କଟକ : ‘ପରୀ’ ଘଟଣାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର କଂଗ୍ରେସର ୯ ଜଣ ବିଧାୟକଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବା ନେଇ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଏଭଳି ମନ୍ତବ୍ୟ ପାଇଁ କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ଡା.ପାତ୍ରଙ୍କୁ ଓକିଲ ନୋଟିସ୍ ପଠାଯାଇଛି।

ଏ ସମ୍ପର୍କରେ ବିଧାୟକ ମୋକିମ୍‌ କହିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କ ବିରୋଧରେ ଅରୁଚିକର ତଥା ନିରାଧାର ମନ୍ତବ୍ୟ ପ୍ରଦାନ କରିବା ଏବଂ କଂଗ୍ରେସର ସମ୍ମାନସ୍ପଦ ନେତା ରାହୁଲ ଗାନ୍ଧୀଙ୍କୁ ଏହି ଘଟଣାରେ ଟାଣିବା ଡା. ପାତ୍ରଙ୍କର ହୀନମନ୍ୟତାର ପରିଚୟ। ଡା. ପାତ୍ର ଶସ୍ତା ଲୋକପ୍ରିୟତା ପାଇଁ କଂଗ୍ରେସ ବିଧାୟକମାନଙ୍କ ପ୍ରତି ପଇସା ଖାଇବା ଭଳି ଅଶାଳୀନ ଆରୋପ କରିଛନ୍ତି। ଏହାଦ୍ବାରା ତାଙ୍କର ପ୍ରତିଷ୍ଠା ଓ ମାନ ସମ୍ମାନରେ ଅଶେଷ କ୍ଷତି ଘଟାଇଛି। କଟକ ସହରବାସୀଙ୍କ ସ୍ବାଭିମାନ ମଧ୍ୟ ଭୂଲୁଣ୍ଠିତ ହୋଇଛି। ଏଥିସହିତ, ରାଜ୍ୟର ଅଗଣିତ କଂଗ୍ରେସ କର୍ମୀମାନଙ୍କ ଭାବନାକୁ ଶକ୍ତ ଆଘାତ ଦେଇଛି ଡା. ପାତ୍ରଙ୍କ ମନ୍ତବ୍ୟ। ତେଣୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଏହି ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ବିଧାୟକ ମୋକିମ୍‌ ଦାବି କରିଛନ୍ତି। ଅନ୍ୟଥା ଆଇପିସି ୧୯୮୬୦ରେ ଥିବା ବ୍ୟବସ୍ଥା ଅନୁସାରେ ଅଦାଲତଙ୍କ ଦ୍ବାରସ୍ଥ ହେବେ ବୋଲି ସେ ଚେତାଇ ଦେବା ସଙ୍ଗେ ସଙ୍ଗେ ଡା. ପାତ୍ରଙ୍କୁ ଓକିଲ ନୋଟିସ୍ ପଠାଇଛନ୍ତି।

The post କଂ‌ଗ୍ରେସ ବିଧାୟକଙ୍କ ବିରୋଧରେ ଆରୋପ ଘଟଣା : ସମ୍ବିତଙ୍କୁ ବିଧାୟକ ମୋକିମଙ୍କ ଓକିଲ ନୋଟିସ୍ first appeared on Sambad.



from ଜିଲ୍ଲା – Sambad https://ift.tt/2VN1bGo