
ପିପିଲି : ଜଣେ ନାବାଳକକୁ ସାବାଳକ ଦର୍ଶାଇ ଆଜିକୁ ୭ ଦିନ ହେଲା ନିମାପଡ଼ା ସବ୍ଜେଲ୍ରେ ରଖିଛି ପିପିଲି ପୁଲିସ। ଏକ ମରଣାନ୍ତକ ଆକ୍ରମଣ ମାମଲାରେ ୬ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ନାବାଳକକୁ ଗିରଫ କରିବା ପରେ ପିପିଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଏବେ ନାବାଳକ ନିମାପଡ଼ା ଜେଲରେ ରହିଛି। ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଆଜିକୁ ୭ ଦିନ ବିତି ଯାଇଥିଲେ ବି ସମ୍ପୃକ୍ତ ନାବାଳକକୁ ଏଯାଏ ଜୁଭେନାଇଲ୍ ଜଷ୍ଟିସ କୋର୍ଟରେ ହାଜର କରା ନଯିବା ପୁଲିସ୍କୁ ସନ୍ଦେହ ଘେରକୁ ଟାଣିଆଣିଛି।
ଗତ ୧୩ ତାରିଖରେ ପିପିଲିର ସାଜିଦ ହୁସେନ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ଅନ୍ୟ ୫ ଅଭିଯୁକ୍ତଙ୍କ ସହ ଜଣେ ୧୭ ବର୍ଷୀୟ ନାବାଳକକୁ ଗିରଫ କରିଥିଲା ପୁଲିସ। କିନ୍ତୁ ନାବାଳକର ବୟସ ପ୍ରମାଣପତ୍ର ନ ଦେଖି ତାଙ୍କୁ ସାବାଳକ ଦର୍ଶାଇଥିଲେ ପିପିଲି ଥାନା ଅଧିକାରୀ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୋର୍ଟ ଚାଲାଣ ରିପୋର୍ଟରେ ଯାହାଙ୍କ ବୟସ ୧୮ ବର୍ଷ ଦର୍ଶାଯାଇଥିଲା, ଗିରଫ ଦିନ ପର୍ଯ୍ୟନ୍ତ ତାଙ୍କର ବୟସ ୧୭ ବର୍ଷ ୧୦ ମାସ ଥିବା ପ୍ରମାଣ ରହିଛି। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ହାଜତ ଅତ୍ୟାଚାର ମାମଲାର ତଦନ୍ତ କରୁଥିବାବେଳେ ଏହି ପ୍ରସଙ୍ଗ ବି ସାମ୍ନାକୁ ଆସିଥିଲା। କିନ୍ତୁ ଆଜିକୁ ୭ ଦିନ ଧରି ସମ୍ପୃକ୍ତ ନାବାଳକ ନିମାପଡ଼ା ସବ୍ଜେଲରେ ଅନ୍ୟ ଅପରାଧୀମାନଙ୍କ ସହ ଦିନ କାଟୁଛି।
ବାଳ ଅପରାଧ ନିୟମ ଅନୁସାରେ, କୌଣସି ଅପରାଧରେ ସମ୍ପୃକ୍ତ ନାବାଳକ ଗିରଫ ହେଲେ ତାକୁ ଜିଲ୍ଲା ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଇ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଇବା କଥା। କିନ୍ତୁ ପୁଲିସ କୌଣସି ବୟସ ପ୍ରମାଣ ପତ୍ର ଯାଞ୍ଚ କରିନଥିବା ଜଣାପଡ଼ିଛି। ‘ସମ୍ବାଦ’ ହାତରେ ସମ୍ପୃକ୍ତ ନାବାଳକର ଆଧାରକାର୍ଡ ଓ ଜନ୍ମପ୍ରମାଣ ପତ୍ର ଲାଗିଛି। ସେଥିରେ ନାବାଳକର ବୟସ ୨୬ ଜାନୁଆରି ୨୦୦୩ ବୋଲି ସ୍ପଷ୍ଟ ଉଲ୍ଲେଖ ରଖିଛି। ଡାକ୍ତରଖାନା ଜନ୍ମ ପଞ୍ଜୀକରଣ ରେଜିଷ୍ଟରରେ ମଧ୍ୟ ଏହା ଉଲ୍ଲେଖ ରହିଥିବା ଜଣାପଡିଛି। ତଥାପି ଆଖି ବୁଜିଦେଇଛି ପିପିଲି ପୁଲିସ। ତୁରନ୍ତ ନାବାଳକକୁ ନିମାପଡ଼ା ଜେଲରୁ ମୁକ୍ତ କରି ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଇବାକୁ ପୁରୀ ଏସପିଙ୍କୁ ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ନିର୍ଦ୍ଦେଶ ଦେବାର ଏହା ଭିତରେ ୪୮ ଘଣ୍ଟା ପୂରିଗଲାଣି। ତଥାପି କମିଶନଙ୍କ ନିର୍ଦ୍ଦେଶକୁ ମାନୁନାହିଁ ପୁଲିସ। ତେବେ ନାବାଳକକୁ ସାବାଳକ ଦର୍ଶାଇବା ମାମଲାରେ ପୁଲିସ ଅତି ଗୋପନୀୟ ଭାବେ ନାବାଳକର ସମସ୍ତ ବୟସ ପ୍ରମାଣପତ୍ରକୁ ଯାଂଚ କରୁଥିବା ସୂଚନା ମିଳିଛି।
The post ପିପିଲି ପୁଲିସ୍ ଥାର୍ଡ ଡିଗ୍ରି ଘଟଣା : ଅନ୍ୟ ଅପରାଧୀଙ୍କ ଗହଣରେ ନାବାଳକ first appeared on Sambad.
from ଜିଲ୍ଲା – Sambad https://ift.tt/39i9LVF
0 Comments