
ବାଲିପାଟଣା: ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ମଧୁବନ ଛକ ନିକଟରେ ଘଟିଥିବା ବାଇକ୍ ଓ କାର୍ ଧକ୍କାରେ ଆହତ ବାଇକ୍ ଆରୋହୀଙ୍କର ଆଜି ପ୍ରତ୍ୟୁଷରେ ମୃତ୍ୟୁ ଘଟିଛି।
ସାଙ୍ଘାତିକ ଆହତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବାଇକ୍ ଆରୋହୀଜଣକ ହେଉଛନ୍ତି ଗୁଆପୁର ଗ୍ରାମର ଚକ୍ରଧର ରାଉତ।
ପ୍ରାପ୍ତ ସୂଚନା ଅନୁସାରେ, ଗତ ସନ୍ଧ୍ୟାରେ ବାଲିପାଟଣା ଥାନା ଅନ୍ତର୍ଗତ ଗୁଆପୁର ଗ୍ରାମର ୪୮ ବର୍ଷିୟ ଚକ୍ରଧର ରାଉତ ବିଶ୍ୱନାଥପୁର ଅଭିମୁଖେ ଯାଉଥିଲେ। ବିପରୀତ ପଟରୁ ବାଲିପାଟଣା ଆଡ଼କୁ ଆସୁଥିବା ଗୋଟାଏ କାର୍ ମଧୁବନ ଛକରେ ତାଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ଖାଇଥିଲା। ଧକ୍କା ଯୋଗୁଁ ବାଇକ୍ ସହ ଚକ୍ରଧର ରାସ୍ତାରେ କିଛି ଦୂରକୁ ଛିଟିକି ପଡ଼ିଥିଲେ। ଶକ୍ତ ଆଘାତ ପାଇ ତାଙ୍କ ମୁଣ୍ଡ ଫାଟି ଯିବାରୁ ପ୍ରବଳ ରକ୍ତସ୍ରାବ ହେବା ସହ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା।
ଘଟଣାସ୍ଥଳକୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ, କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ଯୋଗୁଁ ସେଠାରେ ତାଙ୍କର ଚିକିତ୍ସା ସମ୍ଭବ ହୋଇ ନ ଥିବା କୁହାଯାଉଛି। ତେଣୁ, ବିଳମ୍ବିତ ରାତ୍ରୀରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଆଜି ବଡ଼ି ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଘୋଷଣା କରିଛନ୍ତି।
ଦୁର୍ଘଟଣା ଘଟାଇଥିବା କାର୍ଟି ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ତା’ର ସନ୍ଧାନ ପାଇନାହିଁ।
The post ଅଜଣା କାର ଧକ୍କାରେ ଗୁରୁତର ଆହତ ବାଇକ ଆରୋହୀଙ୍କ ମୃତ୍ୟୁ first appeared on Sambad.
from ଜିଲ୍ଲା – Sambad https://ift.tt/2Vslf0u
0 Comments