ଧଳସାମନ୍ତଙ୍କ ଘରେ ସିକ୍ରେଟ୍‌ ଚାମ୍ବର, ମିଳିଲା ୧୬ ଲକ୍ଷ ୫୦ ହଜାର ଟଙ୍କା

କଟକ: ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ କଟକ ସିଡିଏସ୍ଥିତ ଘରର ସିକ୍ରେଟ ଚାମ୍ବରରୁ ବନ୍ଧୁକ, ଗୁଳି ସହ ମିଳିଛି ୧୬ ଲକ୍ଷ ୫୦ ହଜାର ଟଙ୍କା। ସବୁ ଗୁଡିକ ପ୍ରାୟ ନୂଆ ନୋଟ୍। ବିମୁଦ୍ରୀକରଣ ପରେ ବଜାରକୁ ଆସିଥିବା ନୂଆ ୨ ହଜାର ଓ ୫ ହଜାର ଟଙ୍କିଆ ନୋଟ୍ ବି ଏଥିରେ ରହିଛି। ଅର୍ଥାତ ଧଳସାମନ୍ତ ଭାଇ ଜେଲ୍‌ରେ ଥିଲେ ବି ତାଙ୍କ ଘରକୁ ରୀତିମତ ଭାବେ ବଟି ଟଙ୍କା ଆସୁଥିବା ଏଥିରୁ ପ୍ରମାଣ ହୋଇଛି। ଧଳସାମନ୍ତ ଭାଇଙ୍କ କାରବାର ସଂପର୍କରେ ଆଜି ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ଘରୁ ଗତକାଲି ହୋଇଥିବା ଖୋଳତାଡ଼ରୁ ୩ଟି ବଂଧୁକ, ୫ଟି ମାଗାଜିନ ଓ ୧୭୫ଟି ଗୁଳି ବାହାରିଥିବା କହିଛନ୍ତି।

ଧଳସାମନ୍ତ ଭାଇ ସାଧାରଣ ବଂଧୁକ ବେପାରୀ ନୁହନ୍ତି, ସେମାନେ ହେଉଛନ୍ତି କୁଖ୍ୟାତ ଗ୍ୟାଙ୍ଗଷ୍ଟର। ସେମାନେ ନିଜ ଗ୍ୟାଙ୍ଗର ଶକ୍ତି ବଢାଇବା ପାଇଁ ବିହାରରୁ ବନ୍ଧୁକ ଆଣୁଥିଲେ। ନିଜ ଅପରାଧ ସାମ୍ରାଜ୍ୟ ବଢାଇବା ପାଇଁ ଏବଂ ଗ୍ୟାଙ୍ଗ ସଦସ୍ୟଙ୍କୁ ଅପରାଧିକ କାର୍ଯ୍ୟରେ ନିୟୋଜନ କରିବା ପାଇଁ ସେମାନେ ସହଯୋଗୀଙ୍କୁ ବନ୍ଧୁକ ଯୋଗାଯାଉଥିଲେ। ଜେଲରେ ଥାଇ ବି ସେମାନେ ସହଯୋଗୀଙ୍କ ଦ୍ବାରା ଦାଦାବଟି, ଟେଣ୍ଡର ଫିକ୍ସିଂ, ବାଲିଘାଟ କବ୍‌ଜା ଇତ୍ୟାଦି କାର୍ଯ୍ୟକଳାପ ଜରିଆରେ ନିଜର ପତିଆରା ବଢାଇବା ଯୋଜନା କରିଥିଲେ। ଗଲା ଗୁରୁବାର ଠାରୁ ଦୁଇ ଧଳସାମନ୍ତ ଭାଇଙ୍କୁ କମିସନରେଟ୍ ପୁଲିସ ତିନି ଦିନିଆ ରିମାଣ୍ଡରେ ଆଣିଥିଲା। ଗୁରୁବାର ବିଳମ୍ବିତ ରାତି ଯାଏ ଦୁଇ ଭାଇଙ୍କୁ ଅଲଗା ଅଲଗା ଓ ଶେଷରେ ଏକାଠି ବସାଇ ଜେରା କରାଯାଇଥିଲା। ଗତକାଲି ସେମାନଙ୍କୁ ସେମାନଙ୍କ ସିଡିଏ ସେକ୍ଟର-୬ ଘରକୁ ନିଆଯାଇଥିଲା। ଘରର ଗୁପ୍ତ ଚାମ୍ବର, କାନ୍ଥ ଇତ୍ୟାଦି ଖୋଳି ସେଥିରୁ ବଂଧୁକ, ଗୁଳି, ଟଙ୍କା ଇତ୍ୟାଦି ବାହାର କରାଯାଇଥିଲା। ଗଲାକାଲି ଦିନ ଦଶଟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସିଡିଏ ଘରେ ପୁଲିସର ଖୋଳତାଡ ଚାଲିଥିଲା। ଘର ଭିତରେ ଥିବା ଚାମ୍ବରକୁ ଖୋଳିବା ପାଇଁ ପୁଲିସ୍‌କୁ ବହୁତ କସରତ କରିବାକୁ ପଡ଼ିଥିଲା। ଯଦିଓ ସୁଶାନ୍ତ ସେଭଳି କିଛି ସହଯୋଗ କରି ନ ଥିଲା, ସୁଶୀଲ ବେଡ୍‌ରୁମ୍‌ର ସିଲିଂରେ ବନ୍ଧୁକ ରଖାଯାଇଥିବା ପୁଲିସ୍‌କୁ ଜଣାଇଥିଲା। ସୁଶୀଲ ତା’ ବେଡ୍‌ରୁମ୍‌ରେ ଅନେକ ସିକ୍ରେଟ ଚାମ୍ବର ନିର୍ମାଣ କରିଥିବା ପୁଲିସ୍‌ ଯାଞ୍ଚ ବେଳେ ଦେଖିବାକୁ ପାଇଥିଲା। ସେସବୁ ଚାମ୍ବର ଭିତରେ ୧୬ଲକ୍ଷ ୫୦ ହଜାର ଟଙ୍କା ମିଳିଥିବା ଡିସିପି କହିଛନ୍ତି।

ଆଜି ଦୁଇ ଭାଇଙ୍କୁ ପୁଣି ସେମାନଙ୍କ କଳା କାରନାମା, ଦାଦାବଟି ଆଦାୟ, ଅପରାଧ ଯୋଜନା ସଂପର୍କରେ ଜେରା କରାଯାଇଥିଲା। ସେମାନଙ୍କର ତିନି ଦିନିଆ ରିମାଣ୍ଡ ଶେଷ ହୋଇଥିଲେ ବି ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇନଥିଲା। ଆସନ୍ତାକାଲି ସେମାନଙ୍କୁ ହାଜର କରାଯିବ ବୋଲି ଜଣାପଡ଼ିଛି। ଆଗକୁ ପୁଣି ଦୁଇ ଭାଇଙ୍କୁ ରିମାଣ୍ଡରେ ଆଣିବାର ବି ପୁଲିସ ଯୋଜନା କରିଛି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିସିପିଙ୍କ ସହିତ ଏଡିସିପି ତ୍ରିନାଥ ମିଶ୍ର, ପ୍ରମୋଦ ରଥ, ସ୍ପେଶାଲ ସ୍କ୍ବାଡ୍ ଆଇଆଇସି ଅଜୟ ଦାସ, ଚୌଦ୍ବାର ଆଇଆଇସି ବିରଂଚି ପତି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଚୌଦ୍ବାର ଥାନା ପୁଲିସ ଏକ ବଂଧୁକ କାରବାରର ପର୍ଦ୍ଦାଫାସ କରିବାକୁ ଯାଇ ଧଳସାମନ୍ତ ଭାଇଙ୍କ ଏଭଳି ଚାଞ୍ଚଲ୍ୟକର କାରନାମା ସଂପର୍କରେ ସୂଚନା ପାଇଥିଲା। ପରେ କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ ବ୍ୟାପକ କରାଯିବା ସହିତ ‌ସେମାନଙ୍କ ସହଯୋଗୀମାନଙ୍କୁ ଗିରଫ କରାଯାଇଥିଲା। ଧଳସାମନ୍ତଙ୍କ ୧୨ ସହଯୋଗୀଙ୍କୁ ଗିରଫ କରାଯିବା ସହିତ ୨୬ ବଂଧୁକ, ୧୨୦୦ରୁ ଅଧିକ ଗୁଳି ଇତିମଧ୍ୟରେ ଜବତ କରାଯାଇଛି।

The post ଧଳସାମନ୍ତଙ୍କ ଘରେ ସିକ୍ରେଟ୍‌ ଚାମ୍ବର, ମିଳିଲା ୧୬ ଲକ୍ଷ ୫୦ ହଜାର ଟଙ୍କା first appeared on Sambad.



from ଜିଲ୍ଲା – Sambad https://ift.tt/2WOaM0c

Post a Comment

0 Comments