ବ୍ରହ୍ମପୁର/ଅନଗୁଳ: ଆୟ ବହିର୍ଭୂତ ଏବଂ ଅଜ୍ଞାତସୂତ୍ରରୁ ଅର୍ଜିତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରାଜ୍ୟ ସରକାରଙ୍କର ଜଣେ କନିଷ୍ଠ କିରାଣି ଏବଂ ଜଣେ କଲେଜ ଡେମୋନ୍‌ଷ୍ଟ୍ରେଟର୍‌ଙ୍କ ଘରେ ଭିଜିଲାନ୍‌ସ୍‌ ପକ୍ଷରୁ ଚଢ଼ାଉ କରାଯାଇଛି।

ପ୍ରଥମ ଭିଜିଲାନ୍ସ୍‌ ଚଢ଼ାଉ ହୋଇଛି ଅନଗୁଳ ‘ଆର୍‌ଡବ୍ଲୁଏସ୍‌ଏସ୍‌’ ଉପଖଣ୍ଡ ଅଧୀନରେ ଥିବା ଗ୍ରାମୀଣ ପାନୀୟ ଜଳ ଯୋଗାଣ ଏବଂ ପରିମଳ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ତଥା କ୍ୟାସିୟର୍‌ ରୋହିତାଶ୍ୱ ବାଗଙ୍କ ବାସ ଭବନ ସମେତ ୭ଟି ସ୍ଥାନରେ। କଟକ ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ଏକକାଳୀନ ବାଗଙ୍କର ଅନଗୁଳ ଜେଲ୍‌ ରୋଡ୍‌ସ୍ଥିତ ସରକାରୀ କ୍ୱାର୍ଟର୍ସ, ଆଠମଲ୍ଲିକ ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ ଥିବା ଦୁଇ ମହଲା କୋଠା, ତାଙ୍ଗିଆନିସାରେ ଥିବା କୁକୁଡ଼ା ଫାର୍ମ, ବୌଦ୍ଧ ଜିଲ୍ଲାର ପିଡବ୍ଲୁଡି ଅଫିସ୍‌ ପାଖରେ ଥିବା ପାଣି ବୋତଲ କାରଖାନା, ଆଠମଲ୍ଲିକରେ ଥିବା ଭଡ଼ାଘର, ଆଠମଲ୍ଲିକ ଜିଲ୍ଲା ଅନ୍ତର୍ଗତ ବଡ଼ଗାଁରେ ଥିବା ପୈତୃକ ଘର ଏବଂ ଅନଗୁଳସ୍ଥିତ ‘ଆର୍‌ଡବ୍ଲୁଏସ୍‌ଏସ୍‌’ର କାର୍ଯ୍ୟାଳୟରେ ଥିବା ତାଙ୍କ ପ୍ରକୋଷ୍ଠରେ ଚଢ଼ାଉ ଜାରି ରଖିଛନ୍ତି।

Raid in Ganjam

ସେହିଭଳି ଅନ୍ୟ ଏକ ଘଟଣାରେ, ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ଡେମୋନ୍‌ଷ୍ଟ୍ରେଟର୍‌ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍‌ସ୍‌ ଅଧିକାରୀମାନେ ଚଢ଼ାଉ କରିଛନ୍ତି।
ବ୍ରହ୍ମପୁର ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ଏକ ସଙ୍ଗେ ବ୍ରହ୍ମପୁରରେ ଥିବା ଶ୍ରୀ ମହାନ୍ତିଙ୍କ ଆବାସିକ ଫ୍ଲାଟ୍‌, ବ୍ରହ୍ମପୁରରେ ଥିବା ଅନ୍ୟ ଏକ ଫ୍ଲାଟ୍‌, ଭୁବନେଶ୍ୱରରେ ଥିବା ଫ୍ଲାଟ୍‌, ଗଞ୍ଜାମ ଜିଲ୍ଲାର ଚିକିଟିଗଡ଼ରେ ଥିବା ପୈତୃକ ଘର, ଚିକିଟିଗଡ଼ରେ ଥିବା ଆତ୍ମୀୟଙ୍କ ଘର ଏବଂ ଚିକିଟି କଲେଜରେ ଥିବା ତାଙ୍କ ଅଫିସ୍‌ ପ୍ରକୋଷ୍ଠରେ ଚଢ଼ାଉ ଜାରି ରଖିଛନ୍ତି।

The post ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଦୁଇଟି ପୃଥକ୍‌ ମାମଲାରେ ଅନଗୁଳ ଓ ବ୍ରହ୍ମପୁରରେ ଭିଜିଲାନ୍‌ସ୍‌ ଚଢ଼ାଉ first appeared on Sambad.



from ଜିଲ୍ଲା – Sambad https://ift.tt/3mWQQD5