
ବ୍ରହ୍ମପୁର : କ୍ରାଇମବ୍ରାଞ୍ଚ ଟିମ୍ ଗତ ୪ଦିନ ହେଲା ବ୍ରହ୍ମପୁର ଠାରେ ଡେରା ପକାଇ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାର ସରଜମିନ୍ ତଦନ୍ତ କରୁଛି। ଏହି ଠକେଇର ଶିକାର ହୋଇଥିବା ଯୁବକ, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କିଛି ଘନିଷ୍ଠ ସହଯୋଗୀ, ଶ୍ରୀ ପାଣିଗ୍ରାହୀଙ୍କ ଲିଙ୍କ୍ରେ ଥିବା କିଛି ଯୁବ ନେତା ଏବଂ ଏକ ଇଭେଣ୍ଟ୍ ମ୍ୟାନେଜ୍ମେଣ୍ଟ୍ ସଂସ୍ଥାର ମୁଖ୍ୟ ଏଭଳି ପ୍ରାୟ ୧୪ଜଣଙ୍କୁ ଜେରା ପରେ ଆଜି କ୍ରାଇମ୍ବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ଆଧାର କରି ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି। ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଶେଷ କରିବା ପାଇଁ ଆହୁରି ୨ଦିନରୁ ଅଧିକ ଡେରା ପକାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଠକେଇର ଶିକାର ହୋଇଥିବା କିଛି ଯୁବକଙ୍କୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଗତ ୩ଦିନ ହେଲା ପଚରାଉଚରା କରିଥିଲା। ସେମାନେ ପ୍ରକୃତପକ୍ଷେ କେତେ ଟଙ୍କା ଦେଇଛନ୍ତି, ନଗଦ ଟଙ୍କା ଦେଇଛନ୍ତି ନା ଆକାଉଣ୍ଟ ମାଧ୍ୟମରେ ଟଙ୍କା ଦେଇଛନ୍ତି, ଯଦି ଆକାଉଣ୍ଟ୍ରେ ଦିଆଯାଇଛି ତେବେ କେଉଁ ଆକାଉଣ୍ଟ୍କୁ ଟଙ୍କା ଯାଇଛି ତାହାର ସବିଶେଷ ତଥ୍ୟ ସଂଗ୍ରହରେ ଲାଗି ପଡ଼ିଛି। ଆସନ୍ତାକାଲି ଆଉ କିଛି ବଡ଼ମୁଣ୍ଡଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି। କ୍ରାଇମ୍ବ୍ରାଞ୍ଚର ୯ଜଣିଆ ଟିମ୍ ମଧ୍ୟରୁ କିଛି ଅଧିକାରୀ ବିଭିନ୍ନ ବ୍ୟାଙ୍କକୁ ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି। ଜେରାର ସମ୍ମୁଖୀନ ହୋଇଥିବା ସମ୍ପୃକ୍ତ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ ସଂସ୍ଥା ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ଦାୟିତ୍ବ ନେଇ ଆସୁଥିଲା। କିନ୍ତୁ ଗତବର୍ଷ ତାଙ୍କୁ ଏହି କାମ ମିଳି ନଥିଲା। ସେହିପରି ପୂର୍ବରୁ ବିଜେଡିର ବହୁ ବଡ଼ ବଡ଼ କାର୍ଯ୍ୟକ୍ରମ ଏବଂ ସୁରତରେ ହୋଇଥିବା ଓଡ଼ିଆ ମହୋତ୍ସବ ମଧ୍ୟ ଆୟୋଜନ କରିଥିଲା। ପ୍ରଦୀପଙ୍କ ସେ ଘନିଷ୍ଠ ଥିଲେ। ଏଣୁ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଗତ ଦୁଇଦିନ ତଳେ ପଚରାଉଚରା କରି କିଛି ଠୋସ୍ ତଥ୍ୟ ପାଇଥିବା ଜଣାପଡ଼ିଛି।
କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ବିକାଶ ବେଉରିଆଙ୍କ ନେତୃତ୍ବରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଥିବା ଆଇପିଏସ୍ ମେସ୍ରେ ତଦନ୍ତ ଚାଲିଛି। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଘଟଣାର ତଦନ୍ତ କରିବା ପାଇଁ ଗତ ୨୯ତାରିଖ ରାତିରେ ଜଣେ ଇନ୍ସ୍ପେକ୍ଟର୍ଙ୍କ ନେତୃତ୍ବରେ ଏକ ଟିମ୍ ଆସିଥିଲା। ଏହାପରେ ୩୦ତାରିଖରେ ଜଣେ ଡିଏସ୍ପିଙ୍କ ନେତୃତ୍ବରେ ପୁଣି ଏକ ଟିମ୍ ବ୍ରହ୍ମପୁର ପହଞ୍ଚି ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିଥିଲା। ଗତକାଲି କ୍ରାଇମ୍ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ତଦନ୍ତ ପ୍ରକ୍ରିୟା ତଦାରଖ କରିଥିଲେ। ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରେ କ୍ରାଇମ୍ବ୍ରାଞ୍ଚକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।
The post ଟାଟା ମୋଟର୍ସ ଚାକିରି ଠକେଇ ଘଟଣା : ୧୪ ଜଣଙ୍କୁ ଜେରା, ବ୍ୟାଙ୍କ୍ ବିବରଣୀ ଯୋଗାଡ଼ first appeared on Sambad.
from ଜିଲ୍ଲା – Sambad https://ift.tt/2I6M4EA
0 Comments