ଛତ୍ରପୁର: ଗଞ୍ଜାମ ଜିଲ୍ଲା ବଡ଼ ମାଧପୁର, ପୋଇରାଶି ଓ ଆଛୁଲି ପଞ୍ଚାୟତର ପ୍ରାୟ ୨୫୦ରୁ ଅଧିକ ଚାଷୀ ଉତ୍ପାଦିତ ମରିଚ ବ୍ୟବସାୟୀ ଓ ମଧ୍ୟସ୍ଥିଙ୍କୁ ବିକ୍ରି କରିଥିଲେ। ବର୍ଷେ ହେଲା ବିକ୍ରି ଲବ୍ଧ ଅର୍ଥ ପାଉନାହନ୍ତି। ଚାଷୀଙ୍କ ମରିଚ ବାବଦର ପ୍ରାୟ ୪୦ଲକ୍ଷ ଟଙ୍କା ମଧ୍ୟସ୍ଥି ଚାଷୀଙ୍କୁ ଫେରାଇବା ବଦଳରେ ହଡ଼ପ କରି ନେଇଥିବା ଚାଷୀ ଓ ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି। ଖୁବଶୀଘ୍ର ଚାଷୀ ଓ ସରପଞ୍ଚମାନେ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ବାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଚାଷୀମାନେ ତିନି ମାସ ମରିଚ ଚାଷ କରିଥାନ୍ତି। ହାତ ଉଧାର ଓ ବ୍ୟାଙ୍କ ଋଣ ଆଣି ଚାଷୀ ଚାଷ କରି ଦୁଇ ପଇସା ପାଇବା ଆଶା ରଖିଥାନ୍ତି। ବଡ଼ ମାଧପୁର, ପୋଇରାଶି ଓ ଆଛୁଲି ପଞ୍ଚାୟତର ୨୫୦ରୁ ଅଧିକ ଚାଷୀ ମରିଚ ଚାଷ କରିଥିଲେ। ଅମଳ ପରେ ପୋଇରାଶି ପଞ୍ଚାୟତ ଭୂଆଁଭୂଇଁ ଗ୍ରାମର ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଉତ୍ତରପ୍ରଦେଶର ବ୍ୟବସାୟୀଙ୍କୁ କେଜି ପିଛା ୧୦ରୁ ୧୧ଟଙ୍କା ଦରରେ ବିକ୍ରି କରିଥିଲେ। ମରିଚ ବାବଦକୁ ପ୍ରାୟ ୪୦ ଲକ୍ଷ ଟଙ୍କା ଚାଷୀ ଏଯାବତ୍‌ ପାଇ ନାହାନ୍ତି। ଉତ୍ତରପ୍ରଦେଶର ବ୍ୟବସାୟୀ ଜଣକ ମଧ୍ୟସ୍ଥି ଏବଂ ତାଙ୍କରି ଶ୍ବଶୁରଙ୍କ ଜମାଖାତାକୁ ମରିଚ ବିକ୍ରି ଅର୍ଥ ପଠାଇଥିବା କହିଛନ୍ତି। ତେବେ ମଧ୍ୟସ୍ଥି ଉକ୍ତ ଟଙ୍କାକୁ ନ ଦେଇ ଭଣ୍ତାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ମଧ୍ୟସ୍ଥିଙ୍କୁ ଡାକି ୩ ସରପ‌ଞ୍ଚ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଆଜି ସମସ୍ତ ଚାଷୀଙ୍କ ମରିଚ ବିକ୍ରି ବାବଦ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜି ମଧ୍ୟସ୍ଥି ଜଣକ ଚାଷୀଙ୍କୁ ଟଙ୍କା ଦେଲେ ନାହିଁ। ସମସ୍ତ ଚାଷୀ ଓ ବଡ଼ ମାଧପୁର ସରପ‌ଞ୍ଚ ଶରତ ଖୁଣ୍ଟିଆ, ପୋଇରାଶି ସରପ‌ଞ୍ଚ ରଘୁନାଥ ରେଡ୍ଡୀ ଓ ଆଛୁଲି ସରପ‌ଞ୍ଚ ଏବଂ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ପୋଇରାଶି ଗ୍ରାମ ଠାରେ ଏକ ବୈଠକ ହୋଇଥିଲା। ପ୍ରାୟ ୨୫୦ରୁ ଅଧିକ ଚାଷୀଙ୍କ ମରିଚ ବିକ୍ରି କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଦ୍ବାରସ୍ଥ ହେବା ଲାଗି ବୈଠକରେ ସ୍ଥିର ହୋଇଥିବା ଜଣାପଡ଼ିଛି।

The post ୨୫୦ ମରିଚ ଚାଷୀଙ୍କ ୪୦ ଲକ୍ଷ ହଡ଼ପ! first appeared on Sambad.



from ଜିଲ୍ଲା – Sambad https://ift.tt/34Jb5xK