
କଟକ : ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ଦିଗରେ ପୁଲିସ୍ ବଡ଼ ଭୂମିକା ଗ୍ରହଣ କରୁଛି। ବିପର୍ଯ୍ୟୟ ସମୟରେ ପୁଲିସ୍ ହେଉଛି ସରକାରଙ୍କ ପ୍ରତ୍ୟକ୍ଷ ପ୍ରତିନିଧି। ଓଡ଼ିଶା ପୁଲିସ୍ ଏ ଦିଗରେ ଯେଉଁଭଳି ଭାବେ କାର୍ଯ୍ୟ କରୁଛି, ତାହାକୁ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଵତ ପ୍ରଶ˚ସା କରିଛନ୍ତି।
ଭର୍ଚୁଆଲ ପ୍ଲାଟ୍ଫର୍ମରେ ଚାଲିଥିବା ୬୨ତମ ବରିଷ୍ଠ ପୁଲିସ୍ ଅଧିକାରୀ ସମ୍ମିଳନୀର ଦ୍ବିତୀୟ ଦିନରେ ଜେନେରାଲ ରାଵତ ଅତିଥି ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ଯେ ଆଇନ୍ଶୃଙ୍ଖଳା ନିୟନ୍ତ୍ରଣରେ ରଖିବାରେ ଓଡ଼ିଶା ପୁଲିସ୍ ଆଗରେ ରହିଛି। ରାଜ୍ୟରେ ଅପରାଧ ହାର ହ୍ରାସ ଘଟିଛି। ମାଓ ଦମନ ଦିଗରେ ଆସୁଥିବା ଆହ୍ବାନରେ ସିଆର୍ପିଏଫ୍ ସହ ମିଶି ଓଡ଼ିଶା ପୁଲିସ ସଫଳ ହୋଇଛି। ଜିଓ ଷ୍ଟ୍ରାଟେଜିକ୍ ଏନ୍ଭାଇରୋନ୍ମେଣ୍ଟ ଯେଉଁଭଳି ଭାବେ ବଦଳୁଛି ତାହାର ବ୍ୟାଖ୍ୟା କରି ଜେନେରାଲ୍ ରାୱତ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ, ଡିଗ୍ଲୋବାଲାଇଜେସନ୍, ଆଞ୍ଚଳିକୀକରଣ, ଲୋକମାନଙ୍କର ବିରୋଧ, ବାଣିଜ୍ୟିକ ଯୁଦ୍ଧ ଇତ୍ୟାଦି ଯୋଗୁଁ ବିଭିନ୍ନ ସମୟରେ ଅସ୍ଥିରତା ଦେଖାଦେଇଛି। ଏହାଦ୍ବାରା ଅନେକ ଆହ୍ବାନ ସାମ୍ନାକୁ ଆସୁଛି। ଅନ୍ୟପକ୍ଷରେ ଏହାକୁ ଆଧାରକରି ଆଭ୍ୟନ୍ତରୀଣ ସୁରକ୍ଷା ଯୋଗାଇ ଦେବାରେ ପୁଲିସ୍ ବିଶେଷକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ଏହି ସମ୍ମିଳନୀରୁ ବାହାରୁଥିବା ନିଷ୍କର୍ସ ଆଗକୁ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ଆସିବାକୁ ଥିବା ଆହ୍ବାନକୁ ସାମ୍ନା କରିବାବେଳେ ପୁଲିସ୍ ପାଇଁ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଆଜିର ସମ୍ମିଳନୀରେ ସାମାଜିକ କର୍ମୀ କମଳା ଭାସିନ୍ ପୁଲିସ୍ମାନଙ୍କ ଭିତରେ ଲିଙ୍ଗଗତ ସମ୍ବେଦନଶୀଳତାକୁ ବ୍ୟାଖ୍ୟା କରିଥିଲେ। ଡ୍ୟୁଟି ବେଳେ ପକ୍ଷପାତ ହେଲେ ତାହା ସମାଜ ଓ ପୁଲିସ୍ର ଆଚରଣକୁ ପ୍ରଭାବିତ କରିଥାଏ। ଏଥିପାଇଁ ନିତିନିଦିଆ କର୍ମକ୍ଷେତ୍ରରେ ଏଭଳି ବିଷୟକୁ ଗୁରୁତ୍ବର ସହ ଦୃଷ୍ଟି ଦେବାକୁ ସେ ବରିଷ୍ଠ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ପରେ ଆଡ୍ଭୋକେଟ ଜେନେରାଲ ଅଶୋକ ପରିଜା ପୁଲିସ୍ ସହିତ ଜଡ଼ିତ ଥିବା କିଛି ନ୍ୟାୟିକ ବିଷୟ ଉପରେ ଆଲୋକପାତ କରିଥିଲେ।
ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଆବାହକତ୍ବରେ ଆୟୋଜିତ ସମ୍ମିଳନୀର ଦ୍ବିତୀୟ ଦିନରେ ଅପରାଧ ଓ ଅପରାଧିଙ୍କ ତଥ୍ୟ ସ˚ରକ୍ଷିତ କରିବାକୁ, ତଥ୍ୟ ବିଶ୍ଲେଷଣ କରିବା ପାଇଁ ଡିଜିଟାଲ ମାଧ୍ୟମ ଉପରେ ଅଧିକ ଗୁରୁତ୍ବ ଦେବାକୁ ସିସିଟିଏନ୍ଏସ୍ର ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଅପରାଧ ସ˚ପର୍କିତ ତଥ୍ୟ ଖୋଜିବାବେଳେ କାଗଜର ବ୍ୟବହାର ଯେପରି କମ୍ କରାଯିବ ତାହା ଉପରେ ଧ୍ୟାନ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ‘ଆରକ୍ଷୀ ଆପ୍ ’ ଦ୍ବାରା ପୁଲିସ୍ କର୍ମଚାରୀମାନେ କିପରି ସେମାନଙ୍କ ଦକ୍ଷତା ବଢାଇପାରିବେ, ସେ ସ˚ପର୍କରେ ସମ୍ମିଳନୀରେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏହାବାଦ୍ ଏସ୍ସି/ଏସ୍ଟି, ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ହି˚ସା, ନିର୍ଯାତନା ଇତ୍ୟାଦି ଅପରାଧ ସ˚ପର୍କରେ ଆଲୋଚନା କରାଯାଇଥିଲାବେଳେ ତ୍ବରିତ ତଦନ୍ତ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। ସେହିପରି ଥାନା ଓ ପୁଲିସ୍ର ପ୍ରଦର୍ଶନ ଉପରେ ରେଟି˚ ଦିଆଯିବା ଉପରେ ଆଲୋଚନା କରାଯାଇଥିଲାବେଳେ କେଉଁକେଉଁ ମାନଦଣ୍ତ ଦ୍ବାରା ଏମାନଙ୍କୁ ରେଟି˚ ଦିଆଯିବ ତାହା ଉପରେ ମଧ୍ୟ ମତ ରଖାଯାଇଥିଲା। ଏହି ସମ୍ମିଳନୀ ଆସନ୍ତା ୩୦ ତାରିଖରେ ଉଦ୍ଯାପିତ ହେବ।
The post ବରିଷ୍ଠ ପୁଲିସ୍ ଅଧିକାରୀ ସମ୍ମିଳନୀ : ଓଡ଼ିଶା ପୁଲିସକୁ ପ୍ରଶଂସା କଲେ ଜେନେରାଲ୍ ରାୱତ first appeared on Sambad.
from ଜିଲ୍ଲା – Sambad https://ift.tt/3ptGbBl
0 Comments