
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲାଲଗଡ଼ କୁହାଯାଉଥିବା ଚିତ୍ରକୋଣ୍ଡା ବ୍ଲକ୍ ସ୍ବାଭିମାନ ଅଞ୍ଚଳ ଏବେ ବିଏସ୍ଏଫ୍ ହାତରେ। ଧୀରେ ଧୀରେ ସମ୍ପୂର୍ଣ୍ଣ ଲାଲଗଡ଼କୁ ନିଜ କବ୍ଜାକୁ ନେବାକୁ ବିଏସ୍ଏଫ୍ ନିଜକୁ ପ୍ରସ୍ତୁତ କରିସାରିଲାଣି। ପ୍ରଥମେ ଯନ୍ତାପାଇ, ପରେ ହନ୍ତାଳଗୁଡ଼ା, ତାପରେ ଦାର୍ଲାବେଡ଼ା ଓ ଏବେ ଗୋରାସେତୁକୁ ବିଏସ୍ଏଫ୍ ନିଜ କବ୍ଜାକୁ ନେଇଛି। ଯାହା ନକ୍ସଲଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଆଗକୁ ପଣସପୁଟ ଓ ଯନ୍ତ୍ରୀ ଭଳି ନକ୍ସଲ ପ୍ରବଣ ଅଞ୍ଚଳକୁ ବିଏସ୍ଏଫ୍ କବ୍ଜାକୁ ନେବା ପରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ମାଓମୁକ୍ତ ହେବ।

ଲାଲଗଡ଼ରେ ସବୁବେଳେ ନକ୍ସଲ କଳା ପତାକା ଉଡ଼ାଉଥିଲେ। ଏଠାରେ ନା ପ୍ରଶାସନ ନା ପୁଲିସ କାହାର ବି ଶାସନ ଚାଲି ପାରୁନଥିଲା। କେବଳ ନକ୍ସଲଙ୍କ ନିୟମ କାନୁନ ହିଁ ଚାଲି ଆସୁଥିଲା ଅଞ୍ଚଳରେ। ଏବେ ବିଏସ୍ଏଫ୍ ଏହି ଅଞ୍ଚଳକୁ ନିଜ କବ୍ଜାକୁ ନେବା ପରେ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡ଼ିଛି। ବିଏସ୍ଏଫ୍ ଯବାନ ଏଠାରେ କ୍ୟାମ୍ପ କରିଛନ୍ତି। ତ୍ରିରଙ୍ଗା ଉଡ଼ାଇ ଏଠାରେ ଜାତୀୟ ସଂଗୀତ ଗାନ କରିଥିଲେ ଯବାନ। ଭାରତମାତା କି ଜୟ ଧ୍ବନିରେ ନକ୍ସଲ ପ୍ରବଣ ଅଞ୍ଚଳ କମ୍ପି ଉଠିଥିଲା। ବିଏସ୍ଏଫ୍ର ଅଧିକାରୀମାନେ ଅଞ୍ଚଳ ବୁଲି ଦେଖିବା ସହ ଏହାର ତଦାରଖ କରିଥିଲେ। ଆଗକୁ ଗୋରାସେତୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି ସେମାନେ କହିଛନ୍ତି। ଏଠାରେ କିଛି ଦିନ ତଳେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ସିରିଜ ବୋମା ଖଞ୍ଜିଥିବା ବେଳେ ବିଏସ୍ଏଫ୍ ଏହାକୁ ଜବତ କରି ନିଷ୍କ୍ରିୟ କରିଥିଲା। ଅଞ୍ଚଳର ଶତାଧିକ ଲୋକ ଅତୀତରେ ନକ୍ସଲ ଦ୍ବାରା ବିସ୍ଥାପିତ ହୋଇଛନ୍ତି। ସେମାନେ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି। ସୁରକ୍ଷାକର୍ମୀ ଅଞ୍ଚଳକୁ କବ୍ଜା କରିବା ପରେ ନକ୍ସଲ ପଛଘୁଞ୍ଚା ଦେବେ ଓ ଲୋକେ ପୁଣି ଭିଟାମାଟିକୁ ଫେରିବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି।
ସ୍ଥାନୀୟ ଲୋକଙ୍କ ସହଯୋଗରେ ହିଁ ବିଏସ୍ଏଫ୍ ଏଠାରେ ନକ୍ସଲ ଦମନରେ ସଫଳ ହେବ ବୋଲି କୁହାଯାଇଛି। ପ୍ରଶାସନ ତରଫରୁ ଏଣିକି ଅଞ୍ଚଳରେ ବିକାଶ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇପାରିବ। ନିଜର ଗଡ଼ ଗୋରାସେତୁକୁ ବିଏସ୍ଏଫ୍ କବଜା କରିବା ପରେ ନକ୍ସଲ ଆଗାମୀ ଦିନରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
The post ଲାଲଗ଼ଡ଼ରେ ଉଡ଼ିଲା ତ୍ରିରଙ୍ଗା, ଗୋରାସେତୁ ଅଞ୍ଚଳକୁ କବ୍ଜା କଲା ବିଏସ୍ଏଫ୍ first appeared on Sambad.
from ଜିଲ୍ଲା – Sambad https://ift.tt/3mLwcFY
0 Comments