
ଯାଜପୁର/ଚଢେଇଧରା: ବନୀକରଣ ନାମରେ ଶହ ଶହ କୋଟି ଟଙ୍କା ଚଳୁ ହୋଇଯାଇଛି। ଯାହାକୁ ନେଇ ସମଗ୍ର ରାଜ୍ୟରେ ଝଡ଼ ଉଠୁଛି। କଟକ ଡିଭିଜନ ଅଧୀନରେ ଥିବା ଯାଜପୁର ଜିଲ୍ଲାର ୪ଟି ରେଞ୍ଜରେ ମଧ୍ୟ ମିଥ୍ୟା ବିଲ୍ କରି ଅସାଧୁମେଣ୍ଟ ଅର୍ଥ ହଡ଼ପ କରିଚାଲିଛନ୍ତି। ଡାଳିଯୋଡା(ବୈରୀ) ରେଞ୍ଜରେ କୋଟି କୋଟି ଟଙ୍କାର ହେରାଫେରି ଉପରୁ ପରଦା ହଟିବାରେ ଲାଗିଛି। ଏହି ରେଞ୍ଜ ଅଧୀନସ୍ଥ ଧର୍ମଶାଳା ତହସିଲର ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ (ମଉଦେଇ) ପାହାଡ଼ରେ କାମ୍ପା ଏପିଓ ୨୦୨୦-୨୧ଆର୍ଥିକ ବର୍ଷରେ ହୋଇଥିବା ବନୀକରଣରେ ୫୫ହଜାର ଗଛ ଉଭାନ ହୋଇଯାଇଛି। ପ୍ରାୟ ୪କୋଟି ଟଙ୍କା ଅସାଧୁମେଣ୍ଟ ଗିଳି ଦେଇଥିବା ଅଭିଯୋଗ ହେଉଛି।
ପ୍ରକାଶଥାଉକି, କଟକ ଡିଭିଜନ ଅଧୀନ ଡାଳିଯୋଡା(ବୈରୀ) ରେଞ୍ଜ ଦ୍ବାରା ଧର୍ମଶାଳା ତହସିଲର ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରୀ (ମଉଦେଇ) ପାହାଡ଼ରେ କାମ୍ପା ଯୋଜନାରେ ୨୦୨୦-୨୧ଆର୍ଥିକ ବର୍ଷରେ ୩୯.୩୫୬ ହେକ୍ଟର ଜମିରେ ୬୨ହଜାର ୯୪୦ଗଛ ଲଗା ଯାଇଥିବା ଫଳକରେ ଦର୍ଶାଯାଇଛି। ତେବେ ମୋଟ ବ୍ୟୟ ଅଟକଳ ବା କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର କିଛି ସୂଚନା ଦିଆଯାଇନାହିଁ । ଏଠାରେ ପ୍ରାୟ ୪କୋଟି ଟଙ୍କା ବିନିଯୋଗ ହୋଇଛି ବୋଲି କୁହାଯାଉଛି। ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ଲାଗି କାମ୍ପା ଯୋଜନାରେ ଅର୍ଥ ବ୍ୟବସ୍ଥା ହୋଇଥିଲା। ପ୍ରାକୃତିକ ଉପାୟରେ ଓ ଗ୍ରାମବାସୀଙ୍କ ସହଯୋଗରେ ଘଞ୍ଚ ଜଙ୍ଗଲ ହୋଇଥିବା ପନ୍ତୁରୀ ପାହାଡ଼କୁ ଲଣ୍ଡା ପାହାଡ଼ ଦର୍ଶାଯାଇଛି। ଯୋଜନାବଦ୍ଧ ଭାବେ କାମ୍ପା ଯୋଜନାର କୋଟି କୋଟି ଟଙ୍କା ଚଳୁ କରିବା ପାଇଁ ଜଙ୍ଗଲ ଓ ରାଜସ୍ୱ ବିଭାଗର ଜାଲିଆତି ଏବେ ପଦାକୁ ଆସିଛି। ବନ ବିଭାଗ ପକ୍ଷରୁ ଦର୍ଶାଯାଇଥିବା ଗଛର ଶତକଡା ୯୦ଭାଗ ଗଛ ନାହିଁ । ପ୍ରକୃତରେ ବିଭାଗ ପକ୍ଷରୁ ଗଛ ଲଗାଯାଇଥିଲା କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ବନୀକରଣ ସୁରକ୍ଷା ପାଇଁ ବାଡବନ୍ଦି କରାଯାଇନି। ଯେଉଁ କେତେକ ଗଛ ଅଛି ତାକୁ ଗୋରୁଗାଈ ଖାଉଥିବା ଦେଖାଯାଉଛି। ସବୁଠାରୁ ବଡ଼ ଅଭିଯୋଗ ବନ ବିଭାଗ ନାମରେ ଆଣିଛନ୍ତି ସ୍ଥାନୀୟ ଅଧିବାସୀ । ଉପରିସ୍ଥ ଅଧିକାରୀଙ୍କ ଜାଣତରେ ବନବିଭାଗ କର୍ମଚାରୀ ଉପସ୍ଥିତ ରହି ୨ଟି ପ୍ରୋକ୍ଲିନ୍ ମେସିନ ସାହାଯ୍ୟରେ ମାସ ମାସ ଧରି ପ୍ରକୃତିକ ଜଙ୍ଗଲକୁ କାଟି ଧ୍ବଂସ କରିଥିଲେ। କଟାଗଛକୁ ନିଆଁ ଲଗାଇ ପୋଡ଼ି ପୁନଶ୍ଚ ସେହି ଜାଗାରେ ନୂଅ ଗଛ ଲଗାଇ ବନୀକରଣ କରିଥିଲେ। ବନୀକରଣ ଅଞ୍ଚଳ ଏବେ ଟାଙ୍ଗରା ଭୂଇଁରେ ପରିଣତ ହୋଇଛି। ପ୍ରାକୃତିକ ଭାବେ ସୃଷ୍ଟି ହୋଇଥିବା ଜଙ୍ଗଲରୁ ଆଙ୍କୁ, ଗିରିଙ୍ଗା, କାଳିଚିଆ, କୋଚିଳା, ବେଲ ଓ ବିଭିନ୍ନ ଔଷଧୀୟ ପ୍ରଜାତିର ବଡ ବଡ଼ ଗଛ ନଷ୍ଟ କରି କିଛି ନିମ୍ୱ ଓ ମାହାନିଆ ଗଛ ଲଗାଇଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ପୁରୁଣା ପ୍ରାକୃତିକ ଜଙ୍ଗଲ ନଷ୍ଟ କଲେ ଅଥଚ କୋଟି କୋଟି ଟଙ୍କା ଖର୍ଚ୍ଚ ଦେଖାଇ ମଧ୍ୟ ନୂତନ ଜଙ୍ଗଲ ସୃଷ୍ଟି କରିପାରିଲେ ନାହିଁ। ପୁରୁଣା ଜଙ୍ଗଲ ନଷ୍ଟ କାରଣରୁ ବନ୍ୟପ୍ରାଣୀ ଗ୍ରାମାଭିମୁଖୀ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି।
ଏହା ଉଚ୍ଚସ୍ତରୀୟ ତଦନ୍ତ କଲେ ଅଭିଯୋଗ ହେଉଥିବା ବନୀକରଣ ନାମରେ କୋଟି କୋଟି ଟଙ୍କା ହରିଲୁୁଟ୍ କେଳେଙ୍କାରୀ ଉପରୁ ପରଦା ହଟିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।
The post ୫୫ହଜାର ଗଛ ଉଭାନ: କାମ୍ପା ଅନୁଦାନରୁ ୪କୋଟି ଟଙ୍କା ଚଳୁ first appeared on Sambad.
from ଜିଲ୍ଲା – Sambad https://ift.tt/34ee5Su
0 Comments