୟାଳୟରେ ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢ଼ନ୍ତି। ହେଲେ ସତ୍ୟଭାମାପୁର ବାଳକ ବିଦ୍ୟାଳୟରେ ଏବେ ମାତ୍ର ୧୬/୧୭ ଜଣ ପିଲା ପଢୁଛନ୍ତି। ଫଳରେ ସରକାରୀସ୍ତରରେ ଏହି ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ମଧୁବାବୁଙ୍କ ନାଁରେ ଗଢ଼ି ଉଠିଥିବା ବାଳିକା ବିଦ୍ୟାଳୟରେ ମିଶ୍ରଣ କରାଯିବ। ମଧୁମାଟିର ଏହି ପୁରାତନ ତଥା ୧୧୫ବର୍ଷର ସ୍କୁଲ ବନ୍ଦ କରାଯିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ମଧୁମାଟିର ଐତିହ୍ୟ, ଓଡିଶାର ସ୍ବାଭିମାନ ସହ ଜଡିତ ଏହି ବିଦ୍ୟାଳୟକୁ ମିଶ୍ରଣ ପ୍ରକ୍ରିୟାରୁ ବାଦ୍‌ ଦିଆଯିବାକୁ ବହୁ ମଧୁପ୍ରେମୀ ଓ ଶିକ୍ଷାବିତ୍‌ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ସ୍କୁଲ ବନ୍ଦ ନିଷ୍ପତ୍ତି ପାଇଁ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧୁପ୍ରେମୀ ଚେତାବନୀ ଦେଇଛନ୍ତି।

The post ବନ୍ଦ ହେବ ମଧୁବାବୁଙ୍କ ଗାଁ ସ୍କୁଲ! first appeared on Sambad.



from ଜିଲ୍ଲା – Sambad https://ift.tt/2V5qfIe