କଟକ: ଜାଲିଆତି ଓ ମିଛ ପ୍ରମାଣପତ୍ର ଉପସ୍ଥାପନକୁ ଅଦାଲତ ଅବମାନନା ବୋଲି ଧରିବାକୁ ପଡ଼ିବ। ଏହାକୁ ନ୍ୟାୟ ବ୍ୟବସ୍ଥା‌ରେ ହସ୍ତକ୍ଷେପ ଭାବେ ଗ୍ରହଣ କରାଯିବ ଏବଂ ଏହା ଆଇନ ପ୍ରତି ମଧ୍ୟ ଅପମାନ। ଜାମିନ ପାଇଁ ଜାଲ ମେଡିକାଲ ସାର୍ଟିଫିକେଟ୍ ଦାଖଲ ପ୍ରସଂଗରେ ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେବା ସହିତ ଜାମିନ ଅବେଦନକୁ ଖାରଜ କରିଛନ୍ତି। ଆବେଦନକାରୀଙ୍କ ଜାମିନ ପାଇଁ ଜାଲ ନଥିପତ୍ର ସହ ସତ୍ୟପାଠ ଦାଖଲ କରିଥିବା ବ୍ୟକ୍ତିଙ୍କୁ ଏହି ମାମଲାରେ କାରଣ ଦର୍ଶାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହିତ ହାଇକୋର୍ଟରେ ଦାଖଲ ଅନ୍ତରୀଣ ଜାମିନ ଆବେଦନ, ନଥିପତ୍ର ଓ କଟକ ଡିସିପିଙ୍କ ରିପୋର୍ଟର ନକଲ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କାରଣ ଦର୍ଶାଇ ପକ୍ଷ ରଖିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଓକିଲଙ୍କ ସହିତ ପରାମର୍ଶ କରିବାକୁ ସୁଯୋଗ ଦିଆଯିବ। କିନ୍ତୁ ଅନ୍ୟାଦେଶ ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ବିଚାରବିଭାଗୀୟ ହାଜତରେ ରଖାଯିବ।

ମାମଲାର ବିବରଣୀରୁ ପ୍ରକାଶ ଯେ ଶ୍ରୀରାମ କହଁର ଏକ ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ବିଚାରାଧୀନ ରହିଥିଲା। ପତ୍ନୀଙ୍କ ଅସୁସ୍ଥତା କାରଣ ଦର୍ଶାଇ ସେ ଅନ୍ତରୀଣ ଜାମିନ ଆବେଦନ ଦାଖଲ କରିଥିଲେ। ଅନ୍ତରୀଣ ଜାମିନ ଆବେଦନ ସହିତ ଦାଖଲ ମେଡିକାଲ ପ୍ରମାଣପତ୍ରକୁ ନେଇ ସନ୍ଦେହ ହେବାରୁ ଡିସେମ୍ବର ୯ରେ ହାଇକୋର୍ଟ କଟକ ଡିସିପିଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ୧୬ରେ ଦାଖଲ ରିପୋର୍ଟରୁ ମେଡିକାଲ ପ୍ରମାଣପତ୍ର ଜାଲ ବୋଲି ଜଣା ପଡ଼ିଥିଲା। ଏହାପରେ ଅନ୍ତରୀଣ ଆବେଦନରେ ଦସ୍ତଖତ କରିଥିବା ଆବେଦନକାରୀଙ୍କ ପତ୍ନୀଙ୍କୁ ଗିରଫ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

The post ଜାଲ ପ୍ରମାଣପତ୍ର ଦାଖଲକୁ ଅଦାଲତ ଅବମାନନା ‌ଭାବେ ବିଚାର କରାଯିବ: ହାଇକୋର୍ଟ first appeared on Sambad.



from ଜିଲ୍ଲା – Sambad https://ift.tt/3ri8LY7