
କଟକ: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ ପାଇଁ ଏସ୍ଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ତଦନ୍ତର ସାନି ସ୍ଥିତି ସଂପର୍କରେ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହି ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତ ଚାଲିଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଯଥାଶୀଘ୍ର ଏହି ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିବାକୁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୨କୁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରିବାକୁ ହାଇକୋର୍ଟ ଏସ୍ଆାଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଆବେଦନକାରୀ ପଦ୍ମାଳୟା ମହାପାତ୍ର ଦାଖଲ କରିଥିବା ସାନି ସତ୍ୟପାଠ ଓ ଭାରତୀୟ ବିକାଶ ପରିଷଦ ଦାୟର କରିଥିବା ଅନ୍ତରୀଣ ଆବେଦନ ଉପରେ ଆଜି ଶୁଣାଣି ହୋଇନାହିଁ।
ଆଇନଜୀବୀ ମହାପାତ୍ର ଏହି ମାମଲାରେ ଏକ ସାନି ସତ୍ୟପାଠ ଗତ ୨୩ ତାରିଖ ଦିନ ଦାଖଲ କରି କେତେକ ଅତିରିକ୍ତ ପ୍ରସଂଗ ଉପସ୍ଥାପନ କରିଥିଲେ। ଏଥିରେ ଦର୍ଶାଯାଇଥିଲା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ପରୀକୁ ଅପହରଣ ପରେ ହତ୍ୟା କରାଯାଇଛି। ପରୀ ସହିତ ଦୁଷ୍କର୍ମ ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କିଛି ତଥ୍ୟ ମିଳି ପାରିନାହିଁ। କିନ୍ତୁ ଏବେ ଏସଆଇଟି ମୁଖ୍ୟ କହୁଛନ୍ତି ଯେ ପରୀ ସହିତ ଦୁଷ୍କର୍ମ ହୋଇଛି। ପରୀ ସହିତ ଦୁଷ୍କର୍ମ ପ୍ରସଂଗରେ ଏଭଳି ଭିନ୍ନ ମତ ସମସ୍ତ ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ ଘେରରେ ରଖିଛି ବୋଲି ଆଇନଜୀବୀ ମହାପାତ୍ର ଦର୍ଶାଇଛନ୍ତି। ଏଥିସହିତ ଏସଆଇଟି ମୁଖ୍ୟ ଭାବେ ଅରୁଣ ବୋଥ୍ରାଙ୍କ ନିଯୁକ୍ତି ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଓଏସଆରଟିସିର ଏମଡି ଥିବା ଶ୍ରୀ ବୋଥ୍ରାଙ୍କ ଜଣେ ପୁଲିସ ଅଧିକାରୀ ଭାବେ ଏଭଳି ମାମଲାର ତଦନ୍ତ ପାଇଁ କ୍ଷମତା ନାହିଁ। ଶ୍ରୀ ବୋଥ୍ରାଙ୍କୁ ଏସଆଇଟି ମୁଖ୍ୟ କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଏ ନେଇ ସ୍ବତନ୍ତ୍ର ବିଜ୍ଞପ୍ତି ସରକାର ପ୍ରକାଶ କରିବା କଥା। କିନ୍ତୁ ଏପରି କିଛି କରାଯାଇ ନାହିଁ। ଏହି ପ୍ରସଂଗରେ ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ଦ୍ବିତୀୟ ଜନସ୍ବାର୍ଥ ଆବେଦନ ଦାୟର କରିଥିବା ଭାରତୀୟ ବିକାଶ ପରିଷଦ ଗତ ୨୩ ତାରିଖ ଦିନ ଏକ ଅନ୍ତରୀଣ ଆବେଦନ ଦାୟର କରି ପରୀ ଶରୀର ଡାକ୍ତରୀ ପରୀକ୍ଷା କରିଥିବା ଡାକ୍ତରଙ୍କ ସହିତ ଏସଆଇଟି ମୁଖ୍ୟଙ୍କ ପଲିଗ୍ରାଫ ଟେଷ୍ଟ କରାଯାଉ ବୋଲି ଦର୍ଶାଇଥିଲା। ଏଥିସହିତ ଏହି ଘଟଣାର ତଦନ୍ତ ଦାୟିତ୍ବ ତୁରନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ଅନ୍ତରୀଣ ଆବେଦନରେ ପ୍ରାର୍ଥନା କରାଯାଇଥିଲା। ଘଟଣାର ସିବିଆଇ ତଦନ୍ତ ପାଇଁ ଆଇନଜୀବୀ ମହାପାତ୍ରଙ୍କ ପକ୍ଷରୁ ପ୍ରଥମ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା ବେଳେ ଏହି ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମଧ୍ୟ ଏକ ମାମଲା ଦାୟର ହେବା ସହିତ ଘଟଣାର ସିବିଆଇ ତଦନ୍ତ ଆଉ ପରୀର ବାପା-ମାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଉଭୟ ମାମଲାର ଏକତ୍ର ଶୁଣାଣି ଚାଲିଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଛନ୍ତି।
The post ପରୀ ହତ୍ୟା ମାମଲା: ଚାର୍ଜସିଟ୍ ଦାଖଲ ପାଇଁ ଏସ୍ଆଇଟିକୁ ନିର୍ଦ୍ଦେଶ, ତଦନ୍ତର ସାନି ସ୍ଥିତି ନେଇ ସରକାର କଲେ ଅବଗତ first appeared on Sambad.
from ଜିଲ୍ଲା – Sambad https://ift.tt/38DlNqw
0 Comments