ଗୋଷାଣୀ: ଗଜପତି ଜିଲ୍ଲାକୁ ବିହନ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ୨୦୧୭ ମସିହାରେ ଜିଲ୍ଲାରେ ସରକାରୀ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ନିର୍ମାଣ କରାଯାଇଥିଲା। ହେଲେ ଏହି ପ୍ଲାଣ୍ଟ ଏବେ ଅବ୍ୟବସ୍ଥା ଘେରରେ ରହିଛି।  ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ ଜନବସତି ଠାରୁ ଦୂର ସ୍ଥାନୀୟ ଶାଗୁଆନ୍ ତୋଟାରେ ନିର୍ମାଣ କରାଗଲା।  ପ୍ଲାଣ୍ଟକୁ ଯିବା ପାଇଁ ଗମନାଗମନ ସୁବିଧା ନଥିବାରୁ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଲେ।  ତୋଟା ମଧ୍ୟରେ ଏହି ପ୍ଲାଣ୍ଟଟି ହୋଇଥିବାରୁ ଚାଷୀମାନଙ୍କୁ ଅନେକ ସମୟରେ ଜଙ୍ଗଲୀ ଜନ୍ତୁଙ୍କୁ ସାମ୍ନା କରିବାକୁ ପଡ଼ୁଥିଲା।
ଏହା ସହ ପ୍ଲାଣ୍ଟ୍ ପରିସରରେ ଚାଷୀଙ୍କ ରହିବା, ପାନୀୟଜଳ କିମ୍ବା ବିଶ୍ରାମାଗାର ଭଳି ଆନୁଷଙ୍ଗିକ ସୁବିଧା ନଥିବାରୁ ଚାଷୀମାନେ ବିଭିନ୍ନ ସମସ୍ୟା ଭୋଗ କରୁଥଲେ। ସେହିପରି ରାସ୍ତା ଅତି ସଂକୁଚିତ ହୋଇଥିବାରୁ କୌଣସି ଗାଡ଼ି ଯୋଗେ ପ୍ଲାଣ୍ଟକୁ ବିହନ ନେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଫଳରେ ଗ୍ରାମାଞ୍ଚଳରୁ ଚାଷୀ ମାନେ ଧାନ ଆଣି ପାରୁ ନାହାନ୍ତି। ସେହିପରି ପ୍ଲାଣ୍ଟରେ ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି।  ଜଣେ ମାତ୍ର ଏଏସପିଙ୍କ ମାଧ୍ୟମରେ କାର୍ଯ୍ୟ କରାଯାଉଛି। ସେଥିରେ ପୁଣି ତାଙ୍କୁ ମଧ୍ୟ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଭଳି ଅନ୍ୟ ଏକ ଦାୟିତ୍ବ ଦିଆଯାଇଛି। ଫଳରେ ସେ ସଠିକ ଭାବେ ତାଙ୍କ ଦାୟିତ୍ବ ସଂପାଦନ କରିପାରୁ ନାହାନ୍ତି। ସମସ୍ୟାର ସମାଧାନ ପାଇଁ ବାରମ୍ବାର ଚାଷୀ ମାନେ ଅଭିଯୋଗ କରୁଥିଲେ ହେଁ କୌଣସି ଫଳ ମିଳୁ ନାହିଁ। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

The post ଅବ୍ୟବସ୍ଥା ଘେରରେର ସରକାରୀ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌  first appeared on Sambad.



from ଜିଲ୍ଲା – Sambad https://ift.tt/3rHB56y