
ଯାଜପୁର: ଡଙ୍କାରୀରେ ଡଙ୍କ ମାରି ଚାଲିଛନ୍ତି ପଥର ମାଫିଆ। ମାଫିଆଙ୍କ ଷଡ଼୍ଯନ୍ତ୍ରରେ ଫସିଛି ଅଶୋଧିତ ତୈଳଭଣ୍ଡାର ପ୍ରକଳ୍ପ। ୩ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ୬୫୦୦ କୋଟି ଟଙ୍କାର ପ୍ରସ୍ତାବିତ ଡଙ୍କାରୀ(ଚଣ୍ଡିଖୋଲ) ଅଶୋଧିତ ତୈଳଭଣ୍ଡାର ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ିରହିଛି। ରାଜ୍ୟ ତଥା ଦେଶର ପ୍ରଗତିର ରଥକୁ ପ୍ରଭାବଶାଳୀ ପଥରମାଫିଆ କିପରି ଅଟକାଇ ଦେଇପାରୁଛନ୍ତି, ଏହା ତା’ର ଏକ ନମୁନା। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଡଙ୍କାରୀ ମୌଜାର ୪ଶହ ଏକର ପରିମିତ ସ୍ଥାନରେ ୪୪ଲକ୍ଷ ଟନ୍ ଅଶୋଧିତ ତୈଳ ଗଚ୍ଛିତ ରଖିବା ପାଇଁ ଏକ ପ୍ରକଳ୍ପ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପ ପାଇଁ ୬ ହଜାର ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩୫୦୦ ଲୋକ ପ୍ରତ୍ୟକ୍ଷ ଭାବେ ଓ ୧୦ ହଜାର ଲୋକ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି ଲକ୍ଷ୍ୟ ରଖାଯାଇଛି। ୨୦୧୭ ମସିହା ମାର୍ଚ୍ଚ ମାସରେ ଏହି ପ୍ରକଳ୍ପ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ ଲାଭ କରିଥିଲା। ମାତ୍ର, ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ଆଗେଇ ନାହିଁ। ଆଜି ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଦୂରର କଥା ଜମି ଚିହ୍ନଟ ମଧ୍ୟ ହୋଇପାରିନାହିଁ। ପଥର ମାଫିଆଙ୍କ ପ୍ରରୋଚନାରେ ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ପ୍ରକଳ୍ପ ଅଗ୍ରଗତିରେ ବାଡ଼ ପକାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ପ୍ରକଳ୍ପ ହେଲେ ଲଘୁଖଣିଜ ସମ୍ପଦ ବାବଦକୁ ୧୩ଶହ କୋଟି ଟଙ୍କା ରାଜ୍ୟ ସରକାର ରାଜସ୍ବ ହରାଇବେ ଯୁକ୍ତି ଦର୍ଶାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଡଙ୍କାରୀ ପାହାଡ଼ର ୭ଶହ ଏକର ଜମି ଥିବାବେଳେ ପ୍ରକଳ୍ପ ପାଇଁ ମାତ୍ର ୪ଶହ ଏକର ଜମିର ଆବଶ୍ୟକତା ରହିଛି। ଡଙ୍କାରୀରେ ଏବେ ୧୬ଟି କଳାପଥର ଖାଦାନ ଥିବାବେଳେ ମାତ୍ର ଗୋଟିଏ ଖାଦାନ ଲିଜ୍ ଦିଆଯାଇଛି। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶରେ ଖାଦାନଗୁଡ଼ିକ ବନ୍ଦ ରହିବା ସହିତ ୧୪୪ଜାରି ସତ୍ତ୍ବେ ନିୟମିତ ବ୍ୟାପକ ଚୋରା କଳାପଥର ଚାଲାଣ ହେଉଛି। ଏପରିକି ବ୍ଲାଷ୍ଟିଂ ହେଉଛି। ବର୍ଷ ବର୍ଷ ଧରି କେତେକ ପଥର ମାଫିଆ ଡଙ୍କାରୀ ପାହାଡ଼କୁ ଖୋଳି ତାଡି ବିରାଟ ବିରାଟ ଗହ୍ବର କଲେଣି। ପ୍ରଶାସନର ସେଥିପ୍ରତି ନଜର ନାହିଁ। ଏପରିକି ନିକଟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଯାଜପୁର ଗସ୍ତରେ ଆସି ଏହି ପ୍ରସଙ୍ଗ ଉଠାଇଥିଲେ। ଚଳିତ ମାସରେ ମଧ୍ୟ ଏହି ପ୍ରକଳ୍ପ ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଆସିଥିଲେ ହେଁ ପ୍ରଶାସନର ନଜର ନାହିଁ। ଫଳରେ, ୬୫୦୦ କୋଟି ଟଙ୍କାର ଅଶୋଧିତ ତୈଳ ଭଣ୍ଡାରର ଭବିଷ୍ୟତ ପଥର ମାଫିଆଙ୍କ ହାତରେ ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶଥାଉକି, ଡଙ୍କାରୀ ଅଶୋଧିତ ତୈଳ ଭଣ୍ଡାରକୁ କେନ୍ଦ୍ର ସରକାର ଅନୁମୋଦନ କରିବା ସମୟରେ ଦେଶର ଅନ୍ୟ ୨ଟି ସ୍ଥାନ ମାଙ୍ଗାଲୋର ଓ କର୍ଣ୍ଣାଟକର ପାଡୁରରେ ମଧ୍ୟ ଦୁଇଟି ଭଣ୍ଡାର ଅନୁମୋଦନ ଲାଭ କରିଥିଲା। ସେହି ଦୁଇଟି ପ୍ରକଳ୍ପର ବେଶ ଅଗ୍ରଗତି ଘଟିଛି। ଏପରିକି ପାଡୁର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବାବେଳେ ଡଙ୍କାରୀ ପାଇଁ ଜମି ଚିହ୍ନଟ ମଧ୍ୟ ହୋଇପାରିନି।
The post ପଥର ମାଫିଆଙ୍କ ଷଡ଼ଯନ୍ତ୍ର, ୬୫୦୦କୋଟିର ପ୍ରକଳ୍ପ ଦିଗହରା first appeared on Sambad.
from ଜିଲ୍ଲା – Sambad https://ift.tt/34Jh59x
0 Comments