
କଟକ : ମୃତ୍ୟୁର ଦ୍ବାରଦେଶରେ ଥିବା ବ୍ୟକ୍ତି ମିଛ କହି ନଥାଏ କିମ୍ବା ମନଗଢା କଥା କହି ନିର୍ଦ୍ଦୋଷକୁ କୌଣସି ଅପରାଧରେ ସଂପୃକ୍ତ ବୋଲି ଦର୍ଶାଇ ନଥାଏ। ତଥାପି ମୃତକଙ୍କ ବୟାନ ଉପରେ ଅଦାଲତଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡିଥାଏ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜାମିନ ଆବେଦନର ଶୁଣାଣି କରି ମୃତ୍ୟକାଳୀନ ଜମାନବନ୍ଦୀର ଗ୍ରହଣୀୟତା ପ୍ରସଂଗରେ ଏପରି ରାୟ ଦେଇଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ମୃତ୍ୟୁ ପୂର୍ବରୁ ରେକର୍ଡ କରାଯାଇଥିବା ବୟାନ ସମୟରେ ସଂପୃକ୍ତ ବ୍ୟକ୍ତି ସୁସ୍ଥ ମାନସିକ ଅବସ୍ଥାରେ ଥିଲେ ବା ନାହିଁ ତାହା ଅଦାଲତ ସୁନିଶ୍ଚିତ ହେବା ଆବଶ୍ୟକ। ମୃତ୍ୟୁକାଳୀନ ଜମାନବନ୍ଦୀ କୌଣସି ପ୍ରକାର ପ୍ରଭାବିତ ନ ହୋଇ ଓ ବିଦ୍ବେଷ ଭାବ ନ ରଖି ଦିଆଯାଇଛି ବୋଲି ମଧ୍ୟ ସୁନିଶ୍ଚିତ କରାଯିବା ଉଚିତ। ମୃତ୍ୟୁକାଳୀନ ଜମାନବନ୍ଦୀ ସ୍ବେଚ୍ଛାକୃତ ଭାବେ ଦିଆଯାଇଛି ଓ ଏଥିରେ ସତ୍ୟତା ରହିଛି ବୋଲି ଯଦି ଅଦାଲତ ଥରେ ଗ୍ରହଣ କରନ୍ତି ତେବେ ଅନ୍ୟ କୌଣସି ପ୍ରମାଣ ବା ସମର୍ଥନ ଦୋଷୀସାବ୍ୟସ୍ତ ପାଇଁ ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ମାମଲାରେ ମେଡିକାଲ ଅଫିସର ରେକର୍ଡ କରିଥିବା ମୃତ୍ୟୁକାଳୀନ ଜମାନବନ୍ଦୀକୁ ବିଚାରକୁ ନେଇ ଖଣ୍ଡପୀଠ ଆବେଦନକାରୀ ମହମ୍ମଦ ୱାସିମଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ୱାସିମଙ୍କୁ ସର୍ତ୍ତ ରଖି ଜାମିନରେ ଛାଡିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୯, ନଭେମ୍ବର ୧୫ରେ ୱାସିମଙ୍କ ପତ୍ନୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ନଭେମ୍ବର ୧୬ ତାରିଖ ଦିନ ୱାସିମ ପତ୍ନୀଙ୍କ ଉପରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ରାଇରଙ୍ଗପୁର ବହଳଦା ଥାନା ପୁଲିସ େଯୗତୁକ ଜନିତ ହତ୍ୟାକାଣ୍ଡ ମାମଲା ରୁଜୁ କରି ୱାସିମଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପୀଡ଼ିତା ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାର ମେଡିକାଲ ଅଫିସର ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲେ। ରୋଷେଇଘରେ ସେ ଏକା ଥିବାବେଳେ କିରାସିନି ଜାର୍ ଗ୍ୟାସ୍ ଉପରେ ପଡ଼ିଯିବାରୁ ନିଆଁ ଲାଗିଯାଇଥିଲା ବୋଲି ପୀଡ଼ିତା ବୟାନରେ କହିଥିଲେ। ଏଥିସହିତ ଅନ୍ୟ କେତେକ ସାକ୍ଷୀ ମଧ୍ୟ କହିଥିଲେ ଯେ ଏହି ସମୟରେ ୱାସିମ ଘରେ ଉପସ୍ଥିତ ନଥିଲେ। କିନ୍ତୁ ମେଡିକାଲ ଅଫିସରଙ୍କ ଦ୍ବାରା ରେକର୍ଡ କରାଯାଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀ ପ୍ରଶ୍ନାବଳୀ ପଦ୍ଧତିରେ ରେକର୍ଡ କରାଯାଇଥିବାରୁ ଏହାକୁ ନେଇ ସନ୍ଦେହ ରହିଛି ବୋଲି ପ୍ରସିକ୍ୟୁସନ୍ ପକ୍ଷରୁ ଦର୍ଶାଯାଇଥିଲା। ଏହାପରେ ନିମ୍ନ ଅଦାଲତ ୱାସିମଙ୍କ ଜାମିନ ଖାରଜ କରିଥିଲେ। ସେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
The post ମତ୍ୟୁକାଳୀନ ଜମାନବନ୍ଦୀ ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଅଦାଲତ ସତ୍ୟତା ଅନୁଭବ କଲେ ଅନ୍ୟ କୌଣସି ପ୍ରମାଣ ଅନାବଶ୍ୟକ first appeared on Sambad.
from ଜିଲ୍ଲା – Sambad https://ift.tt/3okN47t
0 Comments