
କଟକ : ଚଳାଇ ପାରିଲେନି। ଶେଷରେ ଏହାକୁ ଅନ୍ୟ ନାଁରେ ରୂପାନ୍ତରିତ କରିଦେଲା ସ୍ବାସ୍ଥ୍ୟ ବିଭାଗ। ଏସ୍ସିବି ପରିସରରେ ରହିଥିବା ପୂର୍ବଭାରତର ପ୍ରଥମ ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର (ଆରଏସ୍ଆଇସି)ର ନାଁ ବଦଳିଯିବ। ଏହାକୁ ପିଏମ୍ଆର(ଫିଜିକାଲ ମେଡିସିନ୍ ଏଣ୍ଡ ରିହାବିଲିଟେସନ୍) କେନ୍ଦ୍ର ଭାବେ ରୂପାନ୍ତରିତ କରାଯିବ। କେବଳ ସେତିକି ନୁହେଁ, ଆରଏସ୍ଆଇସି ଅଧୀନରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନିଦାନ ଓ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ସୁଫଳ ମିଳୁ ନଥିବାରୁ ଏହାର ସମାଧାନ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ଅସ୍ଥିଶଲ୍ୟ ବିଭାଗ ଅଧୀନରେ ରୋଗୀ ଏହି ଯୋଜନାରେ ସାମିଲ ହେବା ସହିତ ସରକାରଙ୍କ ମାଗଣା ସୁବିଧାର ଲାଭ ପାଇପାରିବେ। ସପ୍ତାହକୁ ଦୁଇଦିନ ଓଟି ସହ ଭିତ୍ତିଭୂମିର ବିକାଶ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭୁବନେଶ୍ବରରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁସାରେ, ଏନ୍ଏମ୍ସି ଗାଇଡ୍ଲାଇନ୍ ଅନୁସାରେ ୨୦୨୨ ସୁଦ୍ଧା ସବୁ ମେଡିକାଲ କଲେଜରେ ପିଏମ୍ଆର(ଫିଜିକାଲ ମେଡିସିନ୍ ଏଣ୍ଡ ରିହାବିଲିଟେସନ୍) ବିଭାଗ ଖୋଲିବାକୁ ପଡିବ। ସେଥିପାଇଁ ଏସ୍ସିବି ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରକୁ ଏଭଳି ନୂଆ ରୂପ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା କରାଯାଇଛି। ତେବେ ଏନ୍ଏମ୍ସି ଗାଇଡ୍ଲାଇନ୍ ଅନୁସାରେ ଏହି ବିଭାଗ ଖୋଲିବା ପାଇଁ ଜଣେ ପ୍ରଫେସର, ଜଣେ ସହଯୋଗୀ ପ୍ରଫେସର, ୨ଜଣ ସହକାରୀ ପ୍ରଫେସର ଓ ୨ଜଣ ଏସ୍ଆର ରହିବା କଥା। କିନ୍ତୁ ସ୍ବାସ୍ଥ୍ୟବିଭାଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୩ଜଣ ମେଡିକାଲ ଅଫିସର, ଜଣେ ଫିଜିଓଥେରାପିଷ୍ଟ, ୭ଜଣ ଷ୍ଟାଫ୍ନର୍ସ, ଜଣେ ସି.ଆର୍ମ ଅପରେଟର ଓ ୨ଜଣ ୱାର୍ଡ ଆଟେଣ୍ଡାଣ୍ଟ୍ ପଦ ପୂରଣ କରାଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ମେଡିକାଲ ଅଫିସର ପଦରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତ କରାଯିବ। ଏଥିସହ ସପ୍ତାହକୁ ୨ଦିନ ଓଟି, ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ରରେ ଲିଫ୍ଟ ନଥିବାରୁ ଲିଫ୍ଟ ବ୍ୟବସ୍ଥା କରାଯିବା ଓ ୭ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଓଏସ୍ଏମ୍ସିର ଏମ୍ଡି, ଡିଏମ୍ଇଟି, ଅତିରିକ୍ତ ଡିଏମ୍ଇଟି, ଏସ୍ସିବିର ଡିନ୍ ଓ ପ୍ରନ୍ସିପାଲ, ଅଧୀକ୍ଷକ ଓ ଆରଏସ୍ଆଇସିର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, ଏସ୍ସିବି ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ହେଉଛି ପୂର୍ବ ଭାରତର ପ୍ରଥମ କେନ୍ଦ୍ର। ହେଲେ ଏଭଳି ଏକ ଉତ୍କୃଷ୍ଟ ମାନର ଭିତ୍ତିଭୂମି ଥିବା କେନ୍ଦ୍ରକୁ ଜାଣିଶୁଣି ପଙ୍ଗୁ କରି ଦିଆଗଲାଣି। ୧୧ବର୍ଷ ହେଲା କାମଚଳା ଅଧିକାରୀଙ୍କ କାନ୍ଧରେ ରହିଛି ଏହି କେନ୍ଦ୍ରର ଭାର। ଓପିଡିକୁ ବାଦ୍ ଦେଲେ ଏହି କେନ୍ଦ୍ରରେ ପାଖାପାଖି ୨୦/୨୫ଜଣ ରୋଗୀ ଚିକିତ୍ସା ହେବାର ବ୍ୟବସ୍ଥା ରହିଛି। କିନ୍ତୁ ସ୍ଥାୟୀ ନିର୍ଦ୍ଦେଶକ ନଥିବାରୁ ଏସ୍ସିବି ଅର୍ଥୋପେଡିକ୍ ବିଭାଗୀୟ ମୁଖ୍ୟ ପ୍ରଫେସର ଏହାର ଦାୟିତ୍ବରେ ରହିଛନ୍ତି। ଅନ୍ୟପଟେ ଦୀର୍ଘବର୍ଷ ଧରି ଏପ୍ରକାର ଅବ୍ୟବସ୍ଥା ଲାଗି ରହିଥିବାରୁ ପରିଚାଳନା କମିଟି ବୈଠକ ବି ବସିପାରୁ ନାହିଁ। ଏପରିକି ନାନା ଅବ୍ୟବସ୍ଥା, କର୍ମଚାରୀଙ୍କ ଦରମା ଅସଂଗତି ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶାସନିକ ନିଷ୍ପତ୍ତି ଅଟକି ରହିଥିବାରୁ ଏହି କେନ୍ଦ୍ର ଲୋକଙ୍କୁ ଯଥୋଚିତ୍ ସେବା ଯୋଗାଇ ପାରୁନି। ତିନିବର୍ଷ ପରେ ଗତ ଜୁଲାଇ ମାସରେ ବନ୍ଦ୍ ଓଟି ଖୋଲିଥିଲା ଓ ଆଜି ସୁଦ୍ଧା ୨ଟି ଅସ୍ତ୍ରୋପଚାର କରାଯାଇଛି।
The post ଚଳାଇ ପାରେଲନି, ଶେଷରେ ବଦଳାଇ ଦେଲେ, ଆଞ୍ଚଳିକ ମେରୁଦଣ୍ଡ ଆଘତ କେନ୍ଦ୍ର ହେବ ପିଏମ୍ଆର କେନ୍ଦ୍ର first appeared on Sambad.
from ଜିଲ୍ଲା – Sambad https://ift.tt/2W4pTSI
0 Comments