କଟକ: ପୁରୀରେ ଜନ୍ମାଷ୍ଟମୀ ଅବସରରେ ମଙ୍ଗଳାଘାଟରେ ଯମୁନା ଗାଧୁଆ ବୁଡ଼ ଓ ନନ୍ଦ ଉତ୍ସବ ଆୟୋଜନ ହେଉଥିବା ଜମି ଉପରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ଏହି ଜମିର ସ୍ଥିତିରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ ଓ ସ୍ଥିତାବସ୍ଥା ବଜାୟ ରଖାଯିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଯମୁନା ଗାଧୁଆ ବୁଡ଼ ଓ ନନ୍ଦ ଉତ୍ସବ ସୁରକ୍ଷା ସମିତି ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୫କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଯମୁନା ଗାଧୁଆ ବୁଡ଼ ଓ ନନ୍ଦ ଉତ୍ସବ ଆୟୋଜନ ହେଉଥିବା ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର ଉଦ୍ୟମ ବିରୋଧ କରି ଆବେଦନକରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ପୁରୀ ସଦର ତହସିଲ ଅନ୍ତର୍ଗତ ସମଙ୍ଗ ମୌଜାରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଜନ୍ମାଷ୍ଟମୀ ଅବସରରେ ଯମୁନା ଗାଧୁଆ ବୁଡ଼ ଓ ନନ୍ଦ ଉତ୍ସବ ଆୟୋଜନ କରାଯାଏ। ଶତାଧିକ ବର୍ଷର ଏହି ଉତ୍ସବ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ସଂସ୍କୃତି ସହିତ ମଧ୍ୟ ଜଡିତ। ପୁରୀରେ ରହିଥିବା ଚାରି ଘାଟ ଭିତରୁ ଗୋଟିଏ ହେଉଛି ମଙ୍ଗଳାଘାଟ। ଇତିହାସରେ ଥିବା ତଥ୍ୟ ଅନୁସାରେ ପୁରୀ ମନ୍ଦିର ଉପରେ ବିଭିନ୍ନ ସମୟରେ ଆକ୍ରମଣ ବେଳେ ଶ୍ରୀଜିଉଙ୍କୁ ମଙ୍ଗଳାଘାଟ ଦେଇ ସେବକମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ନେଇଥିଲେ। ଏହି ଘାଟ ଦେଇ ପୁଣି ଶ୍ରୀଜିଉଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଅଣାଯାଇଥିବା ମଧ୍ୟ ବିଶ୍ବାସ କରାଯାଏ। ଗଜପତି ଏହି ଘାଟର ଗୁରୁତ୍ବକୁ ଅନୁଭବ କରି ଏଠାରେ ରାଣୀ ଚଉରା ନିର୍ମାଣ କରାଇଥିଲେ।

ପ୍ରତିବର୍ଷ ଜନ୍ମାଷ୍ଟମୀ ବେଳେ ଯମୁନା ଗାଧୁଆ ବୁଡ଼ ଓ ନନ୍ଦ ଉତ୍ସବ ପାଇଁ ଏଠାରେ ହଜାର ହଜାର ଲୋକ ଏକତ୍ରିତ ହେଉଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ମା ମଙ୍ଗଳାଘାଟରେ ପହଞ୍ଚିବା ପରେ ଏହି ଉତ୍ସବ ଆରମ୍ଭ ହେବାର ପରମ୍ପରା ରହିଛି। ଏଠାରେ ରହିଥିବା ମା ଘାଟ ମଙ୍ଗଳାଙ୍କ ମନ୍ଦିରକୁ ପ୍ରତିଦିନ ଶ୍ରୀଜଗନ୍ନାଥ ମନ୍ଦିରରୁ ମାଳା ଓ ମହାର୍ଦ୍ଦ ଆସିଥାଏ। କିନ୍ତୁ ଏହି ଉତ୍ସବ ଆୟୋଜନ କରାଯାଉଥିବା ଜମିକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସରକାର ହସ୍ତାନ୍ତର କରିଥିବା ଜଣା ପଡିବା ପରେ ଏହାକୁ ନେଇ ବିବାଦ ବଢିଛି। ଗଣଶିକ୍ଷା ବିଭାଗ ଏହି ଜମିକୁ ଅକ୍ଷୟପାତ୍ର ଫାଉଣ୍ଡେସନ୍ ନାମକ ଘରୋଇ ସଂସ୍ଥାକୁ ଏକ ‘କମନ୍ କିଚେନ୍’ ଚଳାଇବାକୁ ଦେଇଥିବା ବେଳେ ଏଥି ପାଇଁ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ଏହାକୁ ସ୍ଥାନୀୟ ଲୋକ ଓ ବିଧାୟକ ବିରୋଧ କରି ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।

ଏହି ଜମିକୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇ ଶତାଧିକ ବର୍ଷର ପରମ୍ପରାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହା ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବାକୁ ଉଦ୍ୟମ। ଏହି ଜମିକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ପ୍ରଦାନ କରା ନ ଯାଉ। ନିଆଯାଇଥିବା ନିଷ୍ପତ୍ତି ରଦ୍ଦ କରାଯାଉ ‌ବୋଲି ଦାୟର ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ପୁରୀ ଜିଲ୍ଲାପାଳ, ଏଡିଓ, ତହସିଲଦାର, ଏସ୍‌ପି, ବାଶେଳିସାହି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

The post ଶ୍ରୀକ୍ଷେତ୍ର ଯମୁନା ଗାଧୁଆ ବୁଡ଼ ଓ ନନ୍ଦ ଉତ୍ସବ ଜମି ବିବାଦ; ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ   first appeared on Sambad.



from ଜିଲ୍ଲା – Sambad https://ift.tt/3kftua9