ପରିବାର ପକ୍ଷରୁ ଚିକିତ୍ସା ଓ ପ୍ରଶାସନିକ ଅବହେଳା ଅଭିଯୋଗ
ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତିଙ୍କୁ ହରାଇ ସଂକଟରେ ପରିବାର

ସମ୍ବଲପୁର : କରୋନା ଆକ୍ରାନ୍ତ ହୋଇ ରାଜ୍ୟର ପ୍ରଥମ ଡାକ୍ତର ଭାବରେ ସମ୍ବଲପୁର ଜିଲ୍ଲାର ଡା.କୁଳମଣି ସୁନାଙ୍କ ମୃତ୍ୟୁ ହେଲା। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦିଆଗଲା ନାହିଁ। କୁଳମଣିଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟସଚିବ, ଶ୍ରମମନ୍ତ୍ରୀ, ଶ୍ରମ ସଚିବଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବରେ ଅନୁରୋଧ କରାଯାଇଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଇ ନାହିଁ। ଅନ୍ୟଦିଗରେ କୁଳମଣିଙ୍କ ଚିକିତ୍ସା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନରେ ଗୁରୁତର ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ଓ ସ୍ଥାନୀୟ ଅଧିବାସୀ।

ହୀରାକୁଦ ଇଏସ୍‌ଆଇ ଡାକ୍ତରଖାନାର ଡାକ୍ତର କୁଳମଣି ସୁନା ଅଗଷ୍ଟ ମାସରେ କୋଭିଡ୍‌ ଆକ୍ରାନ୍ତ ହେବା ପରେ ୧୩ ତାରିଖରେ ସମ୍ବଲପୁର କୋଭିଡ୍‌ ଡାକ୍ତରଖାନା ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସେ ସମୟରେ କୋଭିଡ୍‌ ଡାକ୍ତରଖାନାରେ ହୋଇଥିବା ଅବହେଳା ନେଇ ଓମ୍‌ସା ସଭାପତି ଡା.ନାରାୟଣ ରାଉତ ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ। କରୋନାରେ ପ୍ରଥମ ଓଡ଼ିଆ ଡାକ୍ତରଙ୍କ ଜୀବନ ଯାଇଥିବା କହିଥିଲେ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସୁବିଧା ତାଙ୍କ ପରିବାରକୁ ଯଥାଶିଘ୍ର ପ୍ରଦାନ ପାଇଁ ଓମ୍‌ସା ଦାବି କରିଥିଲା। ଇତିମଧ୍ୟରେ ୪ ମାସ ଅତିକ୍ରାନ୍ତ ହୋଇ ସାରିଛି। ଡା.କୁଳମଣି ସୁନାଙ୍କୁ କୋଭିଡ ଯୋଦ୍ଧାର ସମ୍ମାନ କିମ୍ବା ତାଙ୍କ ପରିବାରକୁ ହକ୍‌ ମିଳି ନାହିଁ। ବରଂ ସେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁନଥିଲେ ବୋଲି ଯୁକ୍ତି ଦର୍ଶାଯାଉଛି। ଇଏସ୍‌ଆଇ ଡାକ୍ତରଖାନା ଶ୍ରମ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବାରୁ ତାଙ୍କୁ କିଭଳି ଯୋଦ୍ଧାର ମାନ୍ୟତା ଦିଆଯିବ ବୋଲି ପ୍ରଶାସନର ପଦସ୍ଥ ଅଧିକାରୀଙ୍କ ମୁହଁରୁ ପରିବାର ଶୁଣିବାକୁ ପାଇଥିଲା।

ମୃତ ଡ. ସୁନାଙ୍କ ପତ୍ନୀ ଶିବାନୀ କହିଛନ୍ତି, ହୀରାକୁଦର ଅନେକ ଶ୍ରମିକ କରୋନା ଆକ୍ରାନ୍ତ ହୋଇଥିଲେ। ଏମାନେ ସମସ୍ତେ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ପ୍ରଥମେ ଇଏସ୍‌ଆଇ ଡାକ୍ତରଖାନାକୁ ଆସୁଥିଲେ। ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ସେ ନିୟମିତ ଇଏସ୍‌ଆଇ ଡାକ୍ତରଖାନା ଯାଇଛନ୍ତି। ଏପରିକି ଷ୍ଟେସନ ପଡ଼ା ସଂକ୍ରମିତ ଅଞ୍ଚଳ ଘୋଷଣା ପରେ ମଧ୍ୟ ଜରୁରୀ କାର୍ଯ୍ୟ ପାଇଁ କାର୍ଯ୍ୟସ୍ଥଳକୁ ଯାଇଥିଲେ। ଏହି ସମୟରେ ହିଁ ଡା. କୁଳମଣି କୋଭିଡ୍‌ ପଜିଟିଭ୍‌ ହୋଇ ପଡ଼ିଥିଲେ। ତାଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ପରିବାରରେ ଶାଶୁ, ଶ୍ବଶୁର, ସେ ନିଜେ ଏବଂ ଦୁଇ ପୁଅ ମଧ୍ୟ କୋଭିଡ୍‌ ପଜିଟିଭ୍‌ ହେଲେ। ଡ. କୁଳମଣି ଏବଂ ତାଙ୍କ ମା ତପସ୍ବିନୀ ସୁନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଗଷ୍ଟ ମାସ ୨ ତାରିଖରେ କୋଭିଡ୍‌ ଡାକ୍ତରଖାନା ନିଆଯାଇ ଥିଲା। ଅଗଷ୍ଟ ମାସ ୬ ତାରିଖରେ ମାଙ୍କ ମୃତ୍ୟୁ ପରେ କୁଳମଣିଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଥିଲା। ଶିବାନୀ କହନ୍ତି, ସେ ନିଜେ କୋଭିଡ୍‌ କେୟାର କେନ୍ଦ୍ରରେ ଥିଲେ ମଧ୍ୟ ସ୍ବାମୀଙ୍କ ଅବସ୍ଥା ସମ୍ପର୍କରେ ଲଗାତାର ଡାକ୍ତର, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରୁଥିଲେ। କୋଭିଡ୍‌ ଦାୟିତ୍ବରେ ଥିବା ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମଧ୍ୟ ସ୍ବାମୀଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ପାଇଁ ଲଗାତାର ମେସେଜ୍‌ କରିଥିଲେ। ଅବସ୍ଥା ଗୁରୁତର ହୋଇଥିବା ଜାଣି ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ ଏବଂ ଅଶ୍ବିନୀ ହସପିଟାଲକୁ ରେଫର କରିବା ପାଇଁ ବାରମ୍ବାର ଅନୁରୋଧ କରୁଥିଲେ। କିନ୍ତୁ କେହି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ।

୧୨ ତାରିଖରେ କୋଭିଡ୍‌ କେୟାର କେନ୍ଦ୍ରରୁ ଡିସ୍‌ଚାର୍ଜ ହେବା ପରେ ଶିବାନୀ ଘରକୁ ନଆସି ସ୍ବାମୀଙ୍କୁ ଭେଟିବା ପାଇଁ ସିଧା କୋଭିଡ୍‌ ଡାକ୍ତରଖାନାକୁ ଯାଇଥିଲେ। ୨.୩୦ ରୁ ୪ଟା ପର୍ଯ୍ୟନ୍ତ ସ୍ବାମୀଙ୍କୁ ଭେଟ କରାଇବା କିମ୍ବା ତାଙ୍କ ଚିକିତ୍ସା ବିଷୟରେ ଜଣାଇବା ପାଇଁ କୋଭିଡ୍‌ ଡାକ୍ତରଖାନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ କହିଥିଲେ। କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ। ଏପରିକି ସ୍ବାମୀଙ୍କୁ ଦୂରରୁ ଦେଖିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। ୧୩ ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଗଲା। ଚିକିତ୍ସାର ଅବହେଳା ଯୋଗୁଁ କୁଳମଣିଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଅଟେ ବୋଲି କୁଳମଣିଙ୍କ ବାପା ବବ୍ରୁବାହନ କହିଛନ୍ତି। ଏହାପରେ ପ୍ରଶାସନ ତାଙ୍କୁ ଉପଯୁକ୍ତ ସମ୍ମାନ ମଧ୍ୟ କଲା ନାହିଁ। ବରଂ ସିଡିଏମ୍‌ଓ କହିଲେ, କୋଭିଡ୍‌ ନୁହେଁ କିଡ୍‌ନି ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। କୁଳମଣିଙ୍କ ପୂର୍ବରୁ କିଡ୍‌ନି ରୋଗ ନଥିଲା, ଏହି ସମସ୍ୟାରେ କିଭଳି ମଲେ ଜାଣିପାରିନଥିବା ପରିବାର କହିଛି। ଡ. କୁଳମଣି ସୁନା ତାଙ୍କ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲେ। କରୋନା ଯୋଗୁଁ ସେ ଏବଂ ତାଙ୍କ ମା ଉଭୟଙ୍କ ଜୀବନ ଗଲା। ବର୍ତ୍ତମାନ ପରିବାରରେ ବୁଢା ବାପା, ଗୃହିଣୀ ସ୍ତ୍ରୀ, ନବମ ଏବଂ ଯୁକ୍ତ ଦୁଇରେ ପଢୁଥିବା ଦୁଇ ପୁଅ ଅଛନ୍ତି। ଅତି ଘଡ଼ିସନ୍ଧି ମୁହୂର୍ତ୍ତରେ ପରିବାର ଗତି କରୁଛି, କୋଭିଡ ଯୋଦ୍ଧା ଭାବରେ ପ୍ରଶାସନ ଯେଉଁଭଳି ତାଙ୍କ ବ୍ୟବସ୍ଥା କରିବା କଥା କରାନଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ଇଏସ୍‌ଆଇ ଡାକ୍ତରଙ୍କୁ ମିଳିଲାନି କୋଭିଡ୍‌ ଯୋଦ୍ଧାର ମାନ୍ୟତା first appeared on Sambad.



from ଜିଲ୍ଲା – Sambad https://ift.tt/3ngyQ7r