କଟକ: ଚାରି ଆଡେ ମଶା ଭଣଭଣ। ଘର ହେଉ କି ବାହାର, ଦିନ ହେଉ କି ରାତି; ମଶାଙ୍କ ଦାଉରୁ ତ୍ରାହି ନାହିଁ। ଗତ ଏକମାସ ହେବ ସହରରେ ମଶା ବଂଶ ବଢ଼ି ଚାଲିଥିବା ବେଳେ ମଶା ନିୟନ୍ତ୍ରଣରେ ବିଫଳ ହୋଇଛି ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ। ଅନ୍ୟପଟେ ପ୍ରତି ୱାର୍ଡକୁ ୫ ଲିଟର ବଦଳରେ ୧୦ ଲିଟର ଏମ୍‌ଏଲ୍‌ ଅଏଲ୍‌ ଯୋଗାଇ ଦିଆଯାଉ ଥିବାର ବିଭାଗ ପକ୍ଷରୁ କୁହାଯାଇଥିବାବେଳେ ଏହାର ବିନିଯୋଗ କିପରି ହେଉଛି ତାହା ବୁଝା ପଡୁନି। ଏଭଳି ସ୍ଥିତିରେ ବି ସହରରେ ମଶା ଧୂଆଁ ଗାଡ଼ି କିମ୍ବା ଟିଫା ମେସିନର ଦେଖା ମିଳୁ ନାହିଁ। ମଶା ତେଲ ଓ ମଶା ଧୂଆଁ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ ହେଉଥିବା ‌ବେଳେ ଅଧାରୁ ଅଧିକ ଟିଫା ମେସିନ୍‌ ଅଚଳ ହୋଇ ପଡିଛି।

ସହରବାସୀଙ୍କ ମଧ୍ୟରେ ଗତ ଏପ୍ରିଲ ମାସରୁ କରୋନାକୁ ନେଇ ଭୟ ଓ ଆଶଙ୍କା ଥିବାବେଳେ ଏବେ ମଶା ନୂଆ ସମସ୍ୟା ହୋଇ ମୁଣ୍ଡ ଟେକିଛି। ସିଏମସି ଅଞ୍ଚଳରେ ଏବେ ମଶାର ଘନତ୍ବ ୬୦ ପ୍ରତିଶତରୁ ଅଧିକ ରହିଛି। କଟକ ପରିବେଶରେ ୪୦ ପ୍ରତିଶତ ମଶା ଘନତ୍ବକୁ ବିପଦ ସ୍ତର କୁହାଯାଉଥିବାବେଳେ ଏହା ଏବେ ବିପଦସ୍ତରର ବହୁ ଉପରେ ଅଛି। ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଯୋଜନା ପରେ ଯୋଜନା ହେଉଥିଲେ ବି ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ମଶାଧୂଆଁ ପାଇଁ ସିଏମ୍‌ସିରେ ୮୦ରୁ ଅଧିକ ଟିଫା ମେସିନ ଥିବାବେଳେ ସେଥିରୁ ମାତ୍ର ୩୫ଟି ଏବେ କାମ ଦେଉଛି। ଗୋଟିଏ ୱାର୍ଡ ପାଇଁ ଅତିକମରେ ସିଏମ୍‌ସି ନିକଟରେ ଗୋଟିଏ ଟିଫ‌ା ମେସିନ ନାହିଁ। ଅନ୍ୟପଟେ ସହରର ଡ୍ରେନ ସଫା କରି ସେଥିରେ ଆଣ୍ଟିଲାର୍ଭା ପକାଇବାର ଯୋଜନା ରହିଛି।

ହେଲେ ସିଏମ୍‌ସି କେବଳ ଡ୍ରେନ୍‌ ସଫା କରୁଥିବାବେଳେ ଆଣ୍ଟିଲାର୍ଭା ପକାଇବା କାମକୁ ବନ୍ଦ କରି ଦେଇଛି। ସେପଟେ ବିଭିନ୍ନ ୱାର୍ଡର ଡ୍ରେନଗୁଡିକରେ ନିୟମିତ ଭାବେ ତେଲ ପକାଯାଉ ନାହିଁ କି ସେଗୁଡ଼ିକ ସଫେଇ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଦାବି କିମ୍ବା ଅଭିଯୋଗ ହେଲେ ଲୋକଦେ‌ଖାଣିଆ ଭାବେ ସହରର ତିନି/ଚାରିଟି ସ୍ଥାନରେ ମଶାଧୂଆଁ ଦେଇ ନିଜ ଦାୟିତ୍ବ ସାରି ଦେଉଛି ମହାନଗର ନିଗମ। ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ ମଶାଙ୍କ ବ୍ରିଡିଂ ହୋଇଥାଏ। ସେହି ସମୟରେ ଅଧିକ ମଶା ହୋଇଥାନ୍ତି। ସେଥିପାଇଁ ସହରରେ ମଶାର ଘନତ୍ବ ଏବେ ୬୨ ରହିଛି। ମଶା ନିୟନ୍ତ୍ରଣ ପାଇଁ ପ୍ରତି ୱାର୍ଡକୁ ୫ ଲିଟର ବଦଳରେ ୧୦ ଲିଟର ଏମ୍‌ଏଲ୍‌ ଅଏଲ୍‌ ଦିଆଯାଉଛି, ବୁସ୍‌ କଟିଂ, ମଶା ତେଲ ପଡୁଛି ଓ ଧୂଆଁ ଦିଆଯାଉଛି। ଆସନ୍ତା ୧୫ ଦିନ ମଧ୍ୟରେ ଏହା ନିୟନ୍ତ୍ରଣ ମଧ୍ୟକୁ ଆସିବ ବୋଲି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି।

The post କଟକ ସହରରେ ଚାରିଆଡେ ମଶା ଭଣଭଣ; ଅତି ବିପଦସ୍ତରରେ ଘନତ୍ବ first appeared on Sambad.



from ଜିଲ୍ଲା – Sambad https://ift.tt/37QGwqJ