ଜୟପୁର: ସୁସ୍ଥ ଥିଲେ, ନିଜେ କାମ ନିଜେ କରି ପରିବାର ପ୍ରତିପୋଷଣ କରିପାରୁଥିଲେ। କିନ୍ତୁ ସମୟ ଏହି ଦୁହିଁକୁ କାଠଗଢାରେ ଠିଆ କରିଛି ଯେ ଓଳିଏ ଖାଇଲେ ଆର ଓଳିକୁ ଉପାସ। ପରିସ୍ଥିତି ଏପରି ହୋଇଛି ଯେ ଅନ୍ୟର ହାତଟେକାରେ ଗୋଟିଏ ଓଳି ପେଟକୁ ଦାନା ଯାଉଛି ସିନା ଅନ୍ୟ ଓଳିରେ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।

ଆମେ କହୁଛୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ଗାଁରେ ରହୁଥିବା ୪୫ ବର୍ଷୀୟ ବି.ବସନ୍ତ ଓ ୫୫ ବର୍ଷୀୟ ମଣି ମାଣ୍ଡିଙ୍କ କଥା। ଏହି ଦୁଇଜଣ ହେଉଛନ୍ତି ଏପରି ଦୁଇ ଭିନ୍ନକ୍ଷମ ଯାହାଙ୍କ ଜୀବନରେ ବର୍ଷେ ମଧ୍ୟରେ ଏପରି ଝଡ ଆସିଛି ଯେ ତାଙ୍କୁ ତଳିତଳାନ୍ତ କରିଦେଇଛି। ଆଜି ଡିସେମ୍ବର ତିନି ତଥା ବିଶ୍ବ ଭିନ୍ନକ୍ଷମ ଦିବସ। ଏହି ଅବସରରେ ‘ସମ୍ବାଦ’ ପକ୍ଷରୁ ଦୁଇଟି ଦୁଃଖି ମଣିଷଙ୍କର ଦୁଃଖ କାହାଣୀର ଉପସ୍ଥାପନା……

ବସନ୍ତଙ୍କୁ ଦୁଃଖ ଆଣିଦେଲା ଦାଦନ
ଦାଦନ କାମ କରି ବେଶ ଦୁଇ ପଇସା ପାଉଥିଲେ ୪୫ ବର୍ଷୀୟ ବି.ବସନ୍ତ। ଅବିବାହିତ ହୋଇଥିବାରୁ ସେଥିରୁ ଯାହା ମିଳୁଥିଲା ନିଜେ ଚଳିଯାଉଥିଲେ। ହେଲେ ଗତବର୍ଷ ଡିସେମ୍ବର ମାସରେ ଦାଦନ ଖଟିବାକୁ ଯାଇଥିଲେ। ହଠାତ ଚିୟାରରୁ ତଳକୁ ଖସି ପଡିବାରୁ ଭାଙ୍ଗିଗଲା ଡାହାଣ ଗୋଡ। ଦୀର୍ଘ ଦିନ କଷ୍ଟରେ ପଡି ରହିବା ପରେ ନିଜେ ବଡ କଷ୍ଟରେ ସଞ୍ଚୟ କରିଥିବା ଅର୍ଥରୁ କେରଳରୁ ଘରକୁ ଆସିଲେ। ଏବେ ଗୋଡ ଟିକେ ତଳେ ଲାଗୁଥିବାବେଳେ ସକାଳ ହେଲେ ଘରୁଛି ପେଟ ଚିନ୍ତା। ଫଳରେ ଦିନକୁ ଦିନ ଗୋଡ ଭାଙ୍ଗାର କଷ୍ଟ ବେଶୀ ହେଉଥିବାବେଳେ କମିବା ନାଁ ନେଉଛି। ଦାଦନ ଖଟାଉଥିବା ଠିକାଦାର ବାହାର କରିଦେବା ପରେ ବଡ କଷ୍ଟରେ ଜୟପୁରର ବାରିଣିପୁଟରେ ରହୁଛନ୍ତି। ଘର କହିଲେ ଝାଡିମାଟିର କୁଡିଆ ଖଣ୍ଡେ। ଏହାପରେ ପଡିଛି ଟିଣର ୪ଟି ଚାଦର। ସରକାରଙ୍କ ପକ୍ଷରୁ ମାସକୁ ରାସନକାର୍ଡରେ ୫ କେଜି ଚାଉଳ ମିଳୁଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେକ ପରି। ୫ କେଜି ଚାଉଳକୁ ଯଦି ଦୁଇ ଓଳି ଖାଇ ଦିଅନ୍ତି ତେବେ ମାତ୍ର ୧୦ ଦିନରେ ଚାଉଳ ଶେଷ ହୋଇଯିବ। ଏହାପରେ ପାଣି ପିଇ ରହିବାକୁ ହୁଏ ବୋଲି ସେ କହିଛନ୍ତି। ଗାଁରେ କାମ ନ ମିଳିବାରୁ ସେ କେରଳକୁ ଯାଇଥିଲେ ଯେ ଏବେ ତାହାର ଭୋଗ ଭୋଗୁଛନ୍ତି ସେ ଦୁଃଖରେ କହିଛନ୍ତି। ବହୁବାର ସ୍ଥାନୀୟ ସରପଞ୍ଚ ଓ ଲୋକ ପ୍ରତିନିଧିଙ୍କୁ ଜଣାଇଥିଲେ କେହିଁ କର୍ଣ୍ଣପାତ କରି ନ ଥିବା ସେ କହିଛନ୍ତି।

ଲକଡାଉନ ଆଣିଲା ଦୁଃଖ
ମଣି ମାଣ୍ଡି। ବୟସ ପାଖାପାଖି ୫୫ ହେବ। ଲକଡାଉନ ପୂର୍ବରୁ ସେ ଜୟପୁରରେ ରହିଥିବା ଓଏଚପିସିରେ ଚତୁର୍ଥଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। କିନ୍ତୁ ଲକଡାଉନ ତାଙ୍କପାଇଁ ଦୁଃଖ ଆଣିଦେଲା। କାର୍ଯ୍ୟାଳୟରେ କାମ କରିବା ସହ ବିଭାଗୀୟ ପରିଚାଳକଙ୍କ ଘରକୁ କାମକରିବାକୁ ଯାଉଥିବାବେଳେ ମୁଣ୍ଡ ବୁଲାଇ ପଡିଗଲେ। ଦୀର୍ଘ ସମୟ ଧରି ବିଭାଗୀୟ ମୁଖ୍ୟଙ୍କ ଗେଟ ସମ୍ମୁଖରେ ପଡି ରହିଥିଲେ ହେଁ କେହି ଆହା ପଦେ କହିବାକୁ ନ ଥିଲେ। ଦୀର୍ଘ ସମୟ ପରେ ପଡିଆ ସାହିରେ ରହୁଥିବା ଝିଅ ସାବିତ୍ରୀ ଖୀଲ ଘଟଣାସ୍ଥଳରେ ପହଞ୍ଚି ମଣିଙ୍କୁ ଉଦ୍ଧାର କରିଥିଲେ। ମେଡିକାଲରେ ଭର୍ତ୍ତି କରିବା ପରେ ଡାହାଡପଟକୁ ପକ୍ଷାଘାତ ହେବାରୁ ତାଙ୍କର ଡାହାଡ ପଟର ସବୁ ଦାନ୍ତ ଭାଙ୍ଗି ଯାଇଛି। ଏହାସହ ପଡିଯିବାରୁ ହାତ ଓ ପଞ୍ଜରା ହାଡ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ଏହି ମଣି ଆଗରୁ ଓଏଚପିସିରେ କାମ କରି ନିଜେ ଚଳିବା ସହ ଝିଅ ଘରକୁ ଦେଖୁଥିବାବେଳେ ଏବେ ଏହି ଝିଅ ସାବିତ୍ରୀ ହିଁ ସବୁ କିଛି।

ମଣିଙ୍କ ବଦଳରେ ଓଏଚପିସି କର୍ତ୍ତୃପକ୍ଷ ଅନ୍ୟଜଣଙ୍କୁ ଚାକିରିରେ ରଖିଥିବାବେଳେ ସ୍ବାସ୍ଥ୍ୟ ସମ୍ବନ୍ଧରେ ଥରେ ହେଲେ ମଧ୍ୟ ପଚାରିଲେ ନାହିଁ। ଅଧିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଖର୍ଚ୍ଚ ଆବଶ୍ୟକ ପଡୁଥିବାବେଳେ ଇପିଏଫ ଓ ଇଏସଆଇ ଅର୍ଥ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଶାବିତ୍ରୀ କୂଲି ଭୂତି କରି ଯାହା ଦେଉଛି ସେଥିରେ ପରିବାର ଚଳୁଥିବା ୬ ପ୍ରାଣୀଙ୍କ ପେଟକୁ ଦାନା ଯାଉଛି। ଏନେଇ ସେ ବହୁବାର ଓଏଚପିସିକୁ ଯାଇ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ତାଙ୍କ ଚାକିରି ନ ଥିବା କର୍ତ୍ତୃପକ୍ଷ କହିଛନ୍ତି। ପରେ ନିରାଶ ହୋଇ ଘରେ ରହିଥିବା ଆଜି ଦେଖିବାକୁ ପାଇଛୁ। ବହୁବାର ସ୍ଥାନୀୟ ସରପଞ୍ଚ, ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଲେଖି ଅବଗତ କରିଛନ୍ତି। ଠିକାଦାରଙ୍କୁ ଚାକିରି, ଇପିଏଫ ଓ ଇଏସଆଇ ସମ୍ପର୍କରେ କହିଛନ୍ତି କିନ୍ତୁ ଧରାଛୁଆଁ ଦେଉ ନାହିଁ। ଆଜି ଆସ କାଲି ଆସ କହି ଭୁଆଁ ବୁଲାଉଥିବାବେଳେ ଅଭାବୀ ଲୋକ ହୋଇଥିବାରୁ ତାଙ୍କ ପଛରେ ନ ଗୋଡାଇ ପେଟ ପାଇଁ ପ୍ରତିଦିନ ଦାନା ଯୋଗାଡ କରିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ତେବେ ସମୟ କିରପରି ଦୁଇ ଜଣ ସକ୍ଷମକୁ କିପରି ସମୟ ଅକ୍ଷମ ଓ ଭିର୍ଣ୍ଣକ୍ଷମ କରିଦେଲା ତାହା କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟରେ ଦେଖିବାକୁ ମିଳିଛି। ଅକ୍ଷମ ହେତୁ କିପରି ପ୍ରଶାସନ ନଜରରେ ଏହି ଦୁଇଜଣ ପଡୁ ନାହାନ୍ତି ତାହା ଦେଖିବାକୁ ମିଳିଛି।

 

The post ଆଜି ବିଶ୍ବ ଭିନ୍ନକ୍ଷମ ଦିବସ: ନ୍ୟାୟ ମାଗୁଛନ୍ତି ବସନ୍ତ ଓ ମଣି first appeared on Sambad.



from ଜିଲ୍ଲା – Sambad https://ift.tt/36um4fI