କେନ୍ଦ୍ରାପଡ଼ା/ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବରକନ୍ଧା ପଂଚାୟତର ଆଖଡ଼ାଶାଳିଠାରେ ମହାନଦୀର ଶାଖା ନଦୀରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ସ୍ଥଳକୁ ଆଜି ଉଚ୍ଚସ୍ତରୀୟ ଅଧିକାରୀମାନେ ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ପାରାଦୀପ ପଟୁ ବୋଟ୍‌ରେ ଆସି ପ୍ରସ୍ତାବିତ ବନ୍ଦର ଅଂଚଳ ଅନୁଧ୍ୟାନ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର, ପାରାଦୀପ ପୋର୍ଟ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ରିଙ୍କେଶ ରାୟ ଓ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଏହି ଗସ୍ତରେ ସାମିଲ୍‌ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ମହାକାପଳଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଉପସ୍ଥିତ ଥିଲେ। ଆଗାମୀଦିନରେ ଏହି ପ୍ରକଳ୍ପ କିପରି କାର୍ଯ୍ୟକାରୀ ସହିତ ପୂର୍ଣ୍ଣାଙ୍ଗ ହେବ, ସେ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀବୃନ୍ଦ ଆଲୋଚନା କରିଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ଏହି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦରକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ଗ୍ରହଣ କରିବା ପରେ ଏହା ଏମ୍‌ଓୟୁ ସ୍ବାକ୍ଷର ପର୍ଯ୍ୟାୟରେ ରହିଛି। ପ୍ରକଳ୍ପର କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ୪୦୬୨ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ବାର୍ଷିକ ୫୪ ମେଟ୍ରିକ ଟନ୍ କ୍ଷମତାସମ୍ପନ୍ନ ଏହି ବନ୍ଦରଟି ପିପିପି ମୋଡ୍‌ରେ ନିର୍ମାଣ ହେବ। ଯାହାର ପ୍ରଥମ ପର୍ଯ୍ୟାୟରେ ୨୨ ମେଟ୍ରିକ ଟନ୍ କ୍ଷମତା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ପ୍ରଥମ ଦଫାରେ ଏହାର ରେଳ ଲାଇନ ବିଛା, ଗମନାଗମନର ସୁବିଧା ଓ ନଦୀ ଖନନ ଆଦି ଭିତ୍ତିଭୂମିର ବିକାଶ ପାଇଁ ୨୫୬୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଥମ ପର୍ଯ୍ୟାୟରେ ୪୦୦ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୭୦୦ ଜଣ ନିଯୁକ୍ତି ପାଇପାରିବେ। ସୂଚନା ଅନୁସାରେ, ମହାନଦୀର ପାରାଦୀପ ମୁହାଣରୁ ୧୩ କିଲୋମିଟର ଦୂରରେ ପ୍ରସ୍ତାବିତ ଏହି ବନ୍ଦରଟି ପାଇଁ ରାଜ୍ୟ ସରକାର ୩ ଶହ ଏକର ଜମି ଚିହ୍ନଟ କରିଛନ୍ତି। ଏଥିସହ ଆବଶ୍ୟକ ପଡ଼ିଲେ ଅଧିକ ପରିମାଣର ଜମି ସରକାର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ଜଣାପଡ଼ିଛି। ୨୦୧୮ ମସିହାରେ ଏହି ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ଟେଣ୍ତର ପ୍ରକାଶ ପାଇଥିଲେ ମଧ୍ୟ ବିଡର୍‌ମାନଙ୍କ ଅନାଗ୍ରହ ଯୋଗୁଁ ଏହି କାର୍ଯ୍ୟର ଅଗ୍ରଗତି ହୋଇପାରି ନ ଥିଲା। ପରବର୍ତ୍ତୀ ଅବସ୍ଥାରେ ପାରାଦୀପ ପୋର୍ଟ ଏହି ପ୍ରକଳ୍ପର ଭିତ୍ତିଭୂମି, ବିକାଶ ଓ ନକ୍ସା ପ୍ରସ୍ତୁତ କରିବ ବୋଲି ନିଜଆଡୁ ପ୍ରସ୍ତାବ ଦେବା ପରେ ସରକାର ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍‌ଶୀଘ୍ର ଏ ନେଇ ଆବଶ୍ୟକୀୟ ଏମ୍‌ଓୟୁ ସ୍ବାକ୍ଷରିତ ହେବ ବୋଲି ଜଣାପଡ଼ିଛି। ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦରଠାରୁ ପାରାଦୀପ-ହରିଦାସପୁର ରେଳପଥ ସଂଯୋଗ ହେବାଦ୍ବାରା ସ୍ଥାନୀୟ ଅଂଚଳ ସହିତ ସମଗ୍ର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ସ୍ଥାନୀୟ ବିଧାୟକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

The post ତ୍ବରାନ୍ବିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ: ମହାକାଳପଡ଼ାରେ ପ୍ରସ୍ତାବିତ ବନ୍ଦରସ୍ଥଳକୁ ଅନୁଧ୍ୟାନ କଲେ ମୁଖ୍ୟ ସଚିବ, ୫-ଟି ସଚିବ first appeared on Sambad.



from ଜିଲ୍ଲା – Sambad https://ift.tt/3nEqdng