ଗଞ୍ଜାମ ଉପକୂଳରେ ଜମିଲାଣି ଅଲିଭ ରିଡ଼୍‌ଲେଙ୍କ ସମାଗମ: ୩୦ କଇଁଛ ମୃତ, ଅଣ୍ଡା ଦେଲେଣି ୫

ବ୍ରହ୍ମପୁର: ଗଞ୍ଜାମ ଉପକୂଳକୁ ହଜାର ହଜାର ସଂଖ୍ୟାରେ ଅଲିଭ୍ ‌ରିଡ଼୍‌ଲେ କଇଁଛ ଛୁଟି ଆସିଲେଣି। ସେମାନଙ୍କ ସଙ୍ଗମ ମଧ୍ୟ ଆରମ୍ଭ ହେଲାଣି। ‌ସମୁଦ୍ରରେ ଏବେ ମାଳ ମାଳ ଅଲିଭ୍ ‌ରିଡ଼୍‌ଲେ ଦୃଶ୍ୟମାନ ହେଉଛନ୍ତି। ଅଲିଭ ରିଡ଼୍‌ଲେ ଗୁଡ଼ିକ ଏବେ ଗୋପାଳପୁର ପାର୍ଶ୍ବରୁ ଋଷିକୁଲ୍ୟା ମୁହାଣ ଆଡ଼କୁ ମୁହାଁଊଛନ୍ତି। ଅନ୍ୟପକ୍ଷରେ ବନବିଭାଗ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ବେଳାଭୂମି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୁଣାବନ୍ଧ ଓ ଗୋଖରକୁଦା ଅଞ୍ଚଳରେ ସଫେଇ କରାଯାଇଛି। ଅନ୍ୟପକ୍ଷରେ ନଭେମ୍ବର ୩ତାରିଖରୁ ଗଞ୍ଜାମ ବେଳାଭୂମିରେ ଅଲିଭ୍‌ ରିଡ଼୍‌ଲେ କାଁ ଭାଁ ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ସମୁଦାୟ ୫ଟି ଅଲିଭ ରିଡ୍‌ଲେ ଅଣ୍ଡା ଦେଇଛନ୍ତି। ଗତ ତିନିଦିନ ମଧ୍ୟରେ ପୁରୁଣାବନ୍ଧ ଓ ଗୋଖରକୁଦା ଠାରେ ଗୋଟିଏ ଲେଖାଏଁ ଅଲିଭ୍‌ ରିଡ଼୍‌ଲେ ଅଣ୍ଡା ଦେଇଥିବା ଜଣାପଡ଼ିଛି। ଉକ୍ତ ଅଣ୍ତା ଗୁଡ଼ିକୁ ବନବିଭାଗ ପକ୍ଷରୁ ସ˚ଗ୍ରହ କରି ହ୍ୟାଚେରିରେ ରଖାଯାଇଥିବା ଜଣାପଡ଼ିଛି।

ନଭେମ୍ବର ମାସ ପରେ ବେଳେ ବେଳେ ଏଭଳି ଗୋଟିଏ ଦୁଇଟି କଇଁଛ ଆସି ଅଣ୍ତା ଦେଇ ପଳାଇ ଯାଇଥାନ୍ତି। ଏହାକୁୁ ‘ସ୍ପୋରାଡ଼ିକ୍‌ ନେଷ୍ଟିଙ୍ଗ’ କୁହାଯାଏ। କିନ୍ତୁ ଗଞ୍ଜାମ ଉପକୂଳରେ ଫେବ୍ରୁିଆରି ଦ୍ବିତୀୟ ସପ୍ତାହ ଠାରୁ ମାର୍ଚ୍ଚ ମାସ ମଧ୍ୟରେ ଗଣ ଅଣ୍ତାଦାନ ହୋଇଥାଏ। ଅନ୍ୟପକ୍ଷରେ ଗତ ଦେଢ଼ମାସ ମଧ୍ୟରେ ଗଞ୍ଜାମ ଉପକୂଳରୁ ୩୦ଟି ଅଲିଭ୍‌ ରିଡ଼୍‌ଲେଙ୍କ ଶବ ଉଦ୍ଧାର ହୋଇଛି। ଏଥିରେ ୯ଟି ଅଣ୍ଡିରା ଓ ୨୧ଟି ମାଈ। ଅଣ୍ଡାଦାନ ପୂର୍ବରୁ ୨୧ଟି ମାଇ ଅଲିଭ୍ ‌ରିଡ଼୍‌ଲେ ଆଖି ବୁଜିଛନ୍ତି। ‌ଆନ୍ଧ୍ର ଟ୍ରଲର ଚଳାଚଳକୁ ରୋକିବା ଲାଗି ବନବିଭାଗ, ପୁଲିସ ପକ୍ଷରୁ ମିଳିତ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ଡିଏଫ୍‌ଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ରାଜ୍ୟର କେନ୍ଦ୍ରାପଡା ଜିଲ୍ଲାର ଗହିରମଥା, ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ଏବ˚ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଦେବୀ ମୁହାଣ ଅଞ୍ଚଳରେ ବିରଳ ଅଲିଭ ରିଡ୍‌ଲେ କଇଁଛ ମାନେ ଗଣଅଣ୍ତାଦାନ କରିଥାନ୍ତି। ଅଲିଭ୍‌ ରିଡଲେଙ୍କ ଗଣ ଅଣ୍ତାଦାନ ପାଇଁ ପ୍ରସିଦ୍ଧ ଗଞ୍ଜାମ ଉପକୂଳ। ଗଞ୍ଜାମ ଉପକୂଳ ପ୍ରୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି। କିନ୍ତୁ ଅଲିଭ ରିଡଲେ କଇଁଛ ମାନେ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ଉପକୂଳରେ ଗଣ ଅଣ୍ତାଦାନ କରିଥାନ୍ତି। ୨୦୦୦ ମସିହାରୁ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ତାଦାନକୁ ସୁରକ୍ଷିତ କରିବା ଲାଗି ବନ ବିଭାଗ ପଦକ୍ଷେପ ନେଇ ଆସୁଛି। ପୂର୍ବରୁ ପୁରୁଣାବନ୍ଧ ଠାରୁ ଗୋଖରକୁଦା ବେଳାଭୂମିରେ ଗଣଦାନ ହେଉଥିବା ବେଳେ ଏବେ ପୁରୁଣାବନ୍ଧ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ପ୍ରାୟ ୬ କିମି ବେଳାଭୂମିରେ ଗଣ ଅଣ୍ତାଦାନ ହେଉଛି। ୨୦୧୮-୧୯ରେ ଗଣ ଅଣ୍ତାଦାନ ହୋଇ ନ ଥିଲା। ଗତବର୍ଷ ୩ଲକ୍ଷ ୨୭ହଜାର ଅଲିଭ୍‌ରିଡ଼୍‌ଲେ ଅଣ୍ତା ଦେଇଥିଲେ। ଏପରି କି ଦିନରେ ଗଣ ଅଣ୍ତାଦାନ ହୋଇଥିଲା। ଏଥିସହ ଏକ ଆଲବିନୋ କଇଁଛ ଗଞ୍ଜାମ ଉପକୂଳରେ ପ୍ରଥମ ଥର ଲାଗି ଦେଖାଯାଇଥିଲା।

The post ଗଞ୍ଜାମ ଉପକୂଳରେ ଜମିଲାଣି ଅଲିଭ ରିଡ଼୍‌ଲେଙ୍କ ସମାଗମ: ୩୦ କଇଁଛ ମୃତ, ଅଣ୍ଡା ଦେଲେଣି ୫ first appeared on Sambad.



from ଜିଲ୍ଲା – Sambad https://ift.tt/3mD9Aau

Post a Comment

0 Comments