ନୟାଗଡ଼: ବହୁଚର୍ଚ୍ଚିତ ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍‌ ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନିମନ୍ତେ ଗଠନ ହୋଇଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଆଜି ନୟାଗଡ଼ ଗସ୍ତ କରିଛନ୍ତି। ଟିମ୍‌ର ମୁଖ୍ୟ ତଥା କ୍ରାଇମ୍‌ ବ୍ରାଞ୍ଚ୍‌ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏହି ଟିମ୍‌ ପରୀର ଗ୍ରାମ ସଦର ଥାନା ଅଧୀନ ଯଦୁପୁର ଗ୍ରାମକୁ ଆସି ଘଟଣାର ଅନୁସନ୍ଧାନ କରିଥି‌ଲେ। ପରୀର ଶବ ଉଦ୍ଧାର ହୋଇଥିବା ସ୍ଥାନକୁ ଶ୍ରୀ ବୋଥ୍ରା ବୁଲି ଦେଖିଥିଲେ। ହତ୍ୟାକାରୀ ନିକଟରେ ପହଞ୍ଚିବାକୁ ଏଠାରୁ ବିଭିନ୍ନ ସୁରାକ୍‌ର ସନ୍ଧାନ କରିଛନ୍ତି। ଏଥିସହିତ ପରୀ ଘରକୁ ଯାଇ ତା’ର ବାପା ଅଶୋକ ସାହୁ ଓ ମା’ ସୌଦାମିନୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ବୋଥ୍ରା ଅପରାହ୍ଣ ପ୍ରାୟ ୪ଟା ପାଖାପାଖି ସମୟରେ ନୟାଗଡ଼ଠାରେ ପହଞ୍ଚିଥିଲେ। ପ୍ରଥମେ ସେ ସର୍କିଟ ହାଉସ ଯାଇ ସେଠାରେ ଜିଲ୍ଲା ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଏହାପରେ ସର୍କିଟ୍‌ ହାଉସ୍‌ରୁ ବାହାରି ପରୀ ଗ୍ରାମ ଯଦୁପୁରରେ ପ୍ରାୟ ୪ଟା ୩୦ରେ ପହଞ୍ଚିଥିଲେ। ସେଠାରୁ ସେ ପରୀ ଶବ ବା ମାତ୍ର ୧୦ ବାର ଖଣ୍ଡ ହାଡ଼ ଯେଉଁ ପୋଖରୀ କୂଳରୁ ବସ୍ତା ମଧ୍ୟରୁ ଉଦ୍ଧାର ହୋଇଥିଲା, ସେଠାକୁ ଯାଇଥିଲେ। ସେଠା‌ରେ ପାଖାପାଖି ୩୦ ମିନିଟ୍ ଅନୁସନ୍ଧାନ ଚଳାଇଥିଲେ। ତଦନ୍ତରେ ବାଧା ଉପୁଜିବା ଦର୍ଶାଇ ଗଣମାଧ୍ୟମକୁ ଘଟଣାସ୍ଥଳକୁ ବାରଣ କରିଥିଲେ। ପରୀ ବାପା ଅଶୋକ ସାହୁଙ୍କୁ ଘଟଣାସ୍ଥଳକୁ ଡକାଇ କିଭଳି ଅବସ୍ଥାରେ ସେ ଏଠାରେ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ, ସେ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ପରୀର ଘରକୁ ଯାଇ ଶ୍ରୀ ବୋଥ୍ରା ବନ୍ଦ କୋଠରିରେ ବାପା-ମା’ଙ୍କ ସହିତ ଆଲୋଚନା କରିଥିଲେ। ସେଠାକୁ ମଧ୍ୟ ଗଣମାଧ୍ୟମକୁ ବାରଣ କରାଯାଇଥିଲେ। ପାଖାପାଖି ୩୦ ମିନିଟ୍‌ ବୋଥ୍ରା ପରୀ ପରିବାର ସହ ଆଲୋଚନା ପରେ ଫେରିଯାଇଥିବା ଜଣାପଡ଼ିଛି। ପ୍ରାୟ ୨ ଘଣ୍ଟା ଯଦୁପୁରରେ ଶ୍ରୀ ବୋଥ୍ରା ତନାଘନା କରିଥିଲେ। ପରୀ ମାମଲାର ଅନୁସନ୍ଧାନ ବାବଦରେ ଶ୍ରୀ ବୋଥ୍ରା ଗଣମାଧ୍ୟମ ଆଗରେ ବିଶେଷ କିଛି କହିବାକୁ ରାଜି ହୋଇ ନଥିଲେ। ‘ଆଜି ମୁଁ ପ୍ରଥମ ଅନୁଧ୍ୟାନ କରିଛି। ସବିଶେଷ ତଥ୍ୟ ମିଳିଲେ ଆପଣମାନଙ୍କୁ ଜଣାଇବି। ଏବେ କିଛି କହି ପାରିବିନି’ ବୋଲି କହିଥିଲେ। ଏହି ଅନୁସନ୍ଧାନ ସମୟ‌ରେ ଏସ୍‌ଆଇଟିର ଅନ୍ୟ ଅଧିକା‌ରୀମାନେ ମଧ୍ୟ ସାମିଲ୍‌ ହୋଇଥିଲେ।

ପ୍ରକାଶଥ‌ାଉକି, ରାଜ୍ୟ ସରକାରଙ୍କ ଦକ୍ଷ ପୁଲିସ ଅଫିସର୍‌ ଭାବେ ଅରୁଣ ବୋଥ୍ରାଙ୍କ ସୁନାମ ରହିଛି। ପୂର୍ବରୁ ପାଟଣାଗଡ଼ ପାର୍ସଲ ବୋମା ଘଟଣା କିମ୍ବା ସାରଥୀ, ସୁର ବାବା ମାମଲାର ତଦନ୍ତ ଭାର ନେଇ ସଫଳତା ଅର୍ଜନ କରିଥିଲେ। ଏବେ ପରୀ ମାମଲାରେ ହତ୍ୟାକାରୀକୁ ଖୋଜି ବାହା‌ର କରିବେ ବୋଲି ଆଶା ସଞ୍ଚାର ହୋଇଛି।

The post ପରୀ ହତ୍ୟା ମାମଲା: ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତ ଆରମ୍ଭ first appeared on Sambad.



from ଜିଲ୍ଲା – Sambad https://ift.tt/3fX9NTZ