
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବି ଦିନକୁ ଦିନ ଜୋର୍ ଧରିବାରେ ଲାଗିଛି। ଗୋଟିଏପଟେ ବିରୋଧୀ ବିଜେପି ଓ କ˚ଗ୍ରେସ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚରମ ବିଫଳତାକୁ ସମାଲୋଚନା କରି ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସାମାଜିକ ସ˚ଗଠନ ବି ଏ ପ୍ରସଙ୍ଗରେ ଆଗକୁ ଅଣ୍ଟା ଭିଡ଼ିଛନ୍ତି। ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାରେ ସୁଧାର ଏବ˚ ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିରେ ସାମାଜିକ ସ˚ଗଠନ କେନ୍ଦ୍ରାପଡ଼ା ନିୟୁଜ୍ ସର୍ଭିସ୍(କେଏନ୍ଏସ୍) ପକ୍ଷରୁ ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ ହୋଇଛି। ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧ଲକ୍ଷ ପୋଷ୍ଟ କାର୍ଡ ପଠାଯିବାର ଯୋଜନା ହୋଇଥିବା ସ˚ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦିନକୁ ଦିନ ଆନ୍ଦୋଳନ ଜୋର୍ ଧରୁଥିବା ବେଳେ ଅନ୍ୟପଟେ ଶାସକ ଦଳ ନେତା ଏ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି। ଆମେ ପାଞ୍ଚ ବିଧାୟକ ଠିକଣା ଜାଗାରେ ଦାବି ସ˚ପର୍କରେ ଅବଗତ କରାଇଥିବା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ କହିବା ସହ ସକାରାତ୍ମକ ଫଳ ନେଇ ଆଶାବାଦୀ ଥିବା କହିଛନ୍ତି।
ଉଲ୍ଲେଖଥାଉ କି’ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ସତୁରି ପ୍ରତିଶତ ଡାକ୍ତର ପଦବି ଜିଲ୍ଲାରେ ଖାଲି ପଡ଼ିଥିବା ବେଳେ ଗଲା ଚାରି ବର୍ଷ ହେବ ଚାଲିଥିବା ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ କାମ ସରିବାର ନାଁ ଧରୁନାହିଁ। ଏଭଳି ସ୍ଥିତିରେ ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ ଘୋଷଣା ପରେ ଜିଲ୍ଲାରେ ଏହକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବାସ୍ଥ୍ୟସେବା ପ୍ରସଙ୍ଗରେ କେନ୍ଦ୍ରାପଡ଼ାକୁ ସ˚ପୂର୍ଣ୍ଣ ଅବହେଳା କରାଯାଇଥିବା ଅଭିଯୋଗ ଆଣି ବିଜେପି ଯୁବ ମୋର୍ଚ୍ଚା ଗତକାଲି ତିନିମୁହାଣି ଛକରେ ସା˚ସଦ ଓ ପାଞ୍ଚ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛି। ସେପଟେ କ˚ଗ୍ରେସ ନେତା ଗଣେଶ୍ବର ବେହେରା ବି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମେଡିକାଲ୍ କଲେଜ କେନ୍ଦ୍ରାପଡ଼ାରେ କରା ନ ଗଲେ ଆସନ୍ତା ମାସରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏସବୁ ଭିତରେ ଗତକାଲିଠୁ ସାମାଜିକ ସ˚ଗଠନ କେଏନ୍ଏସ୍ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାରେ ସୁଧାର ଏବ˚ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପୋଷ୍ଟକାର୍ଡ ଅଭିଯାନ ଚାନ୍ଦୋଳ ବଜାରରୁ ଆରମ୍ଭ କରିଛି। ଜାତୀୟ ମାନବାଧିକାର କର୍ମୀ ସାଗର ଜେନା, କେନ୍ଦ୍ରାପଡ଼ା ସେବା ସମିତି ସଭାପତି ମନୋଜ ନାୟକ, ଶିବାଶିଷ ମହାନ୍ତିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜିଲ୍ଲାର ସବୁ ଅ˚ଚଳରୁ ସବୁ ବର୍ଗର ଲୋକଙ୍କୁ ସାମିଲ୍ କରାଯିବାର ଯୋଜନା ହୋଇଛି। କେବଳ ସେତିକି ନୁହେଁ, ଜିଲ୍ଲା ବିଜେପି ବି ହକ୍ ହାସଲ ପାଇଁ ଭିନ୍ନ ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ସୂଚନା ମିଳିଛି। ବିରୋଧୀ ଦଳ ଓ ସାମାଜକି ସ˚ଗଠନଗୁଡ଼ିକର ଏପ୍ରକାର ଆନ୍ଦୋଳନ ଓ ପ୍ରତିବାଦ ଭିତରେ ଜିଲ୍ଲାର ପାଞ୍ଚ ବିଧାୟକ ମେଡିକାଲ୍ କଲେଜ ପ୍ରସଙ୍ଗରେ ସରକାରଙ୍କୁ ଜଣାଇଥିବା ଅତନୁ କହିବା ଘଟଣା ପୂରା ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି।
The post କେନ୍ଦ୍ରାପଡ଼ା ମେଡିକାଲ କଲେଜ ପାଇଁ ଦାବି ତେଜିଲା, ପୋଷ୍ଟକାର୍ଡ ଅଭିଯାନ ଆରମ୍ଭ first appeared on Sambad.
from ଜିଲ୍ଲା – Sambad https://ift.tt/3nwSsUY
0 Comments